30.1 C
Bhubaneswar
Wednesday, April 24, 2024
Homeଓଡିଶାଜଗନ୍ନାଥଙ୍କ ଅର୍ଥ ଆତ୍ମସାତ୍ ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ ବନ୍ଦ କରାଯାଇଛି:ବିଜେପି

ଜଗନ୍ନାଥଙ୍କ ଅର୍ଥ ଆତ୍ମସାତ୍ ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ ବନ୍ଦ କରାଯାଇଛି:ବିଜେପି

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୫୯୨ କୋଟି ଟଙ୍କାକୁ ବୁଡାଇ ଦେବାର ଚକ୍ରାନ୍ତ ରଚିଥିବା ବିଜୁ ଜନତା ଦଳର ସରକାର ବିଧାନସଭାରେ ଜବାବ ଦେଇପାରିଲେ ନାହିଁ । ଗୃହରେ ବିରୋଧୀ ସରକାରଙ୍କୁ ୟେସ ବ୍ୟାଙ୍କ କେଳେଙ୍କାରି ବିଷୟରେ ଯେପରି ଭାବେ ଘେରିଲେ ସରକାର ଅଣନିଶ୍ୱାସୀ ହୋଇପଡିଛନ୍ତି । ସରକାରର ମୁହଁ କଳା ପଡିଯାଇଛି । ଶ୍ରୀଜଗନ୍ନାଥଙ୍କ ପଇସା ସରକାରି ବ୍ୟାଙ୍କରୁ ଆଣି ସରକାରଙ୍କର ଅନୁମୋଦନ ତାଲିକାରେ ନଥିବା ଏକ ଘରୋଇ ବ୍ୟାଙ୍କରେ କାହିଁକି ରଖାଗଲା ବୋଲି ବିରୋଧୀ ଦଳ ନେତା  ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ମାର୍ଚ୍ଚ ୧୯ରେ ସରକାର ଏହି ଅର୍ଥ ୟେସ ବ୍ୟାଙ୍କରୁ ଉଠାଇ ଆଣିବେ ବୋଲି ଦମ୍ଭୋକ୍ତି ଦେଇଥିଲେ । ଯଦି ସରକାର ସେହି ତାରିଖରେ ପଇସା ଫେରାଇ ଆଣିପାରିବେ ନାହିଁ ତାହେଲେ ବିଧାନସଭାରେ ହରଡ ଘଣାରେ ପଡିଥାନ୍ତେ । ତେଣୁ ତାହା ପୂର୍ବରୁ ଜାଣିଶୁଣି ବାହାନାବାଜି କରି ବିଧାନସଭାକୁ ବନ୍ଦ କରିଦେଲେ । ହେଲେ ଯେତେ ଘଂଟ ଘୋଡାଇଲେ ବି ସତ ବାହାରିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଇସାକୁ ଲୁଟ କରିବାରେ ଯେଉଁମାନେ ଦୋଷି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଚୁପ ବସିବ ନାହିଁ ।
ଯଦି ରାଜ୍ୟ ସରକାର ଭାବୁଥାନ୍ତି ଯେ ସେମାନେ ଚଂଚକତା କରି ୟେସ ବ୍ୟାଙ୍କ କେଳେଙ୍କାରିରୁ ଖସି ଯିବେ ତାହା କେବେବି ସଫଳ ହେବ ନାହିଁ । ଭାରତୀୟ ଜନତା ପାର୍ଟି ସେହି ମହାଦୁର୍ନିତିର ମହାନାୟକ ମାନଙ୍କୁ ଗୋଡେଇ ଧରିବ ବୋଲି ଶ୍ରୀ ନାଏକଚେତାବନୀ ଦେଇଛନ୍ତି । ରାଜ୍ୟରେ ଏବେ ସୁଦ୍ଧା କରୋନା ଭାଇରାସରେ କେହି ଆକ୍ରାନ୍ତ ହୋଇନାହାନ୍ତି । ଯେତେ ଗୁଡିଏ ପରୀକ୍ଷା ହୋଇଛି ସବୁ ନେଗେଟିଭ ବାହାରିଛି । କିନ୍ତୁ ବିଧାନସଭାକୁ କରୋନା ପାଇଁ ବାତିଲ କରାଯିବା ନେଇ ଶାସକ ଦଳର ପ୍ରସ୍ତାବ ଓ ଏହା ଉପରେ ବାଚସ୍ପତିଙ୍କ ମୋହର ସରକାରଙ୍କର ଦେବାଳିଆ ମାନସିକତା ଓ ପଳାୟନ ପନ୍ଥି ମନୋଭାବକୁ ପ୍ରମାଣିତ କରୁଛି । ବିଧାନସଭା ସହିତ କରୋନା ଭାଇରସର ସର୍ମ୍ପକ କଣ ବୁଝାପଡୁନି । ବିଧାନସଭା ଚାଲିଲେ କରୋନା ଭାଇରସ କିପରି ବ୍ୟାପିବ ? ସରକାରଙ୍କର ଏପ୍ରକାର ଚିନ୍ତାଧାରା ବଡ ଅଜବ । କେବଳ ମହାପ୍ରଭୁଙ୍କ ଅର୍ଥକୁ ହରିଲୁଟ ଏବେ ଧରାପଡିଯିବା ପରେ ସେଥିରୁ ବର୍ତିବା ପାଇଁ ଏହା ଏକ ନାଟକ ବୋଲି ମୁଖ୍ୟସଚେତକ ଶ୍ରୀ ମୋହନ ମାଝୀ କହିଛନ୍ତି ।
ବର୍ତମାନ ଦେଶରେ ସଂସଦରେ ବଜେଟ ଅଧିବେସନ ସୁରୁଖୁରୁରେ ଚାଲିଥିବାବେଳେ ଦିଲ୍ଲୀ, ତେଲେଙ୍ଗାନା, ଆସାମ, ରାଜସ୍ଥାନ, ପଂଜାବ, କର୍ଣ୍ଣାଟକ, ବିହାର ଆଦି ରାଜ୍ୟରେ ବିଧାନସଭା ଅଧିବେସନ ବି ଚାଲିଛି । କେଉଁଠି ବି କରୋନା ପାଇଁ ବିଧାନସଭାକୁ ଅଧାରୁ ବନ୍ଦ କରିଦିଆଯିବାର ଖବର ନାହିଁ । ହେଲେ ଓଡିଶା, ଯେଉଁଠି ଜଣେ ହେଲେ କରୋନା ରୋଗୀ ନାହାନ୍ତି ସେଠାରେ ସରକାର କଣ ପାଇଁ ବିଧାନସଭାକୁ ବନ୍ଦ କରିବା ପାଇଁ ଚାହିଁଲେ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।ସରକାରଙ୍କ ଏପ୍ରକାର ମନମାନି ଚଳିବ ନାହିଁ । ଏହାକୁ ଆମେ ଦୃଢ ସ୍ୱରରେ ନିନ୍ଦା କରୁଛୁ । ବାଚସ୍ପତି ତାଙ୍କ ନିଷ୍ପତି ବଦଳାନ୍ତୁ
ଓ ପୁର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଗୃହକୁ ଚଲାନ୍ତୁ ବୋଲି ଶ୍ରୀ ମାଝୀ କହିଛନ୍ତି ।ବିଧାନସଭାର ବଜେଟ ଅଧିବେସନର ଆହୁରି ୨୦ କାର୍ଯ୍ୟଦିବସ ବାକି ଅଛି । ଅନେକ ବିଭାଗର ଖର୍ଚ୍ଚ ଦାବି ଉପରେ ବି ଆଲୋଚନା ବି ହୋଇଥାନ୍ତା । କରୋନା ଆଳରେ ଏବେ ବିନା ଖର୍ଚ୍ଚ ଦାବି ଆଲୋଚନାରେ ବ୍ୟୟ ବରାଦକୁ ପାସ କରାଇବେ । ଓଡିଶାର ମୁଖ୍ୟମନ୍ତ୍ରୀ ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରିବା ପାଇଁ ଯାଉଛନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ।କୋରୋନା ଚିନ୍ତା ଆଜି ସାଧାରଣ ଜନତାଙ୍କୁ ନୁହେଁ ବରଂ ବିଜେଡିକୁ ଘାରିଛି । ରାଜ୍ୟସରକାର ଆମ ମାନଙ୍କ ଦ୍ୱାରା ହିଁ କୋରୋନା ସମ୍ବନ୍ଧରେ ସଚେତନ କରାଇ ପାରିଥାନ୍ତେ କିନ୍ତୁ ତାହା ନକରି ବିଧାନସଭା ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶାସକ ବିଜେଡି ବାଚସ୍ପତିଙ୍କୁ ହାତବାରେସି କରି ବାରମ୍ବାର ବିଧାନସଭା ଗୃହକୁ ମୁଲତବି କରିଚାଲିଛନ୍ତି । ଓଡିଶାର ସବୁ ବିଭାଗର ଟଙ୍କା ପ୍ରାଇଭେଟ ବ୍ୟାଙ୍କ ରେ ରଖାଯାଇଛି । କେଉଁ ବିଭାଗରେ କେତେ ଅର୍ଥ ରହିଛି ଅର୍ଥମନ୍ତ୍ରୀ ଏକ ଶ୍ୱେତ ପତ୍ରମାଧ୍ୟମରେ ତାହା ପ୍ରକାଶ କରନ୍ତୁା ଓଏମସିର ୬୫୦ କୋଟି, ଇଡକୋ ର ୨୦୦୦ କୋଟି ଟଙ୍କା ବିଭିନ୍ନ ଘରୋଇ ବ୍ୟାଙ୍କରେ ରାଜ୍ୟ ସରକାର ରଖିଛନ୍ତି । ସେହିପରି ଜଗନ୍ନାଥଙ୍କ ଅର୍ଥକୁ ଆତ୍ମସାତ କରିବା ପାଇଁ ବିଜେଡି ପ୍ରୟାସ ଚଲାଇଛି । ପୂର୍ବରୁ ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର କାହା ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବୋଲି ଉପନେତା ଶ୍ରୀ ବିଷ୍ଣୁ ସେଠୀ ପ୍ରଶ୍ନ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପ୍ରକାଶ ସୋରେନ, ନବ ଚରଣ ମାଝୀଙ୍କ ସମେତ ରାଜ୍ୟ ଗଣମାଧ୍ୟମ
ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking