37.1 C
Bhubaneswar
Thursday, March 28, 2024
Homeଓଡିଶାଦ୍ୱିତୀୟ ଶ୍ରୀ କ୍ଷେତ୍ରରେ ରଥଯାତ୍ରା ପାଇଁ ବିଜେପିର ସାମ୍ବାଦିକ ସମ୍ମିଳନୀ

ଦ୍ୱିତୀୟ ଶ୍ରୀ କ୍ଷେତ୍ରରେ ରଥଯାତ୍ରା ପାଇଁ ବିଜେପିର ସାମ୍ବାଦିକ ସମ୍ମିଳନୀ

ମୟୂରଭଞ୍ଜ : ଗଡ଼ିବନି ରଥଚକ ହେବନି ରଥଯାତ୍ରା। ସରକାରଙ୍କ କଠୋର ନିଷ୍ପତ୍ତି ଭକ୍ତ ମାନଙ୍କୁ ବେଶ ମର୍ମାହତ କରିଛି। ଏଭଳି ସ୍ଥିତିରେ କୋଭିଡ କଟକଣାକୁ ପ୍ରତିବନ୍ଧକ ଭାବେ ଗ୍ରହଣ ନ କରି କୋଭିଡ ନିୟମ ଅନୁସାରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରାଯିବାକୁ ଦାବି କରିଛି ମୟୂରଭଞ୍ଜ ଜିଲ୍ଲା ବିଜେପି। ଓଡ଼ିଆ ଏବଂ ଓଡ଼ିଶାକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ଦେଇଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ବାରିପଦାର ମଧ୍ୟ ସ୍ୱତନ୍ତ୍ରତା ରହି ଆସିଛି। ତେଣୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପାଳନରେ ବାଟ ନ ଓଗାଳୁ କରୋନା କଟକଣା। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ଅନୁଷ୍ଠିତ କରିବାକୁ ଅଣ୍ଟା ଭିଡିଛି ବିଜେପି । ସରକାର ନେଇଥିବା ନିଷ୍ପତ୍ତିର ପୁନର୍ବିଚାର ଦାବିରେ ବଜାରଇଣ୍ଡିଆ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ହୋଇଛି ସାମ୍ବାଦିକ ସମ୍ମିଳନୀ।

କରୋନା କଟକଣା ଦେଖାଇ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ନ କରିବାକୁ ରାଜ୍ୟସରକାର ନେଇଥିବା ନିଷ୍ପତ୍ତିକୁ କଡାନିନ୍ଦା କରିଛି ବିଜେପି । ଏନେଇ ବିଜେପିର ଏକ ପ୍ରତିନିଧିଦଳ ବୁଧୁବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ଦ୍ୱିତୀୟ ଶ୍ରୀକ୍ଷେତ୍ରରେ କୋଭିଡ୍ କଟକଣା ଅନୁଯାଇ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି । ଗତବର୍ଷ ରଥଯାତ୍ରା ପାଇଁ ୧୮ଲକ୍ଷଟଙ୍କା ଖର୍ଚ୍ଚ ହୋଇ ରଥଯାତ୍ରା ନ ହୋଇପାରିବାରୁ ସରକାରୀ ଅର୍ଥ ନଷ୍ଟ ହୋଇଥିବାବେଳେ ଚଳିତବର୍ଷ ମଧ୍ୟ ରଥଯାତ୍ରା ପାଇଁ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଉର୍ଦ୍ଧ୍ବଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ତେଣୁ ଏ ବର୍ଷ କୋଭିଡ୍‌-୧୯ କଟକଣା ଭିତରେ କେବଳ ସେବାୟତ ଓ ପୋଲିସ ପ୍ରଶାସନ ମାଧ୍ୟମରେ ରଥଟଣା କରାଯିବା କିମ୍ବା ଦ୍ୱିତୀୟ ଟୀକା ନେଇଥିବା ସୀମିତ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ସାମାଜିକ ଦୂରତା ପରି ସମସ୍ତ ପ୍ରୋଟୋକଲ ଓ ଅନୁଶାସନ ଅନୁପାଳନ ପୂର୍ବକ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଆୟୋଜନର ଅନୁମତି ପ୍ରଦାନ କରାଯିବାକୁ ବିଜେପି ପକ୍ଷରୁ ଦୃଢ ଦାବି ଉପସ୍ଥାପନ କରାଯାଇଛି । ଏଥିସହ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତୃବୃନ୍ଦ ମାନେ ବିଜେଡିର ହେବିୱେଟ୍ ନେତା ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ସହ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ମୟୂରଭଞ୍ଜ ପ୍ରିମିୟର ଲିଗ୍‌କୁ ବିଜେଡି ପକ୍ଷରୁ ଜାକଜମକରେ ଅନୁଷ୍ଠିତ କରାଯିବା ତଥା ହଜାର ହଜାର ବିଜେଡି କର୍ମୀ ଓ ଲୋକଙ୍କ ସମାଗମରେ ଏମପିଏଲ କରାଯାଇ ପାରିଲା ମାତ୍ର ରଥଟଣା କରାନଯିବାକୁ ଜଗନ୍ନାଥ ପ୍ରେମୀଙ୍କ ଆବେଗ ପ୍ରତି କୁଠାରଘାତ ସଦୃଶ ବୋଲି ବିଜେପି ପକ୍ଷରୁ ପ୍ରତିକ୍ରିୟା ରଖାଯାଇଥିଲା ।

ମୟୂରଭଞ୍ଜ ବ୍ୟାପାରରେ ବବି ଦାସ ଅତ୍ୟଧିକ ମୁଣ୍ଡ ଖେଳାଉଥିବା ତଥା ଶସ୍ତା ରାଜନିତୀ କରୁଥିବା ନେଇ ବିଜେପି ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା । କୋଭିଡ୍ ହସପିଟାଲ ପରିସରକୁ ୧୪୪ ଧାରା ଲାଗୁ କରାଯିବାର ବିଧି ବ୍ୟବସ୍ଥା ରହିଥିବା ବେଳେ ବାଙ୍କିଶୋଳ କୋଭିଡ୍ ହସପିଟାଲ କିମ୍ସ ପରିସରକୁ କେବଳ ଜନପ୍ରତିନିଧିଙ୍କ ବ୍ୟତୀତ୍ ରୋଗୀଙ୍କ ସମ୍ପର୍କୀୟ କିମ୍ବା ଆଟେଣ୍ଡାଣ୍ଟକୁ ଛଡାଯାଉନାହିଁ । ଏପରି ସ୍ଥଳେ କୋଭିଡ୍ ହସପିଟାଲ ପରିଦର୍ଶନରେ ବବି ଦାସ ଆସିଥିବା ସମୟରେ ବହୁ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ହସପିଟାଲ ପରିସରକୁ ପଶିବା ଓ ହସପିଟାଲ ପରିସରରେ ଦଳୀୟ ଆଧାରରେ ହେଲ୍ପ ଡେକ୍ସ ଖୋଲିବା କେତେ ଦୂର ଆଇନ୍ ସଙ୍ଗତ, ତେବେ ହେଲ୍ପ ଡେକ୍ସ ନାଁରେ ଆସୁଥିବା ଅର୍ଥ କୁଆଡେ ଯାଉଛି ଏବାବଦରେ କେତେ ଟଙ୍କା ଆସିଛି ବୋଲି ବିଜେପି ପ୍ରଶ୍ନ କରିଛି ।

ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଏମ୍ସ ଭୁବନେଶ୍ୱରକୁ ଇସିଏମଓ ମେସିନ୍ ଯୋଗାଇ ଦେଇଥିବାରୁ ବିଜେପି ପକ୍ଷରୁ ଧନ୍ୟବାଦ ଜଣାଯାଇଥିଲା । ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍‌,ବଡସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡାଃ ବୁଢାନ ମୁର୍ମୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ସଞ୍ଜିବ୍ ମହାନ୍ତି, କବିବିଷ୍ଣୁ ଶତପଥୀ, ସୁଗୁଦା ମୁର୍ମୁ, ପ୍ରଦୀପ କୁମାର ମହାନ୍ତି, ପ୍ରବୀନ୍ ପାତ୍ର ଓ ବିଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking