27.1 C
Bhubaneswar
Friday, March 29, 2024
Homeଓଡିଶାତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପଛୁଆବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ...

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପଛୁଆବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବୀ ଜଣାଇଲା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା

ଭୁବନେଶ୍ୱର : ଆସନ୍ତା ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଚିଠା ସଂରକ୍ଷଣ ତାଲିକା ଇତି ମଧ୍ୟରେ ପ୍ରକାଶିତ ହୋଇଅଛି । ଉକ୍ତ ତାଲିକାରେ ନିମ୍ନଲିଖିତ ତ୍ରୁଟି ଗୁଡିକ ଯାହାକି ସମ୍ପୂର୍ଣ୍ଣ ବେଆଇନ ଓ ଅସାମ୍ବିଧାନିକ ତାହା ସାଧାରଣରେ ଦୃଷ୍ଟିକୁ ଆସିଅଛି ଓ ସାଧାରଣରେ ସମାଲୋଚିତ ହେଉଅଛି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପଛୁଆ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ ସଂପର୍କରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ବିହୀତ ପଦକ୍ଷେପ ନେବା ପାଇଁ ଦାବୀ ଜଣାଇଛନ୍ତି ।
ଚିଠା ସଂରକ୍ଷଣ ତାଲିକା ଓଡିଶା ଗ୍ରାମ ପଂଚାୟତ ଆଇନ ୧୯୬୪ର ଧାରା ୧୦(ବି-୧ ଓ ବି-୨), ଓଡିଶା ପଂଚାୟତ ସମିତି ଆଇନ ୧୯୫୯ଧାରା ୧୬ (ବି-୧ ଓ ବି-୨), ଓଡିଶା ଜିଲ୍ଲା ପରିଷଦ ଆଇନ ୧୯୯୧ ଧାରା ୨ (ବି-୧ ଓ ବି-୨)ର ସମ୍ପୂର୍ଣ୍ଣ ବିରୋଧାଚରଣ କରିବା ସହ ମତଦାତାଙ୍କ ସାମ୍ବିଧାନିକ ଓ ଆଇନଗତ ଅଧିକାରକୁ ହତ୍ୟା କରୁଅଛି ଓ ସେମାନଙ୍କୁ ନିର୍ବାଚିତ ହେବା ଅଧିକାରରୁ ବଂଚିତ କରୁଅଛି । ଗତ ଆକ୍ଟୋବର ୮ତାରିଖରେ ପ୍ରକାଶିତ ହେବାକୁ ଥିବା ଚିଠା ସଂରକ୍ଷଣ ତାଲିକା କେତେକ ଜିଲ୍ଲାରେ ଆକ୍ଟୋବର ୯ ଏବଂ ୧୦ ତାରିଖରେ ପ୍ରକାଶିତ ହେବା ସମ୍ପୂର୍ଣ୍ଣ ଆଇନ ବିରୋଧୀ । ପଂଚାୟତରାଜ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଦ୍ୱାରା ପ୍ରକାଶିତ ନିର୍ଦ୍ଦେଶାବଳୀ ଚିଠି ନଂ ୧୬୯୭୬ ତା-୦୧.୧୦.୨୦୨୧ରିଖର ୧ନଂ,୩ନଂ,୪ନଂ ନିର୍ଦ୍ଦେଶାନାମା ସହିତ ସରପଂଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଂକ୍ରାନ୍ତୀୟ ସମସ୍ତ ନିର୍ଦ୍ଦେଶାନାମାକୁ ଜିଲ୍ଲାପାଳମାନେ ସମ୍ପୂର୍ଣ୍ଣ ଅଣଦେଖା କରି ମନମୁଖୀ ଭାବେ ସଂରକ୍ଷଣ କରିଛନ୍ତି । ସମ୍ବଲପୁର / କଳାହାଣ୍ଡି / ଝାରସୁଗୁଡା / ଗଜପତି ଜିଲ୍ଲାରେ ପଛୁଆବର୍ଗଙ୍କ ପାଇଁ ଜିଲ୍ଲା ପରିଷଦ ସଭ୍ୟ କ୍ଷେତ୍ରରେ ସଂରକ୍ଷଣ ଶୂନ୍ୟ (୦) ଥିବା ବେଳେ ରାୟଗଡା ଜିଲ୍ଲାରେ ଅଣସଂରକ୍ଷିତ ସଂଖ୍ୟା ଶୂନ୍ୟ (୦) ଅଟେ । ସମ୍ପୂର୍ଣ୍ଣ ଭ୍ରମାତ୍ମକ, ତ୍ରୁଟିପୂର୍ଣ୍ଣ ଓ ବିଚିତ୍ର ବିରୋଧାଭାସର ସଂରକ୍ଷଣ ବ୍ୟବସ୍ଥାରେ ସମଗ୍ର ଗଜପତି ଜିଲ୍ଲାରେ ପଛୁଆବର୍ଗଙ୍କ ପାଇଁ କୌଣସି ଆସନ ସଂରକ୍ଷଣ ନଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ ସେହି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଫଚୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ସେହିଭଳି ନୟାଗଡ ଜିଲ୍ଲା ଦଶପଲ୍ଲା ପଂଚାୟତ ସମିତିରେ ସମିତି ସଭ୍ୟ ପଦବୀ କ୍ଷେତ୍ରରେ ଗୋଟିଏ ମଧ୍ୟ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ନଥିବା ବେଳେ କୌତୁହଳ ଓ ଆଶ୍ଚର୍ଯ୍ୟଜନକ ଭାବେ ଉକ୍ତ ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ପଛୁଆବର୍ଗ ପାଇଁ ସଂରକ୍ଷିତ ଅଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅଇଜ୍ଞଚ୍ଛ କରାଯାଇଛି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ସୁଚନା ଦେଇଛନ୍ତି ।
ଗତ ଦିନମାନଙ୍କରେ ପଛୁଆବର୍ଗଙ୍କ ପାଇଁ ପଂଚାୟତ ଓ ପୌରନିର୍ବାଚନରେ ୨୭ପ୍ରତିଶତ ସଂରକ୍ଷଣ ଥିବା ବେଳେ ଚଳିତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ କେତେ ପ୍ରତିଶତ ସଂରକ୍ଷଣ ଦିଆଯିବ ସେ ସମ୍ପର୍କରେ ରାଜ୍ୟସରକାରଙ୍କ ସଂଶୋଧିତ ଆଇନ ଓ ନିର୍ଦ୍ଦେଶାନାମାରେ କୌଣସି ସ୍ପଷ୍ଟତା ନାହିଁ । ଯଦି ସଂରକ୍ଷଣ ୫୦ପ୍ରତିଶତ ଭିତରେ ରହିବ ତେବେ ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ୧୧.୨୫ପ୍ରତିଶତରୁ ପଛୁଆବର୍ଗ ବଂଚିତ ହେଲେ କିପରି? ସଂରକ୍ଷଣ ପାଇବା ପଛୁଆବର୍ଗଙ୍କର ସାମ୍ବିଧାନିକ ଅଧିକାର । ଏହିକଥାକୁ ରାଜ୍ୟ ସରକାର ଓ ପ୍ରଶାସନ ଅଣଦେଖା କରିଛନ୍ତି । ପଛୁଆବର୍ଗଙ୍କ ସଂରକ୍ଷଣ ସମ୍ପର୍କରେ ରାଜ୍ୟସରକାରଙ୍କ ନିର୍ଦ୍ଦେଶନାମାରେ “ଯେପରି ଉଚିତ୍ ହେବ ସେପରି ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ପ୍ରାଧିକାରୀ ସକ୍ଷମ ହେବେ” । ଏହି ବାକ୍ୟ ବଳରେ ଅଧିକାରୀ ମାନେ ମନୋମୁଖୀ ଭାବେ ନିଷ୍ପତି ନେଇ ଶାସକ ଦଳକୁ ସୁହାଇବା ଭଳି ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଉପରୋକ୍ତ ସମସ୍ତ ତଥ୍ୟ ସାଧାରଣ ମତଦାତାଙ୍କର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାରର ସମ୍ପୂର୍ଣ୍ଣ ଉଲ୍ଲଘଂନ କଲାବେଳେ ପଛୁଆବର୍ଗ ଲୋକଙ୍କୁ ବଂଚିତ, ଲାଂଚିତ ଓ ଅପମାନିତ କରିଅଛି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି ।
ବିଭିନ୍ନ ଜିଲ୍ଲାରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ରାଜନୈତିକ ଦଳ ମାନଙ୍କ ଦ୍ୱାରା ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଆପତି ଅଭିଯୋଗ କରାଯାଇଅଛି । ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୨୧ଅକ୍ଟୋବର ଓ ୨୨ଅକ୍ଟୋବରରେ ସମ୍ପୃକ୍ତ ଜିଲ୍ଲାପାଳ ମାନେ ଶୁଣାଣି କରି ୨୬ଅକ୍ଟୋବର ସୁଦ୍ଧା ଚୂଡାନ୍ତ ତାଲିକା ପ୍ରକାଶନ କରି ରାଜ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ସରକାରଙ୍କୁ ପଠାଇବେ । ଉପରୋକ୍ତ ଅନୈତିକ, ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଜନବିରୋଧି ଚିଠା ସଂରକ୍ଷଣକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ କିମ୍ବା ସଂଶୋଧନ କରି ସଂଶୋଧିତ ତାଲିକା ପ୍ରକାଶ କରିବା ନିମନ୍ତେ ମୋର୍ଚ୍ଚା ତରଫରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବୀ କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ସଂଗ୍ରାମ କେଶରୀ ନାୟକ, ସିଦ୍ଧାର୍ଥ ଶଂକର ପତି, ପ୍ରଦୀପ୍ତ କୁମାର ବେହେରା ଓ ଗୋପାଳ ଗୈାଡ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking