ବିଜେଡ଼ି ମୁଖିଆଙ୍କର ଚଟୁ ଆଇଁଷ ଓ ବେଂଟ ନିରାମିଷ – ଜୟନାରାୟଣ ମିଶ୍ର

 ପୋଖରୀ ଯାକର ମାଛ ସାରି, ବଗ ଯାଇଛି ତୀର୍ଥ କରି
 ଧର୍ମେନ୍ଦ୍ର ଭାଇଙ୍କୁ ପରାମର୍ଶ ଦେବା ପୂର୍ବରୁ ପ୍ରଣବ ବାବୁ ନିଜର ମୁଖିଆକୁ ପରାମର୍ଶ ଦେଲେ ଭଲ ହୁଅନ୍ତା
 ରଥଯାତ୍ରା ବନ୍ଦ କରିବାର ଷଡଯନ୍ତ୍ରରୁ ତୁମର ଜଗନ୍ନାଥଙ୍କ ପ୍ରତି ଶ୍ରଦ୍ଧା କେତେ ଓଡ଼ିଶାବାସୀ ଜାଣିଛନ୍ତି
 ରତ୍ନଭଣ୍ଡାର ପ୍ରଶ୍ନ ପଚାରିଲେ ତୁମ ଅଭିଯୁକ୍ତ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁହଁ ବୁଲାଇ ପଳାଉଛନ୍ତି
 ଜଗନ୍ନାଥ ସଂସ୍କୃତିରେ ମାଆ ସୁଭଦ୍ରା ଏବଂ ମାଆ ଲକ୍ଷ୍ମୀଙ୍କ ଗୁରୁତ୍ୱ ବୁଝିଥିଲେ, ଓଡ଼ିଶାରେ ମମିତା ହତ୍ୟାର ଷଡ଼ଯନ୍ତ୍ରକାରୀକୁ ପାଖରେ ବସାଇନଥାନ୍ତେ
 ତୁମେ ତୁମ ମୁଖିଆଙ୍କୁ ବୁଝାଅ ଏବଂ କେବେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯିବ ରାଜ୍ୟବାସୀଙ୍କୁ ଜଣାଅ

ଭୁବନେଶ୍ୱର, – ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ହୋଇଥିବା ଅଣ୍ଡାମାଡ଼ ପ୍ରସଙ୍ଗରେ ଟ୍ୱିଟର ଜବାବ ରଖି ବିଜେପିର ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର ଆମିଷ ଓ ନିରାମିଷ ମାମଲାରେ ବିଜେଡ଼ି ମୁଖିଆଙ୍କର ଚଟୁ ଆଇଁଷ ଓ ବେଂଟ ନିରାମିଷ ବୋଲି କହିଛନ୍ତି ।
ସେ ଟ୍ୱିଟ୍ କରିଛନ୍ତି ଯେ ପ୍ରଣବ ବାବୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯେଉଁ କଥା ଲେଖିଛନ୍ତି, ହୁଏତ ସେ କହୁଥିବା କଥାକୁ ତାଙ୍କ ବାପା ସ୍ୱର୍ଗତ ଅଶୋକ ଭାଇ ଥିଲେ ଭଲରେ ବୁଝି ପାରିଥା’ନ୍ତେ । ଧର୍ମେନ୍ଦ୍ର ଭାଇଙ୍କୁ ପରାମର୍ଶ ଦେବା ପୂର୍ବରୁ ସେ ତାଙ୍କ ମୁଖିଆକୁ ପରାମର୍ଶ ଦେଲେ ଭଲ ହୁଅନ୍ତା । ସାଢେ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ଚକାଆଖି ସବୁ ଦେଖୁଛି । ଗତ ୨୦ ତାରିଖ ଦିନ ତୁମ ଦଳର ମୁଖିଆଙ୍କୁ ଓଡ଼ିଶାର ଉପବାଚସ୍ପତି ଠାକୁର ବୋଲି ସମ୍ବୋଧନ କଲେ । ତମ ମୁଖିଆ ମଉନ ରହି ବଡ଼ ଶରଧାରେ ସ୍ମିତହାସ୍ୟ ଦେଇ ନିଜେ ଠାକୁର ବୋଲି ସମ୍ମତି ପ୍ରକାଶ କଲେ । ପଖୋରୀ ଯାକର ମାଛ ସାରି, ବଗ ଯାଇଛି ତୀର୍ଥ କରି । ଓଡ଼ିଆ ଝିଅ ମମିତାର ଜଘନ୍ୟ ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପାଖରେ ବସାଇ ଶକ୍ତି ପ୍ରଦାନ କଲେ । ପତିତଜନଙ୍କୁ ଉଦ୍ଧାରିବା ପାଇଁ ପତିତପାବନ ବାନା । ଆମିଷ ଓ ନିରାମିଷ ମାମଲାରେ ତୁମ ମୁଖିଆଙ୍କର ଚଟୁ ଆଇଁଷ ବେଂଟ ନିରାମିଷ ।
ବବି ବାବୁ ଜାଣିଥିବେ ବିଗତ ବର୍ଷରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ବନ୍ଦ କରିବା ପାଇଁ ତାଙ୍କର ଦଳ ଓ ତାଙ୍କର ମୁଖିଆ ଯେଉଁ ଷଡ଼ଯନ୍ତ୍ର କରିଥିଲେ, ତୁମର ଜଗନ୍ନାଥଙ୍କ ପ୍ରତି ଶ୍ରଦ୍ଧା କେତେ ଓଡ଼ିଶାବାସୀ ଜାଣିଛନ୍ତି । କାହା ପ୍ରଚେଷ୍ଟାରେ ମହାପ୍ରଭୁଙ୍କ ରଥଯାତ୍ରା ହେଲା, ଅଳ୍ପ ବହୁତେ ଓଡ଼ିଆ ଲୋକ ଜାଣିଛନ୍ତି । ରତ୍ନଭଣ୍ଡାର ଚାବି ନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି । ରତ୍ନ ଅଛି ନା ତୁମ ମୁଖିଆଙ୍କ ଶାସନରେ କିଏ ଲୁଟ କରିନେଲାଣି ? ଓଡ଼ିଆ ଲୋକ ସନ୍ଦେହରେ ରହିଛନ୍ତି । ରତ୍ନଭଣ୍ଡାର ପ୍ରଶ୍ନ ପଚାରିଲେ ତୁମ ଅଭିଯୁକ୍ତ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁହଁ ବୁଲାଇ ପଳାଉଛନ୍ତି ।
ଜଗନ୍ନାଥ ସଂସ୍କୃତିରେ ମାଆ ସୁଭଦ୍ରା ଏବଂ ମାଆ ଲକ୍ଷ୍ମୀଙ୍କ ଗୁରୁତ୍ୱ ବୁଝିଥିଲେ, ଓଡ଼ିଶାରେ ମମିତା ଭଳି ଝିଅକୁ ଯେଉଁଭଳି ଭାବରେ ଷଡ଼ଯନ୍ତ୍ର କରି ନିର୍ମମ ହତ୍ୟା କରାଗଲା, ତାହାର ଷଡ଼ଯନ୍ତ୍ରକାରୀକୁ ପାଖରେ ବସାଇନଥାନ୍ତେ । ତୁମେ ତୁମ ମୁଖିଆଙ୍କୁ ବୁଝାଅ ଏବଂ କେବେ ବହିଷ୍କାର କରାଯିବ ରାଜ୍ୟବାସୀଙ୍କୁ ଜଣାଅ । ତମ ଦଳର ଲୋକେ କହୁଛନ୍ତି, ତୁମେ ମୁଖିଆଙ୍କ ଆଖି । ପ୍ରତିଦିନ ରାଜ୍ୟରେ ୪ ଧର୍ଷଣ, ୬ ଅପହରଣ ଓ ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ । ଏ ପାପ କାହା ମୁଣ୍ଡରେ ଯିବ? ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ତୁମେ ମୁଖିଆଙ୍କୁ କହିଲଣି କି ବୋଲି ବିଧାୟକ ଜୟନାରାୟଣ ମିଶ୍ର ଟ୍ୱିଟ୍ ଜରିଆରେ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here