ଚାଷୀଙ୍କ ପାଇଁ ନୁହଁ, ମିଲରଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ରାଜ୍ୟ ସରକାର ଉଷୁନା ଚାଉଳକୁ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ସେହି ଚିଠିରୁ ପ୍ରମାଣିତ ହେଉଛି ଯେ ବିଜେଡି ସରକାରର ମିଲରଙ୍କ ପ୍ରତି କେତେ ଦରଦ ଅଛି । ଦୁଇମାସ ତଳେ ଏ ନେଇ କେନ୍ଦ୍ର ସରକାର ବୈଠକ କରିଥିଲେ, ହେଲେ ଦୁଇ ମାସ ପରେ କାହିଁକି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ବୋଲି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି ।
ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ଗତ ରବି ଋତୁରେ ୭୦୦୦ ଚାଷୀଙ୍କ ଟୋକନ୍ ଲାପ୍‌ସ ହୋଇଗଲା । ବସ୍ତା ପରିବହନ ସକାଶେ ଲେବରମାନଙ୍କ ପାଇଁ କେନ୍ଦ୍ର ଦେଉଥିବା ୨୨୦୦କୋଟି ଟଙ୍କା ମିଲରଙ୍କ ସହାୟତାରେ ଲୁଟ୍ କରିଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ପାଇଁ କେନ୍ଦ୍ର କରିଥିବା କିଷାନ ସମ୍ମାନନିଧି ଯୋଜନାରେ ଚାଷୀଙ୍କ ତଥ୍ୟ ଦେଲେନି । ଚାଷୀ ନିର୍ଦ୍ଧାରିତ ମୂଲ୍ୟ ଠାରୁ କମ୍ ଦାମରେ ଧାନ ବିକୁଛନ୍ତି । କଟନୀ ଛଟନୀ ନାଁରେ ମିଲର ଧାନ ଉଠାଉଛନ୍ତି କିନ୍ତୁ ରାଜ୍ୟ ସରକାର ଚୁପ୍ ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।
ସମଗ୍ର ରାଜ୍ୟରେ ଚାଷୀ ଆକ୍ରୋଶ ସୃଷ୍ଟି ହୋଇଛି ତେଣୁ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଭୟଭୀତ ରାଜ୍ୟ ସରକାର କେନ୍ଦ୍ରକୁ ଦୋଷ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ରାଜ୍ୟ ସରକାର ସବୁଠୁ ଚାଷୀଙ୍କୁ ଗୁରୁତ୍ୱ ଦେଉଥିବା କହି କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା । କୃଷକଙ୍କ ପାଇଁ ସରକାରୀ ଯୋଜନା ପରିହାସ ସଦୃଶ ହୋଇଥିବା ବେଳେ ରାଜ୍ୟରେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ପାଇଁ ଚାଷୀ ଦୁର୍ଦ୍ଦଶା ଅସମ୍ଭାଳ ହେବାରେ ଲାଗିଛି । ଦେଖିବାକୁ ଗଲେ ରାଜ୍ୟ ସରକାରଙ୍କ ଟୋକନ୍ ଓ ଟାର୍ଗେଟ୍ ବ୍ୟବସ୍ଥା କାରଣରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଏହି ବ୍ୟବସ୍ଥା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ୱିଂଟାଲ୍ ଧାନ ପଡି ରହି ନଷ୍ଟ ହେଉଛି ଏବଂ ଚାଷୀ ହତାଶ ହୋଇ ଅସହାୟ ମନେକରୁଛନ୍ତି । ଦୀର୍ଘ ୨୧ବର୍ଷ ଶାସନ ବ୍ୟବସ୍ଥାରେ ରହିବା ପରେ ମଧ୍ୟ ରାଜ୍ୟରେ ଧାନ ସଂରକ୍ଷଣର ବ୍ୟବସ୍ଥା ନାହିଁ । ଯାହାର ପରିଣାମ ଓଡିଶାର ଗାଁ ଗଣ୍ଡାର ଚାଷୀ ଭୋଗୁଛନ୍ତି । ସେମାନଙ୍କ ଆର୍ଥିକ ମେରୁଦଣ୍ଡ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଯୋଗୁଁ ଭୁଷୁଡି ପଡିଛି । ଧାନ କିଣିନପାରି ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରୁଛନ୍ତି ଧାନ କିଣିପାରୁନାହାଁନ୍ତି । ଧାନର ସଂରକ୍ଷଣ ପାଇଁ ଭିତିଭୂମି ପ୍ରସ୍ତୁତି ନକରି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଉପରେ ଦୋଷ ଲଦୁଛନ୍ତି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।
ଚାଷୀଙ୍କ ପ୍ରତି କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡି ପକ୍ଷରୁ କୁହାଯାଉଛି ଯେ ଏଫସିଆଇ ରାଜ୍ୟକୁ ଦେବାକୁ ଥିବା ୬ହଜାର ୫୭୦କୋଟି ଟଙ୍କାର ଖାଦ୍ୟ ସବସିଡି ବିଲ୍ ଦେଉନାହିଁ ଏବଂ ଏଫସିଆଇ ଗୋଦାମରୁ ଅଣବାସୁମତି ଚାଉଳ ଉଠାଉନାହିଁ । ତେବେ ଏଫସିଆଇ ହିଁ ବିଜେଡିର ବାସ୍ତବରୁ ଦୂରରେ ଥିବା ମିଛ ପରିକଳ୍ପନାକୁ ଧରିଛି । ବିଜେଡିର ଚାଷୀ ବିରୋଧୀ ନୀତି, ଖାଦ୍ୟ ସବସିଡିର ପ୍ରତିପୂରଣ ନଦେବା ଏବଂ ଅଣବାସୁମତି ଚାଉଳ ନଉଠାଇବା ମିଥ୍ୟା ତଥ୍ୟର ପର୍ଦ୍ଦାଫାସ କରିଛି ଏଫସିଆଇ ଏବଂ ଅଧିକାରୀ ସ୍ତରରେ ଥିବା ତଥ୍ୟ ଗୁଡିକୁ ମଧ୍ୟ ସାମ୍ନାକୁ ଆଣିଛି । ଏଫସିଆଇ ପକ୍ଷରୁ କୁହାଯାଇଛି ଯେ, ଓଡିଶା ଏକ ଡିସିପି (ଡି ସେଂଟରାଲାଇଜଡ୍ ପ୍ରକ୍ୟୁରମେଂଟ) ରାଜ୍ୟ ଭାବେ ପରିଗଣିତ । ରାଜ୍ୟ ସରକାର ବଳକା ଚାଉଳକୁ ଏଫସିଆଇକୁ କେନ୍ଦ୍ର ପାଇଁ ଦେଉଛି । ଡି ସେଂଟରାଲାଇଜଡ୍ ପ୍ରକ୍ୟୁରମେଂଟ୍ ପାଇଁ ଭାରତ ସରକାର, ଓଡିଶା ସରକାର ଏବଂ ଏଫସିଆଇ ମଧ୍ୟରେ ହୋଇଥିବା ଏମଓୟୁ ଅନୁସାରେ ଭାରତ ସରକାରଙ୍କ ପକ୍ଷରୁ ଓଡିଶା ସରକାର ଖରିଫ ଋତୁ ପାଇଁ ପ୍ରତ୍ୟକ୍ଷ କିମ୍ବା ଏଜେନ୍ସିଂ ମାଧ୍ୟମରେ ଧାନ କିମ୍ବା ଅଣବାସୁମତି ଚାଉଳ କେନ୍ଦ୍ର ପାଇଁ ସଂଗ୍ରହ କରିବ । ମାତ୍ର ରାଜ୍ୟ ସରକାର ଧାନ ନ କିଣି କେନ୍ଦ୍ର ଉପରେ ଦୋଷ ଲଦିବା ସହ ନିଜ ଦୁର୍ବଳତାକୁ ଲୁଚାଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।
ଚଳିତ ଖରିଫ ଋତୁ ୨୦୨୦-୨୧ ବର୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ବଳକା ଚାଉଳ ଏଫସିଆଇ ଦ୍ୱାରା ଗ୍ରହଣ କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ପାଖରେ ଥିବା ବଳକା ଚାଉଳ (ଅନୁମାନିକ ୭ଲକ୍ଷ ମେଟ୍ରିକ୍ ଟନ୍‌) କୁ ମଧ୍ୟ ଚଳିତ ଖରିଫ୍ ଋତୁରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏଫସିଆଇ ଦ୍ୱାରା ଗ୍ରହଣ କରାଯିବ । ଏଫସିଆଇ ଦ୍ୱାରା ଅଧିକ ଚାଉଳ ଗ୍ରହଣ କରାଯିବାରେ କୌଣସି ବାଧା ନାହିଁ ଏବଂ ରାଜ୍ୟ ଦ୍ୱାରା ଦିଆଯାଉଥିବା ଅଧିକ ଅଣ ବାସୁମତି ଚାଉଳକୁ ମଧ୍ୟ ଏଫସିଆଇ ନିୟମିତ ଭାବରେ ଗ୍ରହଣ କରିଆସୁଛି । ଅଣବାସୁମତି ଚାଉଳ ଗ୍ରହଣ କରିବା କିମ୍ବା ଚାଉଳ ଖାଲି କରିବା ଏକ ନିରନ୍ତର ପ୍ରକ୍ରିୟା । ଏହି ଅନୁସାରେ ଏଫସିଆଇ ରାଜ୍ୟ ଦ୍ୱାରା ଦିଆଯାଉଥିବା ଚାଉଳକୁ ଗ୍ରହଣ କରିବ ଏବଂ ଆବଶ୍ୟକତା ଥିବା ରାଜ୍ୟକୁ ସେହି ଚାଉଳ ପ୍ରଦାନ କରିବ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୭.୦୭.୨୦୨୧ ମଧ୍ୟରେ ଏଫସିଆଇ ୧୩.୦୭ଲକ୍ଷ ମେଟ୍ରିକ୍ ଟନ୍ ଅଣବାସୁମତି ଚାଉଳ ଗ୍ରହଣ କରିଛି ଏବଂ ୧୨.୩୧ଲକ୍ଷ ମେଟ୍ରିକ୍ ଟନ୍ ଅଣବାସୁମତି ଚାଉଳ ଖାଲି କରାଯାଇଛି । ଖାଦ୍ୟ ସବସିଡିର ପ୍ରତିପୂରଣ ହୋଇନଥିବା କ୍ଷେତ୍ରରେ ଏଫସିଆଇ ଏହା ଜଣାଇବା ପାଇଁ ଚାହୁଁଛି ଯେ ଭାରତ ସରକାର ରାଜ୍ୟ ସରକାରଙ୍କୁ ସିଧାସଳଖ ଖାଦ୍ୟ ସବସିଡି ପ୍ରଦାନ କରିଥାନ୍ତି । ରାଜ୍ୟ ସରକାରଙ୍କ ଏଜେନ୍ସିଂ ୩ହଜାର ୯୬କୋଟି ଟଙ୍କାର ବିଲ୍ ଏଫସିଆଇ ପାଖରେ ପୈଠ କରିଛନ୍ତି । ତନ୍ମଧ୍ୟରୁ ଏଫସିଆଇ ୧୪.୦୭.୨୦୨୧ ସୁଦ୍ଧା ୨ହଜାର ୯୫୭କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଇସାରିଛି । ବକେୟା ରାଶି ମଧ୍ୟ ଦିଆଯିବ, ଯାହାକି ଏହା ଏକ ନିରନ୍ତର ପ୍ରକ୍ରିୟା । ଚଳିତ ଖରିଫ୍ ଋତୁରେ ୨୦୨୦-୨୧ ଆର୍ଥିକ ବର୍ଷରେ ଏଫସିଆଇ ରାଜ୍ୟ ଦ୍ୱାରା ଦିଆଯାଇଥିବା ବଳକା ଚାଉଳକୁ ଗ୍ରହଣ କରିଛି ଏବଂ ରାଜ୍ୟ ସରକାରଙ୍କ ପାଖରେ ବଳକା ଥିବା ୭ଲକ୍ଷ ମେଟ୍ରିକ୍ ଟନ୍ ଚାଉଳକୁ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଚଳିତ ଖରିଫ୍ ଋତୁରେ ଗ୍ରହଣ କରିବ । ଏଫସିଆଇ ପକ୍ଷରୁ ବଳକା ଚାଉଳ ଗ୍ରହଣ କରିବାରେ କୌଣସି ଅଙ୍କୁଶ ନାହିଁ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଅଣବାସୁମତି ଚାଉଳକୁ ମଧ୍ୟ ଗ୍ରହଣ କରି ଆସୁଛି ଶ୍ରୀ ପୁରୋହିତ କହିଛନ୍ତିି ।
ଗତ ୩ବର୍ଷର ତଥ୍ୟ ଆଧାରରେ ଏହା ସ୍ପଷ୍ଟ ଯେ, ରାଜ୍ୟରେ ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ନେଇ ଆମ ଦଳର ସାଂସଦମାନେ ଚଳିତବର୍ଷ ମାର୍ଚ୍ଚ ୧୬ରେ ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ । ଏହା ପରେ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଧାନ କିଣା ବ୍ୟବସ୍ଥା  ନେଇ ତଦନ୍ତ କରାଯାଇଥିଲା । ସେ ଯେଉଁ ତଥ୍ୟ ଦେଇଥିଲେ ତାହା ସାଂଘାତିକ ଥିଲା, ଯାହାକୁ ଆମ ଦଳ ପକ୍ଷରୁ ପୂର୍ବରୁ ବିସ୍ତୁତ ଭାବେ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ଓଡିଶାରେ ଧାନ ସଂଗ୍ରହ ପ୍ରକ୍ରିୟା, ପ୍ରଚଳିତ ବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟା ନେଇ ଚଳିତବର୍ଷ ମାର୍ଚ୍ଚ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସରଜମିନ୍ ତଦନ୍ତ କରିବା ପାଇଁ ଖାଉଟି ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ, ଫୁଡ୍ ଏବଂ ପବ୍ଲିକ୍ ଡିଷ୍ଟ୍ରିବୁସନ ବିଭାଗର ଅଧିକାରୀ ଏବଂ ଏଫସିଆଇର ବରିଷ୍ଠ ଅଧିକାରୀମାନେ ବରଗଡ ଜିଲ୍ଲା ସୋହେଲା ମାର୍କେଟ୍ ୟାର୍ଡ ସ୍ଥିତ ଆରଏମସି ପଦ୍ମପୁର, ବଲାଙ୍ଗୀର ଜିଲ୍ଲା ସ୍ଥିତ ଆରଏମସି ସାଲେଭଟା, ସୋନପୁର ଜିଲ୍ଲା ସ୍ଥିତ ଆରଏମସି ଡୁଙ୍ଗୁରିପାଲି ଏବଂ ନୟାଗଡ ଜିଲ୍ଲାର ରଣପୁର ବ୍ଲକ ସ୍ଥିତ ଆରଏମସି କେରାଣ୍ଡଟାଙ୍ଗି ପରିଦର୍ଶନ କରିବା ସହ ଆରଏମସି, ପିଏସଇଏସ, ରାଜ୍ୟ ସିଭିଲ ସପ୍ଲାଏ କର୍ପୋରେସନର ଅଧିକାରୀ ତଥା ଅନୁସନ୍ଧାନକାରୀ ଟିମ୍‌ଙ୍କ ସହ ଆଲୋଚନା କରିଥିଲେବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ସେହିପରି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନ କିଣିବା ସମୟ ସୀମାକୁ ସମସ୍ତ ଆରଏମସି ଗୁଡିକରେ କମାଇ ଦିଆଯାଉଛି । ଯଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଚାଷୀମାନେ ହତାଶ ହୋଇଯାଉଛନ୍ତି । ଧାନ କିଣିବା ସମୟକୁ ନିର୍ଦ୍ଧାରିତ କରାଯିବା ଫଳରେ ଚାଷୀମାନେ ମଣ୍ଡିକୁ ନିଜ ଫସଲକୁ ଆଣି ବିକ୍ରି କରି ଅର୍ଥ ଉପାର୍ଜନ କରିବାରେ ବିଫଳ ହେଉଛନ୍ତି । ସରକାରୀ ସ୍ତରରେ ଧାନ କିଣିବା ପାଇଁ ୧୫୧ଦିନର ସମୟ ଅବଧି ଥିବାବେଳେ ଆରଏମସି, ପଦ୍ମପୁର (ବରଗଡ ଜିଲ୍ଲା) ପାଇଁ ୭୫ଦିନ; ଆରଏମସି, ସାଲେଭଟା (ବଲାଙ୍ଗୀର ଜିଲ୍ଲା) ପାଇଁ ୪୦ଦିନ; ଆରଏମସି, ଡୁଙ୍ଗୁରିପାଲି (ସୋନପୁର ଜିଲ୍ଲା) ପାଇଁ ୪୩ଦିନ; ଆରଏମସି, କେରଣ୍ଡା ଟାଙ୍ଗୀ (ନୟାଗଡ ଜିଲ୍ଲା) ପାଇଁ ୯୨ଦିନ ଅବଧି ରଖାଯାଇଛି । ପିଏମସି କିମ୍ବା ପିପିସି ସଚିବଙ୍କ ଦ୍ୱାରା ୩୦ଦିନିଆ ଟୋକନ ବ୍ୟବସ୍ଥାର ଅପବ୍ୟବହାର କରାଯାଉଛି । ଏକ ନିର୍ଦ୍ଦିଷ୍ଟ ଦିନରେ ଚାଷୀଙ୍କୁ ନିଜର ଫସଲକୁ ବିକ୍ରି କରିବାକୁ ଆଣିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଉଛି । ଯାହା ପକ୍ଷପାତିତାକୁ ପ୍ରୋତ୍ସାହିତ କରୁଛି ଏବଂ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ଦିଆଯାଇଥିବା ଟୋକନ୍ ନଷ୍ଟ ହୋଇଯାଉଛି । ନିର୍ଦ୍ଧାରିତ କ୍ରୟ ସମୟ ମଧ୍ୟରେ ଯେଉଁ ଚାଷୀମାନେ ଟୋକନ ବ୍ୟବସ୍ଥା ମଧ୍ୟରେ ନିଜ ଧାନ ବିକ୍ରି କରି ଅର୍ଥ ଉପାର୍ଜନ କରିପାରିଥାନ୍ତେ, ସେମାନଙ୍କୁ ମଣ୍ଡି ମାଫିଆମାନେ ଅର୍ଥ ଉପାର୍ଜନ କରିବା ପାଇଁ ଦେଉନାହାଁନ୍ତି । ବରଗଡ ଜିଲ୍ଲା ଆରଏମସି ପଦ୍ମପୁରେ ୨୫୧ଟି ଟୋକନ ନଷ୍ଟ ହୋଇଗଲା । ଯାହା ଦ୍ୱାରା ୬ହଜାର ୬୨୫ ପ୍ୟାକେଟ୍ ଧାନ କିଣାଯାଇ ପାରିଥାନ୍ତା । ବଲାଙ୍ଗୀର ଜିଲ୍ଲା ସ୍ଥିତ ଆରଏମସି ସାଲେଭଟା ଆରଏମସିରେ ୧୪୧୧.୪୯କ୍ୱିଂଟାଲ ଧାନ ସମାନ ୧୩ଟି ଟୋକନ୍ ନଷ୍ଟ ହୋଇଯାଇଛି । ସୋନପୁର ଜିଲ୍ଲା ଆରଏମସି ଡୁଙ୍ଗୁରି ପାଲ୍ଲି ଆରଏମସିରେ ୧୯୬୪.୬୬କ୍ୱିଂଟାଲ୍ ଧାନ ସମାନ ୧୬ଟି ଟୋକନ୍ ନଷ୍ଟ ହୋଇଯାଇଛି । ଅନୁରୂପ ଭାବରେ ନୟାଗଡ ଜିଲ୍ଲା କେରଣ୍ଡା ଟାଙ୍ଗି ଆରଏମସି ୧୯୬୪.୬୬କ୍ୱିଂଟାଲ୍ ଧାନ ସମାନ ୧୬ଟି ଟୋକନ୍ ନଷ୍ଟ ହୋଇଯାଇଛି । ଶାସନରେ ଅବ୍ୟବସ୍ଥା ଯୋଗୁଁ ମଣ୍ଡି ପରିଚାଳନାରେ ସ୍ୱଚ୍ଛତା, ଉତରଦାୟିତ୍ୱ ଏବଂ ଅନୁପାଳନରେ ତ୍ରୁଟି ପରିଲକ୍ଷିତ ହୋଇଛି । ବରଗଡ ଜିଲ୍ଲା ଆରଏମସି ପଦ୍ମପୁର ଏବଂ ସୋନପୁର ଜିଲ୍ଲାର ଆରଏମସି ଡୁଙ୍ଗୁରିପାଲିରେ ୬୦ ଏମଟି ୱେଟ୍ ବ୍ରିଜ୍ ଥିବା ସତ୍ୱେ ମାନୁଆଲ ଭାବରେ ୱେଟ୍ ସ୍ଲିପ୍ ପୂରଣ କରାଯାଉଛି । ଯାହା ଦ୍ୱାରା ଓଜନ ମାପରେ ତାରତମ୍ୟ ରହୁନାହିଁ । ଏହା ଦ୍ୱାରା ଚାଷୀମାନେ ନିଜ ହକର ପଇସା ପାଉନାହାଁନ୍ତି । ଏହା ମଧ୍ୟ ଜଣାପଡିଛି ଯେ, ମିଲରଙ୍କ ପାଖରେ ଏମଏସପି ଠାରୁ ବହୁତ କମ୍ ମୂଲ୍ୟରେ ନିଜ ଧାନକୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି ଏବଂ ପିଏସି ଦ୍ୱାରା ମାନୁଆଲ ଭାବରେ ଏହାର ରେକର୍ଡ ପ୍ରସ୍ତୁତ କରାଯାଉଛି । ବଲାଙ୍ଗୀର ଜିଲ୍ଲାର ଅଅେଏମସି ସାଲେଭଟାରେ ୬ଟି ମିଲର ମଧ୍ୟରେ ଅସମାନ ବିତରନ ହେଉଥିବା ପରିଲକ୍ଷିତ ହୋଇଛି । ଯାହା ପିଏସି ଏବଂ ମିଲରଙ୍କ ମଧ୍ୟରେ ଥିବା ମଧୂଚନ୍ଦ୍ରିକାକୁ ଦର୍ଶାଉଛି । ନୟାଗଡ ଜିଲ୍ଲା କେରଣ୍ଡା ଟାଙ୍ଗି ଆରଏମସି ଠାରେ ତ୍ରୁଟିପୂର୍ଣ୍ଣ ଆର୍ଦ୍ରତା ମିଟର କାରଣରୁ ଧାନର ଗୁଣବତା ମାନ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି । ଯାହାଫଳରେ ବେଆଇନ ଭାବରେ ଧାନ କ୍ରୟ କରାଯାଉଛି ।
ରାଜ୍ୟ ସରକାର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ କହୁଥିଲେ ମଧ୍ୟ ଧାନ କିଣା ବ୍ୟବସ୍ଥାରେ ଆଂଶିକ ଡିଜିଟାଲାଇଜେସନ ହୋଇଛି । ଗୁଣାତ୍ମକ ମାନ ଯାଂଚ୍ କରିବାର ପଦ୍ଧତିକୁ ମଧ୍ୟ ଜାଣିଶୁଣି କରାଯାଉଛି । ସ୍ୱଚ୍ଛତା ଓ ଉତର ଦାୟିତ୍ୱ ନଥିବା କାରଣରୁ ଚାଷୀ ମାନଙ୍କୁ ମଣ୍ଡି ମାଫିଆ ମାନଙ୍କ ଦ୍ୱାରା ଲୁଟ୍‌ର ଶିକାରୀ ହେଉଛନ୍ତି । ଧାନର ଗୁଣବତା ନିୟନ୍ତ୍ରଣ କରିବା ପାଇଁ ଚୁକ୍ତିଭିତିକ ଭାବେ ଅଧିକାରୀ ବା କ୍ୱାଲିଟି କଂଟ୍ରୋଲ ଇନସ୍ପେକ୍ଟରଙ୍କୁ ନିୟୋଜିତ କରାଯାଇଛି । ଯେଉଁମାନେ ନିଜ ଇଚ୍ଛା ମୁତାବକ କ୍ୱାଲିଟି ପାରାମିଟରକୁ ପୂରଣ କରନ୍ତୁ । ସମଗ୍ର କ୍ରୟ ପ୍ରକ୍ରିୟା ମିଲର ମାନଙ୍କ ଇଚ୍ଛା ଅନୁଯାୟୀ ପରିଚାଳିତ ବୋଲି ଜଣାପଡିଛି । ଆଶ୍ଚର୍ଯ୍ୟର କଥା ହେଉଛି, ବ୍ୟବହୃତ ହୋଇଥିବା ବସ୍ତା, ଧାନର ପରିବହନ ଲୋଡିଂ ଏବଂ ମଣ୍ଡିରେ ଶ୍ରମ କାର୍ଯ୍ୟ ଭଳି ମଣ୍ଡିରେ ପରିଚାଳନା ପାଇଁ ଥିବା ସମସ୍ତ କାର୍ଯ୍ୟକୁ କରିବା ପାଇଁ ରାଜ୍ୟ ସରକାର ମିଲରମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହା ଭାରତ ସରକାରଙ୍କ ଦ୍ୱାରା ଇ-ଟେଣ୍ଡର ମାଧ୍ୟମରେ ଧାନର ପରିବହନ ମୂଲ୍ୟ ଏବଂ ପରିବହନ ଦର ନିର୍ଦ୍ଧାରଣ ପାଇଁ ଏସଓଆର ୦୬.୦୫.୨୦୧୯ (ଇଦ୍ଭଦ୍ଭରଙ୍ଘଙ୍କକ୍ସର – ଢଢଠ) ନିୟମର ଉଲ୍ଲଘଂନ କରୁଛି । ମିଲର ମାନଙ୍କ ଦ୍ୱାରା ଟ୍ରାନଜିଟ୍ ପାସ୍ ବା ସ୍ୱୀକୃତି ପତ୍ର ଦେଲା ପରେ ହିଁ ଚାଷୀ ମାନଙ୍କୁ ପଇସା ଦିଆଯିବାର ପ୍ରକ୍ରିୟା ଆରମ୍ଭ ହେଉଛି । ଯାହା ଭାରତ ସରକାରଙ୍କ ନିୟମ ବିରୋଧୀ । ମଣ୍ଡିରୁ ଧାନ ଉଠାଇବା ପାଇଁ ଚାଷୀ ମାନଙ୍କୁ ଦିଆଯାଉଥିବା ଅର୍ଥ ମିଲର ମାନଙ୍କ ଦ୍ୱାରା ଜାରୀ କରାଯାଉଥିବା ଗ୍ରହଣୀୟ ପତ୍ର ସମ୍ପୂର୍ଣ୍ଣ ଭାବରେ ପୃଥକ ରହିବା ଦରକାର । ଚାଷୀମାନେ ମଣ୍ଡିରେ ସେମାନଙ୍କର ଉତ୍ପାଦନକୁ ମଣ୍ଡିରେ ଅନୁମତି ଦିଆଯିବା ପରେ ଶୀଘ୍ର ପଇସା ମିଳିଯିବା ଉଚିତ୍ । ଏଥିପାଇଁ ମିଲର ମାନଙ୍କର ଅନୁମତିର ଆବଶ୍ୟକତା ନାହିଁ । ମଣ୍ଡିରେ ଶ୍ରମିକ ପାରିଶ୍ରମିକ ମୂଲ୍ୟ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଚୂଡାନ୍ତ ହେବା ଉଚିତ୍ କିନ୍ତୁ ରାଜ୍ୟ ସରକାର ଏହାକୁ ପାଳନ କରୁନାହାଁନ୍ତି । ମାର୍କେଟ୍ ୟାର୍ଡର ଭିତିଭୂମି ତଥା ଅଧିକ ଧାନ ସଂଗ୍ରହ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ । ଉଚ୍ଚ କୋଠରୀ, ଜରିପାଲ, ଏଚଡିପିଇ କଭର ତଥା ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧତା ନାହିଁ । ରାଜ୍ୟ ସରକାରଙ୍କ ପାଖରେ ଧାନ ବସ୍ତାକୁ ରଖିବା ପାଇଁ ଅଧିକ ଗୋଦାମ ଘରର ଆବଶ୍ୟକତା ରହିଛି । ରାଜ୍ୟ ସରକାର ଇ-ପ୍ରକ୍ରିୟା ମାଧ୍ୟମରେ ସ୍ୱତନ୍ତ୍ର ମଣ୍ଡି ଲେବର କଂଟାକ୍ଟର ଏବଂ ମଣ୍ଡି ଟ୍ରାନ୍ସପୋର୍ଟ କଂଟ୍ରାକ୍ଟର ନିୟୋଜିତ କରନ୍ତୁ । ଟୋକନ ବ୍ୟବସ୍ଥାରେ ଧାନ ସଂଗ୍ରହ ବ୍ୟବସ୍ଥା ଅଧିକ ଏବଂ ନିରପକ୍ଷପାତିତା କରାଯାଉ । ରାଜ୍ୟ ସରକାର ଧାନର ସ୍ଥିତି ମିଲୱାରୀ ଏବଂ ଷ୍ଟୋରେଜ୍ ପଏଂଟ୍ ୱାରୀକୁ ଲୋକଲୋଚନକୁ ଆଣନ୍ତୁ ଏବଂ ଏହାକୁ ଅଡିଟ୍ କରାଯାଉ । ତଦନ୍ତକାରୀ ଦଳ ଦ୍ୱାରା ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଦିଆଯାଇଥିବା ପରାମର୍ଶକୁ ଗ୍ରହଣ କରି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here