ଇନିସିଆଲ ଆପଏଂଟିଜ୍‌’ଙ୍କ ଭୂତ-ଭବିଷ୍ୟତ ସମ୍ବନ୍ଧରେ ସ୍ପଷ୍ଟତା ନଆଣି ଯୁବସମାଜର ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଛନ୍ତି ରାଜ୍ୟ ସରକାର : ବିଭୁ ତରାଇ

*ଅକ୍ଟୋବର ୩୦ସୁଦ୍ଧା ଠିକା ନିଯୁକ୍ତି ନୀତି ପ୍ରସଙ୍ଗରେ ରାଜ୍ୟ ସରକାର ସ୍ପଷ୍ଟ ନକଲେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ବିଜେପି
*ରାଜ୍ୟର ଏସଟି, ଏସସି ଓ ଓବିସିଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ କରୁଛନ୍ତିି ରାଜ୍ୟ ସରକାର
*ଓ.ଆର୍‌.ଭି ଆକ୍ଟକୁ ଓଡିଶା ସରକାର କାର୍ଯ୍ୟକାରୀ କରୁ ନାହାଁନ୍ତି
ଭୁବନେଶ୍ୱର: ଓଡିଶା ସରକାର ଆଜି ଠିକା କର୍ମଚାରୀ ଓ ଶ୍ରମିକ ନିଯୁକ୍ତି କ୍ଷେତ୍ରରେ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଉଲ୍ଲଘଂନ କରିଛନ୍ତି । ସଂଘୀୟ ବିଧିବ୍ୟବସ୍ଥାରେ ରହି ରାଜ୍ୟ ସରକାର ସାମ୍ବିଧାନିକ ବ୍ୟବସ୍ଥାକୁ ଉଲ୍ଲଂଘନ କରି ଆଇନଗତ ଅପରାଧ କରୁଛନ୍ତି । ସମ୍ବିଧାନରେ ଏସଟି, ଏସସି ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ରହିଛି । ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣକୁ ଗୁରୁତ୍ୱ ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବାରମ୍ବାର କହି ଆସୁଛନ୍ତି । ଗତ ୨୦୧୮ ମସିହାରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ଥାବର୍ ଚାନ୍ଦ୍ ଗେହେଲୋଟ ସଂରକ୍ଷଣ ବ୍ୟବସ୍ଥାକୁ କଡାକଡି ଭାବେ ଲାଗୁ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖିଥିଲେ । ବର୍ତମାନର କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ଶ୍ରୀ ବିରେନ୍ଦ୍ର କୁମାର ମଧ୍ୟ ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ପାଇଁ ଚିଠି ଲେଖିଛନ୍ତି । ମାତ୍ର ଓଡିଶା ସରକାର ସମସ୍ତ ନିର୍ଦ୍ଦେଶକୁ ଅବମାନନା କରିବା ସହ ବିଭିନ୍ନ ଆଳ ଦେଖାଇ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି କରିଆସୁଛନ୍ତି । ଯଦ୍ୱାରା ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ୨୨.୫୦ ପ୍ରତିଶତ ଅନୁସୁଚିତ ଜନଜାତି; ୧୬.୨୫ ପ୍ରତିଶତ ଅନୁସୁଚିତ ଜାତି ଏବଂ ୫୧ ପ୍ରତିଶତ ପଛୁଆ ବର୍ଗଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାରରୁ ଜାଣିଶୁଣି ବଂଚିତ ରଖୁଛନ୍ତି ବୋଲି ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଡ.ବିଭୁପ୍ରସାଦ ତରାଇ କ୍ଷୋଭ ପ୍ରକାଶ କରି କହିଛନ୍ତି ।
ରାଜ୍ୟ ସରକାରଙ୍କ ପଂଚାୟତିରାଜ, ରାଜସ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ ଗୃହ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଠିକା ଶ୍ରମିକ ଓ କର୍ମଚାରୀଙ୍କ ନିଯୁକ୍ତି ପ୍ରସଙ୍ଗରେ ଏହାକୁ ବି, ସି, ଡି ୩ ଭାଗରେ ବିଭକ୍ତ କରାଯାଇଛି । ଓଡିଶା ରିର୍ଜଭେସନ୍ ଅଫ୍ ଭ୍ୟାକେନ୍ସି ଫର୍ କୋର୍ସ ଆଣ୍ଡ୍ ସର୍ଭିସେସ୍ (ଓ.ଆର୍‌.ଭି) ଆକ୍ଟ ଅନୁସାରେ ଏ ସମସ୍ତ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ପାଇଁ ଯେଉଁ ବିଧିବ୍ୟବସ୍ଥା ରହିଛି, ପ୍ରକୃତରେ ତାହାକୁ ଓଡିଶା ସରକାର କାର୍ଯ୍ୟକାରୀ କରୁନାହାଁନ୍ତି । ଏହା ରାଜ୍ୟ ସରକାରଙ୍କ ଏସଟି, ଏସସି ଓ ଓବିସି ବିରୋଧୀ ମନୋଭାବକୁ ପ୍ରକାଶ କରୁଛି ବୋଲି ଡ.ତରାଇ କହିଛନ୍ତି ।
ଅତୀତ ଦିନରେ ଠିକା ଶ୍ରମିକମାନଙ୍କୁ ସଂରକ୍ଷଣ ପ୍ରଦାନ କ୍ଷେତ୍ରରେ ଓଆରଭି ଆକ୍ଟକୁ ସଂଶୋଧନ କରି ସଂରକ୍ଷଣ ନୀତିକୁ କଡାକଡି ପାଳନ କରାଯିବ ବୋଲି ରାଜ୍ୟ ସରକାରଙ୍କ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଶ୍ରୀ ଲାଲ୍ ବିହାରୀ ହିମରିକା ବିଧାନସଭାରେ ପ୍ରତିଶୃତି ଦେଇଥିଲେ । ରାଜ୍ୟରେ ଏହି ଠିକା ନିଯୁକ୍ତି ବ୍ୟବସ୍ଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ବିଜୁ ପଟ୍ଟନାୟକଙ୍କ ସମୟରେ ଆରମ୍ଭ କରାଯାଇଥିଲା । ତେବେ ବିଜୁ ବାବୁଙ୍କ ସମୟରୁ ଜାନକୀ ବାବୁ ଏବଂ ବର୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ଅବହେଳା କରି ବହୁ ଜନସମୁଦାୟଙ୍କୁ ପ୍ରତାରଣା କରି ଆସୁଛନ୍ତି ବୋଲି ଡ.ତରାଇ କହିଛନ୍ତି ।
ବିଜେଡି ସରକାର ଅମଳରେ ଶିକ୍ଷା କ୍ଷେତ୍ରରେ ୭ହଜାର ଚୁକ୍ତିଭିତିକ ଶିକ୍ଷକ ନିଯୁକ୍ତି ଏବଂ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ବେଳେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରାଯାଇନଥିଲା । ସେତେବେଳେ ବିଭିନ୍ନ ଏସଟି, ଏସସି ସଂଗଠନର ଆନ୍ଦୋଳନ ଫଳରେ ସରକାର ଚାପଗ୍ରସ୍ତ ହୋଇ ଓଆରଭି ଆକ୍ଟ ଅନୁସାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ବାଧ୍ୟ ହୋଇଥିଲେ । ଗୃପ-ଡି ପଦବୀ ନିଯୁକ୍ତି ଏବଂ ଠିକା ସଂସ୍ଥା ଜରିଆରେ ଦିଆଯାଉଥିବା ନିଯୁକ୍ତି କ୍ଷେତ୍ରରେ ଏସଟି, ଏସସି ଓ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦିଆନଯାଇ ତାଙ୍କୁ ଅଣଦେଖା କରାଯାଉଛି । ଆଗାମୀ ପଂଚାୟତ ଓ ପୈାର ନିର୍ବାଚନକୁ ଆଖି ଆଗରେ ରଖି ଗତ ଦୁଇ ଦିନ ତଳେ ଠିକା ଶ୍ରମିକଙ୍କୁ ନିୟମିତ କରିବା, ୫୦ ପ୍ରତିଶତ ଦରମା ବୃଦ୍ଧି, ମେଡିକାଲା ଭତାର ଘୋଷଣାରେ ରାଜ୍ୟ ସରକାରଙ୍କ ସ୍ପଷ୍ଟତା ନାହିଁ । ପୂର୍ବରୁ ଥିବା ଚୁକ୍ତିଭିତିକ ନିଯୁକ୍ତିକୁ କେବଳ ନାମ ପରିବର୍ତନ କରି ‘ଇନିସିଆଲ ଆପଏଂଟିଜ୍‌’ ନାମ ଦେଇ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ‘ଇନିସିଆଲ ଆପଏଂଟିଜ୍‌’ଙ୍କ ଭୂତ-ଭବିଷ୍ୟତ ସମ୍ବନ୍ଧରେ ରାଜ୍ୟ ସରକାର ସ୍ପଷ୍ଟତା ନଆଣି ଯୁବସମାଜର ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଛନ୍ତି ବୋଲି ଡ.ତରାଇ କହିଛନ୍ତି ।
ଅକ୍ଟୋବର ୩୦ସୁଦ୍ଧା ଠିକା ନିଯୁକ୍ତି ନୀତି ପ୍ରସଙ୍ଗରେ ରାଜ୍ୟ ସରକାର ସ୍ପଷ୍ଟ ନକଲେ ରାଜ୍ୟ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଡ.ତରାଇ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ବିଭାଗ ପ୍ରମୁଖ ଦିଲୀପ ମଲ୍ଲିକ ଓ ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here