ରାଜନୀତିକୁ ଆସିବା ପୂର୍ବରୁ ନନ୍ଦାହାଣ୍ଡି ବ୍ଲକର କିରାଣୀ ଏବଂ ଷ୍ଟୋର ଇନଚାର୍ଜ ଭାବେ କାର୍ଯ୍ୟ କରୁଥିବା ବିଧାୟକ ମନୋହର ରନ୍ଧାରୀଙ୍କ ନାଁରେ ୧୧ ଲକ୍ଷ ଟଙ୍କାର ଦୁର୍ନୀତି ମାମଲା ରହିଛି
‘ବିଧାୟକଙ୍କ କୈାଣସି ବକେୟା ନାହିଁ ଏବଂ ଏଭଳି ଅଭିଯୋଗକୁ ଅଣଦେଖା କରାଯାଉ’ ବୋଲି କେଉଁ ଆଧାରରେ ଏବଂ କାହା ନିର୍ଦ୍ଦେଶରେ ରିପୋର୍ଟ ଦିଆଗଲା ?
ଦୁର୍ନୀତି ପଛରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଡିଓ ଏବଂ ଶାସକ ବିଜେଡିର ବଡ ବଡ ନେତାମାନେ ସଂପୃକ୍ତ ଅଛନ୍ତି
୧୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଭିଜିଲାନ୍ସ ତଦନ୍ତ ସରିନାହିଁ କାହିଁକି ?
ଦୁର୍ନୀତିଗସ୍ତ ଶ୍ରୀ ରନ୍ଧାରିଙ୍କୁ ନିର୍ବାଚନରେ ଟିକେଟ ପ୍ରଦାନ କରି ସାମ୍ବିଧାନିକ ପଦପଦବୀର ଗରୀମାକୁ କ୍ଷୁର୍ଣ୍ଣ କରିଛି ଶାସକ ବିଜେଡି
୨୦୦୦ ମସିହାରୁ ରାଜ୍ୟର ସମସ୍ତ ବ୍ଲକ ଏବଂ ଅନ୍ୟାନ୍ୟ ବିଭାଗଗୁଡିକର ସ୍ପେଶିଆଲ ଅଡିଟ୍ କରାଯାଉ
ଭୁବନେଶ୍ୱର : ୨୨ବର୍ଷ ଶାସନ ଗାଦିରେ ରହି ରାଜ୍ୟ ସରକାର ଦୁର୍ନୀତିର ସୀମା ଉଲଘଂନ କରିଛନ୍ତି । ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀମାନେ ପ୍ରଶାସନିକ ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକା କରି ବ୍ଲକଗୁଡିକରେ ବ୍ୟାପକ ଘୋଟାଲା କରୁଛନ୍ତି । ଦୁର୍ନୀତିରେ ସିଧାସଳଖ ଭାବେ ଲିପ୍ତ ଥିବା ସରକାରୀ ଅଧିକାରୀମାନଙ୍କୁ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ସହିତ ପରବର୍ତୀ ସମୟରେ ନିଜ ଦଳୀୟ କାର୍ଯ୍ୟ ପାଇଁ ବ୍ୟବହାର କରୁଛି ଶାସକ ବିଜେଡି । ଏପରିକି ପରବର୍ତୀ ସମୟରେ ଶାସକ ଦଳର ନିର୍ବାଚିତ ଜନପ୍ରତିିନିଧି ଭାବେ ଦୁର୍ନୀତିଖୋର ସରକାରୀ କର୍ମଚାରୀମାନଙ୍କୁ ବିଭିନ୍ନ ଗଣତାନ୍ତ୍ରୀକ ପଦପଦବୀରେ ଅବସ୍ଥାପିତ କରାଯାଉଛି । ଆବଶ୍ୟକ ହେଲେ ସମସ୍ତ ଆଇନ କାନୁନକୁ ଜଳାଞ୍ଜଳୀ ଦେବାକୁ ମଧ୍ୟ ପଛାଉ ନାହିଁ ଶାସକ ବିଜେଡି । ସରକାରୀ ଏକ ଟଙ୍କାର ଅନିୟମିତତା ଦଣ୍ଡନୀୟ ଅପରାଧ ହୋଇଥିବାବେଳେ କୋଟି କୋଟି ଟଙ୍କା ଦୁର୍ନୀତିରେ ସଂପୃକ୍ତ ଥାଇ ମଧ୍ୟ ଅଭିଯୁକ୍ତଙ୍କୁ ଅନୁକଂପା ପ୍ରଦାନ କରାଯାଉଛି । ‘ବାଡ ହୋଇ କ୍ଷେତ ଖାଇଯିବା’ ଭଳି ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ପୂର୍ବତନ କିରାଣୀ ଓ ଷ୍ଟୋର ଇନଚାର୍ଜ ତଥା ବର୍ତମାନର ବିଧାୟକ ଶ୍ରୀ ମନୋହର ରନ୍ଧାରୀ ବୋଲି ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ନନ୍ଦାହାଣ୍ଡି ପଂଚାୟତ ସମିତିରେ ୧ କୋଟି ୪ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ପଂଚାୟତ ବିଭାଗର ସ୍ପେଶାଲ ଅଡିଟରେ ଧରାପଡିଥିଲା ଏବଂ ଏହି ଦୁର୍ନୀତିରେ ଶ୍ରୀ ରନ୍ଧାରୀ ମଧ୍ୟ ସଂପୃକ୍ତ ଥିଲେ । ରାଜନୀତିକୁ ଆସିବା ପୂର୍ବରୁ ନନ୍ଦାହାଣ୍ଡି ବ୍ଲକର କିରାଣୀ ଏବଂ ଷ୍ଟୋର ଇନଚାର୍ଜ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ରନ୍ଧାରୀଙ୍କ ନାଁରେ ୧୧ ଲକ୍ଷ ଟଙ୍କାର ଦୁର୍ନୀତି ମାମଲା ରହିଛି । ଏହି ବ୍ୟାପକ ଟଙ୍କା ଶ୍ରୀ ରନ୍ଧାରୀଙ୍କଠାରୁ ଆଦାୟ କରାଯିବା ପାଇଁ ନିର୍ଦ୍ଦେଶ ଥିବା ସତ୍ୱେ ବର୍ତମାନ ସୁଦ୍ଧା ସଂପୂର୍ଣ୍ଣ ଟଙ୍କା ଆଦାୟ କରାଯାଇ ନଥିବାବେଳେ ତାଙ୍କ ବିରୋଧରେ ୨୦୦୯ ମସିହାରେ କୈାଣସି ବକେୟା ନାହିଁ ଏବଂ ଏହି ଅଭିଯୋଗକୁ ଅଣଦେଖା କରାଯାଉ ବୋଲି କେଉଁ ଆଧାରରେ ଏବଂ କାହା ନିର୍ଦ୍ଦେଶରେ ରିପୋର୍ଟ ଦିଆଗଲା ? ବ୍ୟାପକ ବେନାମୀ ଅର୍ଥ ପୈଠ କିଏ ଏବଂ କାହା ସ୍ୱାର୍ଥରେ କରାଯାଇଛି ? ଆଦିବାସୀ ଜମି ବନ୍ଧା ପଡି ପାରିବ ନାହିଁ ବୋଲି ଆଇନ ଥିବା ସତ୍ୱେ ଶ୍ରୀ ରନ୍ଧାରୀଙ୍କ ଦୁର୍ନୀତିରେ ସଂପୃକ୍ତିର ପ୍ରମାଣ ଆସିଲେ ଏହି ବ୍ୟାପକ ଅର୍ଥ ତାଙ୍କ ବାପା, ମା, ସ୍ତ୍ରୀ ଏବଂ ସଂପତିରୁ ଆଦାୟ କରାଯିବ ବୋଲି ରିପୋର୍ଟରେ କହିବା ହୀନ ଚକ୍ରାନ୍ତର ଏକ ଅଂଶ ଏବଂ ଏହି ଦୁର୍ନୀତି ପଛରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଡିଓ ଏବଂ ଶାସକ ବିଜେଡିର ବଡ ବଡ ନେତାମାନେ ସଂପୃକ୍ତ ଅଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଦ୍ୱିତୀୟରେ, ଏହି ଦୁର୍ନୀତିର ତଦନ୍ତ ଭାର ଭିଜିଲାନ୍ସକୁ ଦିଆଯାଇଛି ଏବଂ ବର୍ତମାନ ସୁଦ୍ଧା ତଦନ୍ତ ପ୍ରକ୍ରିୟା ଶେଷ ହୋଇନାହିଁ । ଏହା ସତ୍ୱେ କୈାଣସି ମାମଲା ତାଙ୍କ ନାମରେ ନାହିଁ ବୋଲି ବିଧାୟକ ଶ୍ରୀ ରନ୍ଧାରୀ ନିଜ ଆଫିଡେଭିଟରେ ଉଲ୍ଲେଖ କରିବା ସଂପୂର୍ଣ୍ଣ ଆଇନବିରୋଧୀ । ଅନ୍ୟ ପଟେ ୧୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଭିଜିଲାନ୍ସ ତଦନ୍ତ କାହିଁକି ସରିନାହିଁ । ଦୁର୍ନୀତିର ସଂଗୀନ ଅଭିଯୋଗ ଥିବା ଶ୍ରୀ ରନ୍ଧାରିଙ୍କୁ ନିର୍ବାଚନରେ ଟିକେଟ ପ୍ରଦାନ କରି ସାମ୍ବିଧାନିକ ପଦପଦବୀର ଗରୀମାକୁ କ୍ଷୁର୍ଣ୍ଣ କରିଛି ଶାସକ ବିଜେଡି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ରାଜ୍ୟବ୍ୟାପୀ ଏଭଳି ଦୁର୍ନୀତି ବ୍ୟାପକ ମାତ୍ରାରେ ହେଉଛି । ଯେଉଁମାନେ ଶାସକ ବିଜେଡିକୁ କମ୍ ପିସି ଦେଉଛନ୍ତି, କେବଳ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି । ଶାସକ ବିଜେଡିର ନିର୍ମଳ ଭାବମୁର୍ତି କେବଳ ଏକ ପ୍ରହସନ ବୋଲି କହିବା ସହିତ ଗତ ୨୦୦୦ ମସିହାରୁ ରାଜ୍ୟର ସମସ୍ତ ବ୍ଲକ ଏବଂ ଅନ୍ୟାନ୍ୟ ବିଭାଗ ଗୁଡିକର ସ୍ପେଶିଆଲ ଅଡିଟ୍ କରାଇବାକୁ ଶ୍ରୀ ମାଝୀ ଦାବୀ କରିଛନ୍ତି ।
ଏହି ଅବସରରେ ଗଣମାଧ୍ୟମ ସହ ମୁଖ୍ୟ ଶ୍ରୀ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।