ରିପୋର୍ଟ ବଦାଳାଇବା ପାଇଁ ଡାକ୍ତରଙ୍କ ଉପରେ ଚାପ ପକାଉଛି ପୋଲିସ :ବିଜେପି

ଭୁବନେଶ୍ୱର : ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ଦୀର୍ଘ ସମୟ ଧରି ରାଜ୍ୟରେ ଆଇନ
ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଚାଲିଛି । ବିଶେଷ କରି ମହିଳାମାନଙ୍କ ସହ ଦୁଷ୍କର୍ମ, ହତ୍ୟା, ମରଣାନ୍ତକ ଆକ୍ରମଣ, ନିର୍ଯ୍ୟାତନା ଦିନକୁ ଦିନ
ବୃଦ୍ଧି ପାଇବାରେ ଲାଗିଛି । ରକ୍ଷକ ଏଠି ଭକ୍ଷକ ସାଜିଛି । ଖୋଦ୍ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ
କରିଚାଲିଛି । ମାଲକାନଗିରି ପୋଲିସ କ୍ୟାଟିଂନରେ କାର୍ଯ୍ୟରତ ଥିବା ଆଦିବାସୀ ମହିଳା ଚନ୍ଦ୍ରମା ଭୂଇଁଆ ଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଏବଂ
ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରିନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଉପ
ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ମଣ୍ଡଳ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରି ଫେରିଛି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ବିଧାୟକ ଆଦିତ୍ୟ ମାଢି , ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ମହିଳା ମୋର୍ଚ୍ଚା
ରାଜ୍ୟ ସାଧାରଣ ସଂପାଦିକା ବବିତା ପାତ୍ର ପ୍ରମୁଖ ସାମିଲ ଥିଲେ । ସରଜମିନ ତଦନ୍ତରୁ ପୋଲିସ ଏହି ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ସ୍ପଷ୍ଟ
ଜଣାପଡିଛି ବୋଲି ପ୍ରତିନିଧୀ ଦଳ ଜାଣିବାକୁ ପାଇଛି । ଡାକ୍ତରୀ ରିପୋର୍ଟ ବଦଳାଇବା ଏବଂ ଘଟଣାକୁ ଚପେଇ ଦେବା ପାଇଁ ମୃତା ମହିଳାଙ୍କୁ
ଟିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ପୋଲିସ ଚାପ ପକାଉଛି ବୋଲି ବିଜେପି ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଅଭିଯୋଗ
କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡା କହିଛନ୍ତି ଯେ, ଆଦିବାସୀ ମହିଳା ଚନ୍ଦ୍ରମା ଭୂଇଆଁଙ୍କ ମୃତ୍ୟୁ
ପାଇଁ ପୋଲିସ ହିଁ ଦାୟୀ । ମୃତା ମହିଳାଙ୍କ ସ୍ୱାମୀଙ୍କ କହିବାନୁଯାୟୀ ମାଲକାନଗିରି ହସ୍ପିଟାଲରେ ଚିକିତ୍ସାରେ ଅବହେଳା କରାଯାଇଛି ।
ମାଲକାନଗିରି ହସ୍ପିଟାଲରେ ମୃତା ମହିଳାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଅଣାଯାଇଥିଲା । ବେଡ ହେଡ ଟିକେଟରୁ ଜଣାପଡିଛି କି, ମହିଳା ଜଣଙ୍କୁ
ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଛି । ସେହି ଟିକେଟକୁ ବି ପୋଲିସ ସିଜ୍ କରିଛି । କୋରାପୁଟ ଡାକ୍ତରଙ୍କ କହିବାନୁଯାୟୀ ମହିଳାଙ୍କ
ବେକରେ ସନ୍ଦେହଜନକ ଚିହ୍ନ ଥିଲା । ପୋଲିସ କ୍ୟାଂଟିନ ପଖରୁ ମହିଳାଙ୍କ ଘର ମାତ୍ର ୫ ମିନିଟ ଦୂରରେ ରହିଛି । ସେଠାରେ ଥିବା ଜଣେ
ଚାଟାର୍ଡ ଆକାଉଂଟଙ୍କ ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି । ସେହି ଭିଡିଓକୁ ମଧ୍ୟ ପୋଲିସ ସିଜ୍ କରିଛି । ସେହିପରି ମହିଳାଙ୍କ ପାଖ ପଡିଶା
ଲୋକମାନେ ପୋଲିସ ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ସେମାନଙ୍କ କହିବାନୁଯାୟୀ ସ୍ୱାମୀ ପରିତ୍ୟକ୍ତା ଅବହେଳିତ ମହିଳା ମାନଙ୍କ ସହ ପାଶବିକ
ଆକ୍ରମଣ ହେଉଥିଲେ ମଧ୍ୟ ପୋଲିସ ଅପରାଧୀଙ୍କୁ ଘଂଟ ଘୋଡାଇ ଚାଲିଛି । ପୋଲିସ ପାଖରେ ସମସ୍ତ ତଥ୍ୟ ପ୍ରମାଣ ରହିଛି । ମହିଳାଙ୍କ
ପୋଷ୍ଟମର୍ଟମ ରିପୋର୍ଟ, ସିସିଟିଭି ଫୁଟେଜ , ଡାକ୍ତରୀ ରିପୋର୍ଟ, ବେଡ ହେଡ ଟିକେଟ ସବୁ ରଖି ମଧ୍ୟ ପୋଲିସ ଅପରାଧୀଙ୍କୁ ଧରିବାରେ ବିଫଳ
ହୋଇଛି ।
ପୋଲିସ ଦିବାଦୀୟ କୁନ୍ଦୁଲି ଭଳି ଡାକ୍ତରଙ୍କ ରିପୋର୍ଟକୁ ବଦଳାଇବାକୁ ଚେଷ୍ଟା କରୁଛି । ଅପରାଧୀଙ୍କୁ କ୍ଲିନ ଚିଟ ଦେବା ପାଇଁ ପୋଲିସ
ଅଂଟା ଭିଡିଛି । ଖାକିରେ ଦାଗ ଲାଗିବା ଭୟରେ ପୋଲିସ ନିଜେ ନିଜକୁ ସୁରକ୍ଷା ଦେବା କାର୍ଯ୍ୟରେ ଲାଗିଛି । ମାନକାନଗିରି ଏସପି ଠୁ ଆରମ୍ଭ
କରି ଥାନା ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଏ ଘଟଣାର ପ୍ରଚ୍ଛଦ ପଟରେ ସାମିଲ ଅଛନ୍ତି । ମହିଳାଙ୍କ ଚିକିତ୍ସା ପାଇଁ ଡାକ୍ତର ନୁହେଁ ବରଂ ଏସପିଙ୍କ
ନିର୍ଦ୍ଦେଶରେ ମହିଳାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରଣ କାରଯାଇଥିଲା । ରାଜ୍ୟସରକାର ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବାବେଳେ ଭଂଜନଗର,
ବୀରମିତ୍ରପୁର ଏବଂ ମାଲକାନଗିରି ଘଟଣା ଗୃହ ବିଭାଗର ପୋଲିସ ଅଧିକାରୀମାନଙ୍କର କଳା କାରନାମାନକୁ ପଦାରେ ପକାଇଛି ବୋଲି ଶ୍ରୀମତୀ
ପରିଡା ଅଭିଯୋଗ କରିଛନ୍ତି ।
ମାଲକାନଗିରି ମହିଳା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ୬୦ ଦିନ ଭିତରେ ଚାର୍ଜସିଟି ଫାଇଲ
ହେବା କଥା । ଏହା ସହ ତୁରନ୍ତ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ରାଜ୍ୟସରକାର ଚୁପ୍ ରହିଛନ୍ତି ।
ମାଲକାନଗିରି ଘଟଣା କୁନ୍ଦୁଲୀ ଘଟଣାର ପୁନରାବୃତି । ଆଗାମୀ ଦିନରେ ଏ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଏସସି ଏସଟି ଏଟ୍ରୋସିଟି
ଆକ୍ଟ ଲଗାଇ ଗିରଫ ନକରିବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଲଢେଇ ଜାରି ରଖିବ ବୋଲି ଶ୍ରୀମତୀ ପରିଡା ଚେତାବନୀ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।