40.1 C
Bhubaneswar
Thursday, April 25, 2024
Homeଓଡିଶାବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ରାଜ୍ୟବାସୀଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭାକୁ...

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ରାଜ୍ୟବାସୀଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭାକୁ ଘେରିଲା ବିଜେପି ଯୁବମୋର୍ଚ୍ଚା

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ: ଇରାସିସ୍ ଆଚାର୍ଯ୍ୟ

 ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ : ସମୀର ମହାନ୍ତି
 ବିଧାନସଭା ଭିତରେ ଓ ବାହାରେ ଲଢେଇ ଜାରୀ ରହିବ : ଜୟନାରାୟଣ ମିଶ୍ର
 ନବୀନ ବାବୁଙ୍କ ନେତୃତ୍ୱରେ ଓଡିଆ ଯୁବକ ଆଜି ନିଜ ପରିଚୟ ହରାଇବା ସ୍ଥିତିରେ ପହଂଚିଛି : ରୋହିତ ଚହଲ
 ମୁଖ୍ୟମନ୍ତ୍ରୀଙ୍କ କାରଣରୁ ହିଂସା, ହତ୍ୟା, ଶିଶୁ ଅପହରଣ, ଦୁଷ୍କମ. ଚୋରୀ, ଡକାୟତି ଭଳି ଅପରାଧ କ୍ରମାଗତ ବଢିଚାଲିଛି
 ପୋଲିସର ମାତ୍ରାଧିକ ବଳପ୍ରୟୋଗ କାରଣରୁ ୫୦ରୁ ଅଧିକ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତା ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି

ଭୁବନେଶ୍ୱର,: ଗତ ୫ବର୍ଷରେ ରାଜ୍ୟରେ ୬୭ପ୍ରତିଶତ ଅପରାଧ ବୃଦ୍ଧି ପାଇଥିବାର ରାଜ୍ୟ ସରକାର ଗତ କାଲି ସ୍ୱୀକାର କରିଛନ୍ତି । ରାଜ୍ୟରେ ଯେଉଁଭଳି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସୃଷ୍ଟି ହୋଇଛି, ତାହା ଅତୀତରେ କେବେ ହୋଇନଥିଲା । ବିଜେଡିର ଅପରାଧିକରଣ ବଡ ଚିନ୍ତାର କାରଣ ସାଜିଛି । ମୁଖ୍ୟମନ୍ତ୍ରୀ ଅପରାଧୀକୁ ଆହୁରି ଅଧିକ ପ୍ରୋତ୍ସାହିତ କରୁଛନ୍ତି । ସାଡେ ଚାରି କୋଟି ଓଡିଶାବାସୀଙ୍କ ଆସ୍ଥା ମୁଖ୍ୟମନ୍ତ୍ରୀଙ୍କ ଉପରୁ ତୁଟିଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଜେଡି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ ହୋଇପଡିଛନ୍ତି । ରାଜ୍ୟ ସରକାର ନିଜର ନେତା, ମନ୍ତ୍ରୀ ଓ ବିଧାୟକଙ୍କୁ ଛତ୍ରଛାୟା ତଳେ ରଖି ଓଡ଼ିଶାର ଅପରାଧକୁ ଦ୍ୱିଗୁଣିତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାରଣରୁ ହିଂସା, ହତ୍ୟା, ଶିଶୁ ଅପହରଣ, ଦୁଷ୍କମ. ଚୋରୀ, ଡକାୟତି ଭଳି ଅପରାଧ କ୍ରମାଗତ ବଢିଚାଲିଛି । ଏହା ବିରୁଦ୍ଧରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ବିଧାନସଭା ଘେରାଓ କରାଯାଇଛି ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଆଜି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଭୂବନେଶ୍ୱର ରାମମନ୍ଦିର ଛକରୁ ବିଶାଳ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ । ଶୋଭାଯାତ୍ରା ପୂର୍ବରୁ ଉପସ୍ଥିତ କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ଶାନ୍ତିପ୍ରିୟ ଓଡିଶା ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମନ୍ତ୍ରୀଙ୍କୁ ତାଙ୍କ ସୁରକ୍ଷା ଦାୟୀତ୍ୱରେ ଥିବା ପୋଲିସ ଅଧିକାରୀ ଗୁଳି କରି ହତ୍ୟା କଲେ । ଘଟଣାର ସଠିକ ତଦନ୍ତ କରାଯାଇ ସତ୍ୟାସତ୍ୟ ଉନ୍ମୋଚନ କରିବା ପରିବର୍ତେ ଷଡଯନ୍ତ୍ର ରଚି ଘଟଣାକୁ ଚପାଇ ଦେବା ପାଇଁ ରାଜ୍ୟ ସରକାର ଅପଚେଷ୍ଟା କରୁଛନ୍ତି । ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ବିଧାନସଭା ଅଧିବେସନ ଚାଲିଥିବାବେଳେ ଗୃହରେ ଉପସ୍ଥିତ ନରହି ପ୍ରାୟୋଜିତ ପୁରସ୍କାର ସାଉଁଟିବା ଲାଗି ମୁଖ୍ୟମନ୍ତ୍ରୀ ମୁମ୍ବାଇ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ସେହିପରି ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡକୁ ମାସେ ପୁରିଲାଣି, କିନ୍ତୁ ବର୍ତମାନ ସୁଦ୍ଧା କାରଣ ଖୋଜି ପାଇଲା ନାହିଁ କ୍ରାଇମବ୍ରାଂଚ । ପୃଥିବୀରେ ପ୍ରଥମ ଥର ପାଇଁ ଜଣେ ମୃତ ବ୍ୟକ୍ତିର ଅସ୍ତ୍ରୋପ୍ରଚାର କରିଛନ୍ତି ରାଜ୍ୟ ସରକାର । ବିଧାନସଭାରେ ଉତର ଦେବା ପାଇଁ ନବୀନ ବାବୁଙ୍କ ପାଖରେ ସମୟ ନାହିଁ । କିନ୍ତୁ ପ୍ରାୟୋଜିତ ପୁରସ୍କାର ଆଣିବା ପାଇଁ ସମୟ ରହିଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ସାମ୍ନାକୁ ନଆସିବା ପର୍ଯ୍ୟନ୍ତ ବିଧାନସଭା ଭିତରେ ଓ ବାହାରେ ଲଢେଇ ଜାରୀ ରହିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।
୨୩ବର୍ଷ ଶାସନରେ ଗୃହବିଭାଗକୁ ମୁଖ୍ୟମନ୍ତ୍ରୀ ଚଳାଉଥିଲେ ବି ରାଜ୍ୟରେ ଜଣେ ହେବି ୱେଟ ନେତାଙ୍କୁ ପୋଲିସ ବିଭାଗ ଗୁଳିକରି ହତ୍ୟା କଲା, କିନ୍ତୁ ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ସାଜିଛନ୍ତି । ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସରକାରଙ୍କୁ ସ୍ୱର୍ଗତଃ ଦାସଙ୍କ ନ୍ୟାୟ ପାଇଁ ବାରମ୍ବାର ଦାବି କରୁଥିଲେ ବି ମୁଖ୍ୟମନ୍ତ୍ରୀ କୌଣସି ଉତର ନରଖିବା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ । ବିଜେଡି ଶାସନରେ ଓଡିଶାର ଯୁବବର୍ଗ ସବୁଠୁ ଅଧିକ ଯନ୍ତ୍ରଣା ପାଇଛନ୍ତି । ବରୋଜଗାର, ଦାଦନ, ନିଶା କାରବାର ଆଦି ପ୍ରମୁଖ ଚିନ୍ତାର କାରଣ ହୋଇଛି । ନବୀନ ବାବୁଙ୍କ ନେତୃତ୍ୱରେ ଓଡିଆ ଯୁବକ ଆଜି ନିଜ ପରିଚୟ ହରାଇବା ସ୍ଥିତିରେ ପହଂଚିଛି ବୋଲି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ରୋହିତ ଚହଲ କହିଛନ୍ତି ।
ଆଇନଶୃଙ୍ଖଳା ନେଇ ପୂର୍ବରୁ ପଂଚାୟତ, ବ୍ଲକ ସ୍ତରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଶହ ଶହ ଯୁବକ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ବିଧାନସଭା ଘେରାଉ କରିବା ସହ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି । ଏନେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପରିବର୍ତନ, ନବୀନ ବାବୁଙ୍କୁ ଗାଦିରୁ ହଟାଇବା, ଓଡ଼ିଶାର ଯୁବକ, ମହିଳା ଓ ଜନତାଙ୍କ ନ୍ୟାୟ, ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଯେପର୍ଯ୍ୟନ୍ତ ସ୍ୱାଭାବିକ ନହୋଇଛି ସେପର୍ଯ୍ୟନ୍ତ ଭାରତୀୟ ଜନତା ଯୁବମୋର୍ଚ୍ଚା ଗାଁ ଗାଁରେ ଲଢ଼େଇ କରିବ । ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ରୂପ ନେବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ତଦନ୍ତ ସିବିଆଇ କରୁବୋଲି ବିଜେପି ଦାବି କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଏଫବିଆଇ ଦାବି କରିବା ଅତ୍ୟନ୍ତ ଲଜ୍ଜାଜନକ ଓ ହାସ୍ୟାସ୍ପଦ । ଗୋପାଳ ପାଗଳ କି ନୁହଁ ମାସେ ପରେ ବି ରାଜ୍ୟ ସରକାର ଜାଣିବାରେ ବିଫଳ । ମମିତା ମେହେର, ପରୀ ପରେ ନବ ଦାସଙ୍କ ହତ୍ୟାରୁ ସ୍ପଷ୍ଟ ଯେ, ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ‘ଆଇନର ରକ୍ଷକ ଆଜି ଭକ୍ଷକ ସାଜିଛି’ । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଏହି ଆନ୍ଦୋଳନରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ଯୁବମୋର୍ଚ୍ଚା ପ୍ରଭାରୀ ଶଂଶାଙ୍କ ରାଜ୍‌, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାନେତ୍ରୀ ଅର୍ପିତା ଅପରାଜିତା ବଡଜେନା, ଯୁବମୋର୍ଚ୍ଚା ଉପସଭାପତି ବିଶ୍ୱଜିତ୍ ଷଡଙ୍ଗୀ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ରହି ବିଶାଳ ସମାବେଶକୁ ସମ୍ବୋଧନ କରିଥିଲେ ।
ହଜାର ହଜାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ ଶୋଭଯାତ୍ରାକୁ ବଳପ୍ରୟୋଗ କରି ଅଟକାଇବା ସହ ମରଣାନ୍ତ୍ରକ ଆକ୍ରମଣ କରିଥିଲେ । ପୋଲିସର ମାତ୍ରାଧିକ ବଳପ୍ରୟୋଗ କାରଣରୁ ଇରାସିସ୍ ଆଚାର୍ଯ୍ୟ, ସରୋଜ କୁମାର ଦାସ, ଜୟରାମ ରାଉତ, ଚନ୍ଦ୍ରକାନ୍ତ ଧଳ, ନିରାକାର ହୋତା, ଦୀପକ ଗୋଚ୍ଛାୟତ, ବିଶ୍ୱଜିତ୍ ଷଡଙ୍ଗୀ, ସନ୍ତୋଷ ଭୂତିଆ, ଗୀତାଞ୍ଜଳୀ ରାଉତଙ୍କ ସମେତ ୫୦ରୁ ଅଧିକ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତା ଗୁରୁତର ଭାବେ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଅନେକ କାର୍ଯ୍ୟକର୍ତା ଚିକିତ୍ସା ନପାଇ ଫେରିଯାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking