ବେରୋଜଗାରୀ ବିରୁଦ୍ଧରେ ବିଜେପି ଯୁବମୋର୍ଚ୍ଚାର ଦାବିପତ୍ର

ବଲାଙ୍ଗୀର- ରାଜ୍ୟରେ ବେକାରୀ ତଥା ବେରୋଜଗାରଙ୍କ ସଂଖ୍ୟା ହୁହୁ ହୋଇ ବଢିଚାଲିଛି । ବେକାର ଯୁବକଯୁବତୀଙ୍କୁ ରାଜ୍ୟ ସରକାର କର୍ମ ସଂସ୍ଥାନ ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି । ଏହି ସଂକ୍ରନ୍ତରେ ବଲାଙ୍ଗୀର ବିଜେପି ଯୁବମୋର୍ଚ୍ଚା ତରଫରୁ ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜନତାଙ୍କ ବିଶ୍ୱାସ ଜିତି ଦୀର୍ଘ ୨୦ ବର୍ଷ ଶାସନ କରିଥିବା ନବିନ ସରକାର ଓଡିଶାର ଯୁବକଯୁବତୀମାନଙ୍କୁ ପ୍ରତାରିତ କରିଛନ୍ତି । ତାଙ୍କ ଅପାରଗତା ଯୋଗୁଁ ଆଜି ଓଡିଶା ବେକାରୀ ତଥା ବେରୋଜଗାର କ୍ଷେତ୍ରରେ ସମଗ୍ର ଦେଶରେ ଏକ ନମ୍ବର ସ୍ଥାନରେ ପହଂଚିଛି ।
୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର କର୍ମ ନିୟୋଜନ କାର୍ଯ୍ୟାଳୟମାନଙ୍କରେ ଚାକିରୀ ପାଇଁ ସମୁଦାୟ ୨୨ ଲକ୍ଷ ୫୭ ହଜାର ଯୁବକଯୁବତୀ ନିଜର ନାମ ପଞ୍ଜିକୃତ କରିଛନ୍ତି । କିନ୍ତୁ ଏହି ଦଶ ବର୍ଷର ଅବଧି ଭିତରେ ମାତ୍ର ୨୬ ହଜାର ୫୭ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ପରିସଙ୍ଖ୍ୟାନ ଦୃଷ୍ଟିରୁ ଦେଖିଲେ ନିଯୁକ୍ତିର ହାର ମାତ୍ର ୧ ପ୍ରତିଶତ । ରାଜ୍ୟ ସରକାରଙ୍କ ସ୍କିଲ ଓଡିଶା କାର୍ଯ୍ୟକ୍ରମ ମଧ୍ୟ ସମ୍ପୁର୍ଣ୍ଣ ବିଫଳ ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ସରକାର ୬୨ କୋଟି ଟଙ୍କା ଖର୍ଚ୍ଚ କରି ୯୩ ହଜାର ୧୧୧ ଜଣଙ୍କୁ ତାଲିମ ପ୍ରଦାନ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୨୧ ହଜାର ୬୮୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସରକାରଙ୍କ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମରେ ମଧ୍ୟ ଯୁବକମାନଙ୍କୁ ଅଣଦେଖା କରାଯାଇଛି । ତେଣୁ ଏଭଳି ଏକ ଜନବିରୋଧି ସରକାର କ୍ଷମତାର ରହିବାର ନୈତିକ ଅଧିକାର ହରାଇଛି । ତେଣୁ ଏହି ସରକାରକୁ ବରଖାସ୍ତ କରାଯାଉ ବୋଲି ଦାବିପତ୍ର ଜରିଆରେ ରାଜ୍ୟପାଳଙ୍କ ନିକଟରେ ଦାବି କରାଯାଇଛି । ବିଜେପିର ବରିଷ୍ଠ ନେତା ଅନନ୍ତ ଦାସ , ପିତାମ୍ବର ଖମାରୀ ଓ ହିତେଷ ସାହଙ୍କୁ ନେତୃତ୍ୱରେ ଯୁବମୋର୍ଚ୍ଚ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।