39.1 C
Bhubaneswar
Tuesday, April 23, 2024
Homeରାଜନୀତିଧାନ ସଂଗ୍ରହ ପ୍ରସଙ୍ଗରେ ମିଛ କହୁଛି ବିଜେପି: ୨୦ରେ ବିଜେଡିର ପ୍ରତିବାଦ

ଧାନ ସଂଗ୍ରହ ପ୍ରସଙ୍ଗରେ ମିଛ କହୁଛି ବିଜେପି: ୨୦ରେ ବିଜେଡିର ପ୍ରତିବାଦ

ଭୁବନେଶ୍ୱର, : ଧାନ ସଂଗ୍ରହ ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କର । ଏହା ଓଡିଶା ସରକାରଙ୍କର
ନୁହେଁ । ହେଲେ ଓଡିଶା ବିଜେପି ରାଜ୍ୟବାସୀଙ୍କୁ ଏହି ସତ୍ୟ କହୁନାହିଁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ବିଜେପି ନେତାଙ୍କ
ଛଳନାର ମୁଖା ଖୋଲି ଦେଇଥିବା କହିଛନ୍ତି ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆ ଓ ଦଳର ସାଧାରଣ
ସମ୍ପାଦକ ଏବଂ ମୁଖପାତ୍ର ଶ୍ରୀମୟୀ ମିଶ୍ର ।
ଉଭୟ ନେତ୍ରୀ ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୦୦୩-
୦୪ରେ ସମସ୍ତ ୩୦ଟି ଜିଲ୍ଲାରୁ ଧାନ ସଂଗ୍ରହ ନିଶ୍ଚିତ କରିବା ପାଇଁ ଓଡିଶା ସରକାର ଭାରତ ସରକାରଙ୍କ ପକ୍ଷରୁ ଧାନ
ସଂଗ୍ରହ ପ୍ରକ୍ରିୟାର ଦାୟିତ୍ୱ ନେଇଥିଲେ ଓ ଧାନ ସଂଗ୍ରହ କ୍ଷେତ୍ରରେ ଏକ ବିକେନ୍ଦ୍ରୀକରଣ ରାଜ୍ୟ ହୋଇଗଲେ । ପ୍ରକୃତ କଥା
ହେଉଛି ଓଡିଶା ସରକାର ସେହି କାମ କରୁଛନ୍ତି ଯାହା ବିଜେପି ଦଳ ଦ୍ୱାରା ପରିଚାଳିତ କେନ୍ଦ୍ର ସରକାର କରିବା କଥା । ଏହି
ସତ୍ୟ ଜାଣି ବି ଓଡିଶା ବିଜେପି ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇ ରାଜ୍ୟବାସୀଙ୍କୁ ଧାନ କିଣା ସଂକ୍ରାନ୍ତରେ ବିଭ୍ରାନ୍ତ କରିବାରେ
ଲାଗିଛି ।
ପ୍ରଥମ ପ୍ରସଙ୍ଗ ହେଉଛି ଖାଦ୍ୟ ସବସିଡ୍‍ ବାବଦରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ଅର୍ଥ ପାଇବାକୁ
ଥିବାବେଳେ ଭାରତ ସରକାର ବର୍ତ୍ତମାନ ସୁଦ୍ଧା ତାହା ପ୍ରଦାନ କରୁନାହାନ୍ତି । ୨୦୨୦-୨୧ ଖରିଫ ଋତୁରେ ଓଡିଶା ସରକାର
୭୭.୩୩ ଲକ୍ଷ ମେଟ୍ରିକ ଟନ୍‍ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରିଛନ୍ତି ଯାହାର ମୂଲ୍ୟ ହେଉଛି ୧୪,୪୪୬ କୋଟି ଟଙ୍କା ।
ଭାରତ ସରକାର ଚଳିତ ଖରିଫ ଋତୁରେ ଖାଦ୍ୟ ସବ୍‌ସିଡ୍‍ ବାବଦରେ ୩୮୨୪ କୋଟି ଟଙ୍କା ପ୍ରଦାନ କରିଛନ୍ତି ଏବଂ
ଭାରତୀୟ ଖାଦ୍ୟ ନିଗମ ୨୯୩୫ କୋଟି ଟଙ୍କା ପାଇଛି । ରାଜ୍ୟର ସବ୍‌ସିଡ୍‍ ବାବଦରେ ୧୧୧୭ କୋଟି ଟଙ୍କାକୁ ବାଦ୍‍
ଦେଲେ ଅନାଦେୟ ବ୍ୟାଙ୍କ ଋଣ ବାବଦରେ ୬୫୭୦କୋଟି ଟଙ୍କା ବାକିଆ ପଡି ରହିଛି । ଖାଦ୍ୟ ସବ୍‌ସିଡ୍‍ ବାବଦରେ ଦୀର୍ଘ
ଦିନ ଧରି ବାକିଆ ଗଡୁଥିବା ୬୫୭୦ କୋଟି ଟଙ୍କା ତୁରନ୍ତ କେନ୍ଦ୍ର ସରକାର ପ୍ରଦାନ ଲାଗି ଆମେ ଦାବି କରୁଛୁ ବୋଲି
କହିଛନ୍ତି ଶ୍ରୀମତୀ ଛୁରିଆ ଓ ଶ୍ରୀମତୀ ମିଶ୍ର ।
ଦ୍ୱିତୀୟ ପ୍ରସଙ୍ଗ ହେଉଛି ବଳକା ଚାଉଳ ଉଠାଇବା । ଓଡିଶା ନିକଟରେ ଥିବା ବଳକା ପ୍ରାୟ ୨୦ ଲକ୍ଷ ମେଟ୍ରିକ ଟନ୍‍
ଚାଉଳକୁ କେନ୍ଦ୍ର ସରକାର ଉଠାଇବା ଆବଶ୍ୟକ । କେନ୍ଦ୍ର ସରକାର ମାତ୍ର ୧୩ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଉଠାଇଥିବାବେଳେ
ଆଉ ୭ ଲକ୍ଷ ଚାଉଳ ବର୍ତ୍ତମାନ ସୁଦ୍ଧା ପଡି ରହିଛି । ତୁରନ୍ତ ଏହି ବଳକା ୭ ଲକ୍ଷ ମେଟ୍ରିକ ଟନ୍‍ ଚାଉଳକୁ କେନ୍ଦ୍ର ସରକାର
ଉଠାଇବା ପାଇଁ ବିଜେଡି ଦାବି କରିଛି ।
ତୃତୀୟ ପ୍ରସଙ୍ଗ ହେଉଛି ଓଡିଶାରେ ଥିବା ବଳକା ଧାନ ଉଠାଇବା ପାଇଁ ସମୟସୀମା ବୃଦ୍ଧି ବିଷୟରେ । ବିଭିନ୍ନ
କାରଣ ଯୋଗୁଁ ଖରିଫ ଧାନ ସଂଗ୍ରହ ସମୟ ଅବଧି ୩୦ ଜୁନ୍‍ ୨୦୨୧ରୁ ୩୦ ସେପ୍ଟେମ୍ବର ୨୦୨୧କୁ ବଢାଇବା ପାଇଁ
ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର
ଏହାକୁ କେବଳ ଗୋଟିଏ ମାସ ପାଇଁ ଅର୍ଥାତ୍‍ ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ବଢାଇଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ
ଏବଂ ଚାଷୀ ବିରୋଧି ବୋଲି ବିଜେଡି ନେତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଖରିଫ ଧାନ ସଂଗ୍ରହ ସମୟସୀମାକୁ ଓଡିଶା
ସରକାରଙ୍କ ଅନୁରୋଧ ଅନୁଯାୟୀ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି କରାଯାଉ ।
ଚତୁର୍ଥ ପ୍ରସଙ୍ଗଟି ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଧାନ ସଂଗ୍ରହ ସମୟକୁ ମଞ୍ଜୁରୀ ପ୍ରଦାନ । ଖରିଫ ଧାନ ସଂଗ୍ରହ
ପାଇଁ ଟୋକନ ଅବଧି ୩୦ ଦିନ । ରବି ଧାନ ସଂଗ୍ରହ ପାଇଁ ଏହା ୧୫ ଦିନ । ରବି ଧାନ ସଂଗ୍ରହ ସୀମିତ ସମୟ ଦୁଇ ମାସ
ପାଇଁ କରାଯାଏ ଏବଂ ଏହାର କାରଣ ହେଉଛି ଟୋକନ ବୈଧତା ଅବଧି ୧୫ ଦିନ ପାଇଁ ସୀମିତ । ଖରିଫ ଧାନ ସଂଗ୍ରହ
ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ହେଉଥିବାବେଳେ ରବି ଧାନ ମଇରୁ ଜୁନ୍‍ ମଧ୍ୟରେ ହୋଇଥାଏ । ଧାନ ସଂଗ୍ରହ ପୂର୍ବରୁ ଭାରତ
ସରକାର ଏହି ସମୟକୁ ଅନୁମୋଦନ କରିଥାନ୍ତି ।
ଯେତେବେଳେ ଧାନ ସଂଗ୍ରହ ପାଇଁ ଟୋକନ ପ୍ରଦାନ ଆଧାରରେ ଭାରତ ସରକାର ଧାନ ସଂଗ୍ରହ ଅବଧି
ଅନୁମୋଦନ କରୁଛନ୍ତି ସେତେବେଳେ ଓଡିଶା ବିଜେପି କାହିଁକି ଓଡିଶାର ଚାଷୀ ଓ ଲୋକଙ୍କୁ ଏହା ଓଡିଶା ସରକାରଙ୍କ ଦାୟିତ୍ୱ
କହି ବିଭ୍ରାନ୍ତ କରୁଛି ବୋଲି ବିଜେଡି ନେତ୍ରୀ ପ୍ରଶ୍ନ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ବଜେଡି ନେତ୍ରୀ ଦାବି କରିଛନ୍ତି ଯେ ଭାରତ ସରକାର ତୁରନ୍ତ ବାକି ଥିବା ଖାଦ୍ୟ ସବ୍‌ସିଡ୍‍
ଅର୍ଥ ଓଡିଶାକୁ ମଞ୍ଜୁର କରିବା ସହିତ ବଳକା ୭ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ରାଜ୍ୟରୁ ଉଠାନ୍ତୁ । ଏଥି ସହିତ ଓଡିଶାରୁ ଖରିଫ
ଧାନ ସଂଗ୍ରହ ସମୟ ଅବଧିକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ବିଜେପି ନେତାମାନେ ମିଥ୍ୟା ଓ ମନଗଢା
ଅଭିଯୋଗ ବନ୍ଦ କରିବା ସହିତ ଧାନ କିଣା ସମୟ ଅବଧି ସଂକ୍ରାନ୍ତରେ ଓଡିଶା ସରକାରଙ୍କର କୌଣସି ଭୂମିକା ନାହିଁ ଏବଂ
ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରୁଥିବା ସଂକ୍ରାନ୍ତରେ ଲୋକଙ୍କୁ ସତ କୁହନ୍ତୁ ।
ବିଗତ ଦୁଇବର୍ଷ ମଧ୍ୟରେ ୩.୮୩ ଲକ୍ଷ ନୂଆ ଚାଷୀ ଧାନ କିଣା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଯାହାକି ୩୮
ପ୍ରତିଶତ ଅଭିବୃଦ୍ଧି ଅଟେ । ସେହିଭଳି ଦୁଇ ବର୍ଷରେ ୧୮ ପ୍ରତିଶତ ଅଧିକ ପରିମାଣ ଧାନ ସଂଗ୍ରହ ହୋଇଛି । ଏହା କେବଳ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ଓଡିଶା ସରକାରଙ୍କ ଚାଷୀ ଅନୁକୂଳ ଖରିଦ ନୀତି ପାଇଁ
ସମ୍ଭବପର ବୋଲି ବିଜେଡି ନେତ୍ରୀ କହିଛନ୍ତି ।
ଶେଷରେ ବିଜେଡି ନେତ୍ରୀ କହିଛନ୍ତି ଯେ ବିଜେପି ନେତାମାନେ କୁମ୍ଭୀର କାନ୍ଦଣା ବନ୍ଦ କରି କେନ୍ଦ୍ର ସରକାର କିଭଳି
ଓଡିଶାର ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି ତାହାର ସତ୍ୟାସତ୍ୟ ଲୋକଙ୍କ ଆଗରେ ରଖନ୍ତୁ । ବିଜେପି
ପରିଚାଳିତ କେନ୍ଦ୍ର ସରକାର ଧାନ ସଂଗ୍ରହ ଓ ଚାଉଳ ଉଠାଣ କ୍ଷେତ୍ରରେ ଓଡିଶା ଚାଷୀମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ
କରୁଥିବାବେଳେ ଚାଷୀ ବିରୋଧି ଏବଂ ଜନ ବିରୋଧି ମନ୍ତବ୍ୟ ଦେବା ବଦଳରେ ବିଜେପି ନେତାମାନେ ସତ୍ୟ କହିବା
ଆରମ୍ଭ କରନ୍ତୁ । ଓଡିଶା ଚାଷୀଙ୍କ ପ୍ରତି ଏଭଳି ଅବହେଳା ପ୍ରତିବାଦରେ ବିଜେଡି ପକ୍ଷରୁ ଆସନ୍ତା ୨୦ ତାରିଖରେ ଭାରତୀୟ
ଖାଦ୍ୟ ନିଗମର ଦପ୍ତର ଓ ଗୋଦାମ ସମ୍ମୁଖରେ ପ୍ରତିବାଦ କରାଯିବ । ଭାରତୀୟ ଖାଦ୍ୟ ନିଗମ ଧାନ କିଣା କ୍ଷେତ୍ରରେ
ଆବଶ୍ୟକ ପଦକ୍ଷେପ ଗ୍ରହଣ ସହିତ କେନ୍ଦ୍ର ସରକାର ଓଡିଶାର ଦାବିଗୁଡିକୁ ତୁରନ୍ତ ମାନି ନେବାକୁ ସାମ୍ବାଦିକ ସମ୍ମିଳନୀରେ
ବିଜେଡି ନେତ୍ରୀଦ୍ୱୟ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking