ବିଜେଡି କୃଷକଙ୍କ ଦାବି ପୂରଣ ପର୍ଯ୍ୟନ୍ତ ଲଢେଇ ଜାରି ରଖିବ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‍ଏଫ୍‍ବିୱାଇ) ଦାବି ସମାଧାନ
ନହେବା କାରଣରୁ ଓଡିଶାର ଲକ୍ଷ ଲକ୍ଷ କୃଷକ ଯନ୍ତ୍ରଣା ଭୋଗୁଛନ୍ତି । ପିଏମ୍‍ଏଫ୍‍ବିୱାଇ ଅଧୀନରେ ବୀମା
କମ୍ପାନୀଗୁଡିକ ଦ୍ୱାରା ୧୦୦୦ କୋଟିରୁ ଅଧିକ ଟଙ୍କାର କ୍ଷତିପୂରଣ ଦାବି ସମାଧାନ ହୋଇନାହିଁ ବୋଲି କହିଛନ୍ତି
ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶାର ବରଗଡ, ସମ୍ବଲପୁର,
ସୋନପୁର, ଦେବଗଡ, ବଲାଙ୍ଗୀର, ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାର ଲକ୍ଷ ଲକ୍ଷ କୃଷକ ପିଏମ୍‍ଏଫବିୱାଇ ଦ୍ୱାରା
ପ୍ରଭାବିତ ହୋଇଛନ୍ତି । ସମଗ୍ର ଭାରତରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଫସଲ ବୀମା ପ୍ରିମିୟମ ବାବଦରେ ୧.୨୬ ଲକ୍ଷ
କୋଟି ଟଙ୍କା ଦିଆଯାଇଥିବାବେଳେ କ୍ଷତିପୂରଣ ବାବଦରେ ୮୭,୩୨୦ କୋଟି ଟଙ୍କା ମିଳିଛି । ବୀମା କମ୍ପାନୀଗୁଡିକ
ପିଏମ୍‍ଏଫ୍‍ବିୱାଇରେ ୪୦,୦୦୦ କୋଟି ଟଙ୍କା ରୋଜଗାର କରିଥିବାବେଳେ ଚାଷୀଙ୍କ ସ୍ୱାର୍ଥ ପ୍ରଭାବିତ ହୋଇଛି ।
ଓଡିଶାରେ ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୩୨୫୦.୪୮ କୋଟି ଏବଂ ଓଡିଶାର କୃଷକମାନେ
୧୦୦୯.୪୮ କୋଟି ଟଙ୍କା ବୀମା କମ୍ପାନୀଗୁଡିକୁ ପଇଠ କରିଛନ୍ତି । କେନ୍ଦ୍ରର ଅଂଶ ଯୋଗ କଲେ ୨୦୨୧ ଖରିଫ
ପର୍ଯ୍ୟନ୍ତ ମୋଟ ଦେୟ ହେଉଛି ୭୫୧୦.୮ କୋଟି ଟଙ୍କା । ଖରିଫ ୨୦୨୦ ପର୍ଯ୍ୟନ୍ତ, ବୀମା କମ୍ପାନୀମାନଙ୍କୁ
ପ୍ରିମିୟମ ବାବଦରେ ମୋଟ୍‍ ୬୧୬୩.୨୮ କୋଟି ଦିଆଯାଇଥିବାବେଳେ କୃଷକଙ୍କ କ୍ଷତିପୂରଣ ଦାବି ମୁତାବକ
ବୀମା କମ୍ପାନୀଗୁଡିକ ୫୦୯୮.୬୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହିପରି, ବୀମା କମ୍ପାନୀଗୁଡିକ ୧୦୬୪.୬୪
କୋଟି ଟଙ୍କା ଲାଭ କରିଛନ୍ତି ଯାହା କି ସମୁଦାୟ ପ୍ରିମିୟମ୍‌ର ୧୭.୨୭% ଅଟେ ।
ଓଡିଶାରେ ୨୦୧୮ ରୁ ୨୦୨୦ ମଧ୍ୟରେ କୃଷକମାନେ ଫସଲ ବୀମା ଦାବି ବାବଦରେ ୨୦୯୦ କୋଟି
ଟଙ୍କା ଦାଖଲ କରିଥିବାବେଳେ ବୀମା କମ୍ପାନୀଗୁଡିକ ଦାବିର ମାତ୍ର ୫୦% ଅର୍ଥାତ୍‍ ୧୦୨୬ କୋଟି ଟଙ୍କା ପ୍ରଦାନ
କରିଛନ୍ତି । ପିଏମ୍‍ଏଫ୍‍ବିୱାଇ ଅଧୀନରେ ଓଡିଶାର କୃଷକମାନେ ସେମାନଙ୍କର ବୀମା ଦାବି ଓ କ୍ଷତିପୂରଣ ପାଇବା
ନେଇ ବାରମ୍ବାର ହଇରାଣର ସମ୍ମୁଖୀନ ହେଉଛନ୍ତି ।
ଛଅଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ, ଝାଡଖଣ୍ଡ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର
ପିଏମ୍‍ଏଫ୍‍ବିୱାଇ ଗ୍ରହଣ କରିନାହାନ୍ତି ଏବଂ ବୀମାଭୁକ୍ତ ମୋଟ କ୍ଷେତ୍ର ୭୩ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି (୨୦୧୬-
୧୭ ରେ ୫୬୭ ଲକ୍ଷ ହେକ୍ଟରରୁ ୨୦୧୯-୨୦ ରେ ୪୯୫ ଲକ୍ଷ ହେକ୍ଟର) ।
କେନ୍ଦ୍ର ସରକାର ତାଙ୍କ ତ୍ରୁଟି ସୁଧାରିବା ସହିତ ଅସୁବିଧା ସମୟରେ କୃଷକମାନଙ୍କୁ ସାହାଯ୍ୟ କରିବାର ସମୟ
ଆସିଛି । ନୂତନ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଯେପରିକି ଡ୍ରୋନ୍ ସହାୟତାରେ ଶୀଘ୍ର ଦାବିଗୁଡିକର ଆକଳନକୁ
ନିଶ୍ଚିତ କରିବା ଏବଂ କେବଳ ସରକାରୀ ବୀମା କମ୍ପାନୀଗୁଡିକୁ ପିଏମ୍‍ଏଫ୍‍ବିୱାଇ ରେ ଅନୁମତି ଦେବା ଉଚିତ ଯାହା
ଦ୍ୱାରା କୃଷକଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ । ବିଜେଡି ସାଂସଦମାନେ ସଂସଦର ଉଭୟ ସଦନରେ ବାରମ୍ବାର ଏହି
ପ୍ରସଙ୍ଗକୁ ଉଠାଇଛନ୍ତି । କୃଷକମାନଙ୍କର ଦାବି ସମାଧାନ ନହେବା ପର୍ଯ୍ୟନ୍ତ ବିଜେଡି ତାହାର ସଂଗ୍ରାମ ଜାରି ରଖିବ
ବୋଲି ଡକ୍ଟର ପାତ୍ର କହିଛନ୍ତି ।
ସମୁଦାୟ କୃଷକଙ୍କ ଅଂଶଧନ = ୧୦୦୯.୮୪ କୋଟି ଟଙ୍କା
ମୋଟ ରାଜ୍ୟ ଅଂଶଧନ = ୩୨୫୦.୪୮ କୋଟି
ମୋଟ କେନ୍ଦ୍ର ଅଂଶଧନ = ୩୨୫୦.୪୮ କୋଟି
ମୋଟ ପ୍ରିମିୟମ୍ ପଇଠ = ୭୫୧୦.୮ କୋଟି
ମୋଟ ବୀମା ଅର୍ଥ ପ୍ରଦାନ = ୫୦୯୮.୬୪ କୋଟି ( ୨୦୨୦ଖରିଫ ପର୍ଯ୍ୟନ୍ତ)
ମୋଟ ପ୍ରିମିୟମ୍ ପଇଠ = ୬୧୬୩.୨୮ କୋଟି (୨୦୨୦ ଖରିଫ ପର୍ଯ୍ୟନ୍ତ)
ବୀମା କମ୍ପାନୀଗୁଡିକ କରିଥିବା ମୋଟ ଲାଭର ପରିମାଣ = ୧୦୬୪.୬୪ କୋଟି ଟଙ୍କା (ମୋଟ ପ୍ରିମିୟମ୍
ଅର୍ଥ ପଇଠ ୧୭.୨୭%)

LEAVE A REPLY

Please enter your comment!
Please enter your name here