34.1 C
Bhubaneswar
Friday, March 29, 2024
Homeଓଡିଶାବିଜେପିକୁ ମୁକାବିଲା କରିବାକୁ ଅଣ୍ଟା ଭିଡିଲା ବିଜେଡି

ବିଜେପିକୁ ମୁକାବିଲା କରିବାକୁ ଅଣ୍ଟା ଭିଡିଲା ବିଜେଡି

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆଣି ବିରୋଧୀ ଦଳ ପକ୍ଷରୁ ବେଶ କିଛି ଦିନ ହେଲା ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି । ମୁଖ୍ୟ ବିରୋଧୀ ଦଳ ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଚଲାଇବା ଆରମ୍ଭ କରିଦେଇଛି । କଂଗ୍ରେସ ପରେ ବିଜେପିର ମଧ୍ୟ କେନ୍ଦ୍ରୀୟ ଟିମ ଆସି ମମିତାଙ୍କ ଘରକୁ ଯାଇଛନ୍ତି । ବିଜେପି ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରିବା ପାଇଁ  ଯୋଜନା କଲା ପରେ ବିଜେଡି ଆଉ ନିରବରେ ବସିବାକୁ ଚାହିଁନାହିଁ । ବିଜେପିକୁ ଟାର୍ଗେଟ କରିବା ପାଇଁ ପାଲଟା ଆକ୍ରମଣ କରିବାକୁ ଅଣ୍ଟା ଭିଡିଛି । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ, ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଘଟି ଲୋକେ ଅତିଷ୍ଠ ହୋଇଥିବାରୁ ଏହି ପ୍ରସଙ୍ଗକୁ ନେଇ ଜନମତକୁ ବିଜେପି ବିରୋଧୀ କରିବା ପାଇଁ ବିଜେଡି ବାହାରିଛି । ଏନେଇ ଦଳ ପକ୍ଷରୁ ଆଜି ଘୋଷଣା କରାଯାଇଛି । ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ବିଜେଡି ବାହାରିଛି ।

ମମିତା ହତ୍ୟା ଘଟଣାରେ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ବିଜେପି ଆନ୍ଦୋଳନକୁ ଜୋରଦାର କରିଛି । ଦୈନିକ ଆନ୍ଦୋଳନ ଜାରି ରଖିଛି । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଆନ୍ଦୋଳନ କରି ବନ୍ଦ ଡାକରା ଦେଉଛି । ଏସପି ଅଫିସ ଘେରାଉ କାର୍ଯ୍ୟକ୍ରମ ଜାରି ରଖିଛି । ଏହି ସମୟରେ କେତେକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେବାକୁ ଲାଗିଲାଣି । ପୁଣି  ଯୋଜନା କରିଛି ଯେ ରାଜ୍ୟର ସବୁ ଥାନା ଆଗରେ ବିକ୍ଷୋଭ କରିବ । ପଂଚୟତ ନିର୍ବାଚନ ଆସୁଥିବାରୁ ଏହାକୁ ଏକ ସୁଯୋଗ ମନେ କରି ବିଜେପି ଆନ୍ଦୋଳନକୁ ରାଜ୍ୟସ୍ତରରେ ସୀମିତ ନରଖି ତଳସ୍ତରକୁ ନେବାକୁ ଚାହିଁଛି । ବିଜେପି ବେଶ କିଛି ଦିନ ହେଲା କଳାହାଣ୍ଡି ବଲାଙ୍ଗୀରଠୁ ଆରମ୍ଭ କରି ସବୁ ଜିଲ୍ଲାରେ ଆନ୍ଦୋଳନ ଚଳାଇଥିବା ବେଳେ ବିଜେଡି କେବଳ ରାଜ୍ୟସ୍ତରରେ ଏହାକୁ ବିବୃତି ଦେଇ ଖଣ୍ଡନ କରୁଥିଲା । ଗତକାଲି ବିଜେପିର କେନ୍ଦ୍ରୀୟ ମହିଳା ନେତ୍ରୀମାନେ ଏ ପ୍ରସଙ୍ଗକୁ ନେଇ ଓଡିଶା ଆସିବା ପରେ ବିଜେଡି ଆଉ ଚୁପ ହୋଇ ବସିବାକୁ ଚାହିଁଲା ନାହିଁ । କେନ୍ଦ୍ର ବିରୋଧରେ ନିରବ ଥିବା ବିଜେଡି ଦରଦାମକୁ ପ୍ରସଙ୍ଗ କରିବାକୁ ଚାହିଁଛି । ଅତୀତରେ ଦଶ ପଇସା ପନ୍ଦର ପଇସା ତୈଳ ଦର ବୃଦ୍ଧି ହେଉଥିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଥିଲା । ଅବଶ୍ୟ ସେତେବେଳେ ଦୁଇ ଦଳ ମଧ୍ୟରେ ମଝିରେ ଯେଉଁ ତିକ୍ତତା ସୃଷ୍ଟି ହୋଇଥିଲା ତାକୁ ନେଇ ବିଜେଡି ଏହି କାର୍ଯ୍ୟକ୍ରମ ଗ୍ରହଣ କରୁଥିଲା । ଏବେ ପେଟ୍ରୋଲ, ଡିଜେଲ ଦର ବଢି ବଢି ୧୦୦ ଟଙ୍କା ଉପରକୁ ଛୁଇଁଥିଲେ ବି ବିଜେଡି ନିରବ ରହିଥିଲା । କେନ୍ଦ୍ର ବିରୋଧରେ କୌଣସି ଆନ୍ଦୋଳନ କରୁନଥିଲା । ଲୋକେ ତ୍ରାହି ତ୍ରାହି ଡାକିଲେ ବି ବିଜେଡି ନିରବ ରହିଥିଲା । କିନ୍ତୁ ଯେତେବେଳେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମମିତା ପ୍ରସଙ୍ଗରେ ମହିଳା କେନ୍ଦ୍ରୀୟ ଟିମ ପଠାଇଲେ ସେତେବେଳେ ଆଉ ବିଜେଡି ନିରବ ରହିବାକୁ ଉଚିତ ମନେ କଲାନାହିଁ । ବିଜେଡି ବିରୋଧରେ ଯେତେବେଳେ କେନ୍ଦ୍ରୀୟ ବିଜେପି ସ୍ୱର ଉଠାଇଛି ଆଉ ନିରବ ରହି ଦେଖଣାହାରି ସାଜିବା ବିଜେଡି ନେତୃବୁନ୍ଦ ଉଚିତ ମନେ କଲେନାହିଁ ।

ବିଜେପି ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଦୋଳନକୁ ଯେଉଁ ସ୍ତରକୁ ନେଲାଣି ଓ ଆଗକୁ ନେବାକୁ ଯାଉଛି, ସେ କ୍ଷେତ୍ରରେ ନିରବ ରହିଲେ ଦଳ ପାଇଁ କ୍ଷତିକାରକ ହେବ ବୋଲି ବିଜେଡି ନେତାମାନେ ବିବେଚନା କରିଛନ୍ତି । ଦରଦାମ ବୃଦ୍ଧି  ଯୋଗୁ ସାଧାରଣ ଜନତା ଅତିଷ୍ଠ ହୋଇ ରହିଛନ୍ତି । ପ୍ରକୃତରେ କେବେ ବି ଏଭଳି ସ୍ଥିତି ହୋଇନଥିଲା । କେନ୍ଦ୍ର ସରକାର ଏହି ପରିସ୍ଥିତି ପ୍ରତି ଏକପ୍ରକାର ଆଖି ବୁଜି ଦେଇଛନ୍ତି । ଏଣୁ ଜନମତକୁ ବିଜେପି ବିରୋଧରେ ଶାଣିତ କରିବା ପାଇଁ ବଡ ସୁଯୋଗ ବୋଲି ବିଜେଡି ଭାବିଛି । ସେଥିପାଇଁ ଦଳ ପକ୍ଷରୁ ଘୋଷଣା କରାଯାଇଛି ଆସନ୍ତା କାଲିଠାରୁ ସେମାନେ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନକୁ ବାହାରିବେ । ରବିବାର ରାଜଭବନ ସମ୍ମୁଖରେ ଗଣଧାରଣା ଦେବେ । ସୋମବାରଠାରୁ ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟାୟକ୍ରମେ ଆନ୍ଦୋଳନ କରିବେ । ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଡିଓଙ୍କୁ ସ୍ମାରକପତ୍ର ଦେବାର କାର୍ଯ୍ୟକ୍ରମ ରଖିଛନ୍ତି । ଦରଦାମ ବୃଦ୍ଧି  ଯୋଗୁ ସବୁ କ୍ଷେତ୍ରର ଲୋକେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାକୁ ବିଜେପି ବିରୋଧରେ ଅସ୍ତ୍ର କରିବା ପାଇଁ ବିଜେଡି ବାହାରିଛି । ପଂଚାୟତ ନିର୍ବାଚନ ପାଇଁ ମଧ୍ୟ ଏହା ଦଳକୁ ଫାଇଦା ଦେବ ବୋଲି କୁହାଯାଉଛି ।

ବିଜେପିକୁ ଟକ୍କର ଦେବା ପାଇଁ ବିଜେଡିର ଏହା ଉଦ୍ୟମ ବୋଲି କୁହାଯାଉଛି । ମମିତା ଘଟଣାକୁ ନେଇ ବିଜେପି ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଁଥିବାରୁ ତାର ଜବାବ ଦେବାକୁ ବିଜେଡି ବାହାରିଥିବା କୁହାଯାଉଛି । ଅନେକଦିନ ଧରି ବିଜେଡି କେନ୍ଦ୍ର ବିରୋଧୀ ସ୍ୱରକୁ ନରମ ରଖିଥିଲା । ଏକପ୍ରକାର ନିରବ ରହିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଏବେ  ଯେତେବେଳେ ବିଜେଡି ବିରୋଧରେ ବିଜେପି ଖୋଲା ସ୍ୱର ଉତ୍ତୋଳନ କରି ବାହାରିଛି ସେତେବେଳେ ନିରବ ରହିଲେ ଲୋକଙ୍କ ପାଖକୁ ଦଳ ବିରୋଧରେ ଏକ ଭୁଲ ବାର୍ତ୍ତା ଯିବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀକୁ କ୍ଷୁର୍ଣ୍ଣ କରିବା ପାଇଁ ବିଜେପି  ଯେଉଁ ପ୍ରୟାସ ଚଳାଇଛି ତାର ଜବାବ ନଦେଲେ ଭବିଷ୍ୟତରେ ହୁଏତ କ୍ଷତିକାରକ ହୋଇପାରେ ବୋଲି ବିଜେଡି ନେତାମାନେ ବିଚାର କରିଛନ୍ତି । ଫଳରେ ଆଉ ବେଶି ଡେରି ନକରି ତୁରନ୍ତ ମୁକାବିଲା ମନୋଭାବ ପୋଷଣ କରିବାକୁ ବିଜେଡି ଆଗେଇ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking