କାଟଖାଇଲା ଧଡାସାହି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କିନ୍ତୁ ପଦାରେ ପଡ଼ିଲା ବିଜେଡି ଗୋଷ୍ଠୀ ବିବାଦ

ମୋରଡ଼ା: ମୋରଡ଼ା ବ୍ଲକରେ ବିଜେଡି ଦୁଇଫାଳ ଧଡାସାହି ପଞ୍ଚାୟତରେ ପ୍ରମାଣିତ ହୋଇଥିବା ଦେଖିବାକୁ ମିଳିଛି। ଗୋଟେପଟେ ନବୀନ ବିଜେଡି ତୋ ଅନ୍ୟପଟେ ବିଧାୟକ ରାଜୁ ବିଜେଡି ମଧ୍ୟରେ ଟକ୍କର। ତେବେ ସାଧାରଣ ନିର୍ବାଚନ ପରେ କଂଗ୍ରେସରୁ ଆସି ବିଧାୟକ ରାଜୁ ଦାସଙ୍କ ନେତୃତ୍ବରେ ବିଜେଡିରେ ସାମିଲ ହୋଇଥିବା ସମର୍ଥକଙ୍କୁ ପ୍ରାଧାନ୍ୟ ଦେଇ ମୂଳ ବିଜେଡିକୁ ଉପେକ୍ଷା କରି ଆସୁଥିବା ଅଭିଯୋଗ ହୋଇ ଆସୁଛି । ହେଲେ ଏହି ଗୋଷ୍ଠୀ ସହିତ ସରପଞ୍ଚଙ୍କ ଗୋଷ୍ଠୀ ମଧ୍ୟରେ ପ୍ରାୟତଃ ଟଣା ଓଟରା ଲାଗିରହିଥିବା ବେଳେ ଉଭୟ ପକ୍ଷକୁନେଇ ସମାଧାନ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ ବିଧାୟକ। ଯାହା ଏବେ ଅନାସ୍ଥା ପ୍ରସ୍ତାବରେ ପହଞ୍ଚି ଶେଷ ହୋଇଛି। ହେଲେ ଆଗତ ଅନାସ୍ଥା ପ୍ରସ୍ତାବ ଭୋଟରେ ସଭ୍ୟ ଓ ସଭ୍ଯା ମାନଙ୍କର ଅନୁପସ୍ଥିତି ଯୋଗୁଁ ସରପଞ୍ଚଙ୍କ ନେତୃତ୍ବର ବିଜୟ ଘଟିବା ସହିତ ସରକାରୀ ବିଜେଡିଦଳର ବିଧାୟକଙ୍କ କ୍ଷମତାର ପ୍ରଥମ ପରାଜୟ ଘଟିଥିବା ଚର୍ଚ୍ଚା ହେଉଛି। ଯାହା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଧିକ କ୍ରିୟାଶୀଳ ହେବାର ପୂର୍ବ ସୂଚନା ବୋଲି ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଧଡାସାହି ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଆଲୋଚନା ସହ ଭୋଟ ଗ୍ରହଣ ହେବାନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପଞ୍ଚାୟତ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ଧଡାସାହି ପଞ୍ଚାୟତରେ ଓ୍ବାର୍ଡମେମ୍ବର ମାନଙ୍କର ଅନୁପସ୍ଥିତି ଫଳରେ ଅନାସ୍ଥା ପ୍ରସ୍ତାବ ଆଲୋଚନା କୋରମ ଅଭାବରୁ କାଟ ଖାଇଥିଲା। ତେବେ ଧଡାସାହି ଗ୍ରାମ ପଞ୍ଚାୟତରେ ଥିବା ମୋଟ ୧୧ଟି ଓ୍ବାର୍ଡ ମଧ୍ୟରୁ ୨ଟି ଓ୍ବାର୍ଡର ସଭ୍ୟ ପଦ ଖାଲି ପଡିଥିବାରୁ ୯ ଜଣ ଓ୍ବାର୍ଡ ସଭ୍ୟ ସଭ୍ଯାଙ୍କ ମଧ୍ୟରୁ ୭ ଜଣ ଜୁଲାଇ ୨୩ ତାରିଖରେ ସଦର ଉପଖଣ୍ଡ ବାରିପଦା ଉପଜିଲ୍ଲାପାଳଙ୍କ ନିକଟରେ ସରପଞ୍ଚ ରାଉଁଦେ ଟୁଡୁ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଅଭିଯୋଗ ଥିଲା ଦୀର୍ଘଦିନ ଧରି ଏହି ପଞ୍ଚାୟତରେ ଓ୍ବାର୍ଡ ସଭ୍ୟସଭ୍ଯାଙ୍କୁ ସରପଞ୍ଚ ଅଣଦେଖା କରି କାର୍ଯ୍ୟ କରିବା, ସରପଞ୍ଚଙ୍କ ସ୍ବାମୀ ସରପଞ୍ଚ ଦାୟିତ୍ୱ ତୁଲାଇବା, ସରକାରୀ ଚିଠିପତ୍ର ଗୋପନ ରଖିବା ଓ ଗ୍ରାମ ପଞ୍ଚାୟତ ଦ୍ଵାରା ହେଉଥିବା ଉନ୍ନୟନମୂଳକ କାର୍ଯ୍ୟକୁ ମୋଟା ଟଙ୍କାରେ ବିକ୍ରି କରିବା ଅଭିଯୋଗରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଏହି ଅନାସ୍ଥା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଆ ଗ୍ରାମପଞ୍ଚାୟତ ଆଇନ ୧୯୬୪ ର ଧାରା ୨୪ ଅନୁଯାୟୀ ନଭେମ୍ବର ୨ତାରିଖ ଦିନ ୧୧ଟା ସମୟରେ ଧଡାସାହି ଗ୍ରାମ ପଞ୍ଚାୟତ କାର୍ଯ୍ଯାଳୟରେ ଅନାସ୍ଥାପ୍ରସ୍ତାବ ସମ୍ପର୍କରେ ଏକ ସ୍ବତନ୍ତ୍ର ବୈଠକରେ ଆଲୋଚନା ସହ ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳ ନୋଟିସ କରିବା ସହିତ ମୋରଡା ତହସିଲଦାର ପ୍ରିୟଦର୍ଶିନୀ ମଲ୍ଲିକ, ରାସଗୋବିନ୍ଦପୁର ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁଙ୍କୁ ଅନାସ୍ଥା ଭୋଟ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନାସ୍ଥା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୋରଡା ପୋଲିସ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଜାଗ ରହିଥିବା ଦେଖିବାକୁ ମିଳିଥିଲା , ସେହିପରି ଧଡାସାହି ସରପଞ୍ଚ, ପିଇଓ ପଞ୍ଚାୟତରେ ଦୀର୍ଘସମୟ ଉପସ୍ଥିତ ରହିଥିଲେ ମଧ୍ୟ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ଓ୍ବାର୍ଡ ସଭ୍ୟ ଓ ସଭ୍ଯା ମାନଙ୍କର ଅନୁପସ୍ଥିତି ଯୋଗୁଁ କୋରମ ଅଭାବରୁ ବୈଠକ ବାତିଲ ହୋଇଥିଲା। ତେବେ ଓ୍ବାର୍ଡ ସଭ୍ୟ ଓ ସଭ୍ଯା ମାନଙ୍କର ଅନୁପସ୍ଥିତି ପରୋକ୍ଷରେ ସୂଚାଉଛି କି ଅନ୍ୟ କାହାଦ୍ୱାରା ପ୍ରଭାବିତ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି।ଅନ୍ୟପଟେ ସରପଞ୍ଚଙ୍କ ବିରୋଧରେ ଆଗତ ଅଭିଯୋଗକୁ ଭୁଲ ପ୍ରମାଣିତ କରି ସରପଞ୍ଚଙ୍କ ନେତୃତ୍ୱକୁ ସମର୍ଥନ କରିଛନ୍ତି। ତେବେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ଯବସ୍ଥା ଗ୍ରହଣ କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ମୁତୟନ ରହିଥିଲା। ଆଜିର ଘଟଣାକୁ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରାଗଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ ବିଜେଡି ଦଳର ମୋରଡା ବିଧାୟକ ସମର୍ଥକଙ୍କ ଏହା ଏକ ଭୁଲ ନିଷ୍ପତ୍ତି ଯାହା ପରୋକ୍ଷରେ ବିଧାୟକଙ୍କ ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ପରାଜୟର ଏହା ପ୍ରଥମ ପାହାଚ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here