ସିଏଏ କୁ ନେଇ ଦେଶରେ ଅଶାନ୍ତ ବାତାବରଣ ଲାଗି ବିଜେପିକୁ ଦାୟୀ କଲା ବିଜେଡି

ଭୁବନେଶ୍ୱର : ନାଗରିକ ସଂଶୋଧନ ଆକ୍ଟ (ସିଏଏ)କୁ ନେଇ ସମଗ୍ର ଦେଶରେ ବିରୋଧୀଙ୍କ ପକ୍ଷରୁ ସ୍ୱର ଉଠାଯାଇଛି । ବିଭିନ୍ନ ସମୟରେ ହିଂସାକାଣ୍ଡ ମଧ୍ୟ ଘଟିଛି । ଏଭଳି ସ୍ଥିତିରେ ବିଜେପି ବିରୋଧୀ ଭାବରେ ନିଜକୁ ପ୍ରତିପାଦିତ କରୁଥିବା ବିଜେଡି ସିଏଏ କୁ ସମର୍ଥନ କରିଛି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ବିଜେପି ସମାଲୋଚନା କରୁନଥିଲା । ଦେଶରେ ହିଂସା ଦେଖାଦେଇଥିଲେ ବି ବିଜେଡି ନିରବ ରହିଥିଲା । ଦେଶରେ ଆନ୍ଦୋଳନ ଦେଖାଦେଇଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ବିଜେପି ଆଜି ଠାରୁ ଜନଜାଗରଣ ଅଭିଯାନ ଆରମ୍ଭ କରିଛି । ବିଜେପିର ଏହି କାର୍ଯ୍ୟକୁ ବିଜେଡି ଏବେ କଟାକ୍ଷ କରିବା ଦେଖାଦେଇଛି । ଏଭଳି ଜନସଚେତନତା ବିଜେପି ଆରମ୍ଭରୁ କରିବାର ଥିଲା ବୋଲି ବିଜେଡି ମତରଖିଛି । ବିଜେଡିର ଏହି ମତକୁ ଏବେ ରାଜନୈତିକ ମହଲରେ ବେଶ ଗୁରୁତ୍ୱ ଦିଆଯାଉଛି । ହଠାତ ବିଜେଡି ଏହି ପ୍ରସଙ୍ଗରେ ସମାଲୋଚନା କରିବା ବେଶ ତାତ୍ପର୍ଯ୍ୟ ପୁର୍ଣ୍ଣ ବୋଲି କୁହାଯାଉଛି ।
ବିଜେପି ପକ୍ଷରୁ ଆଜି ଠାରୁ ଯେଉଁ ଜନଜାଗରଣ ଅଭିଯାନ ଆରମ୍ଭ କରାଯାଇଛି ସେଥିରେ ଓଡ଼ିଶାର ମଧ୍ୟ କାର୍ଯକ୍ରମ ଗ୍ରହଣ କରାଯାଇଛି । ପୁରୀ ଓ କେନ୍ଦ୍ରାପଡ଼ାରେ କେନ୍ଦ୍ରମନ୍ତ୍ରୀ ଆସି କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ବିଜେପିର ଏହି କାର୍ଯ୍ୟକ୍ରମକୁ ନେଇ ବିଜେଡି ଲୋକସଭା ସଂସଦୀୟ ଦଳର ନେତା ସାଂସଦ ପୀନାକି ମିଶ୍ର କଟାକ୍ଷ କରି କହିଛନ୍ତି, ଗୃହରେ(ପାର୍ଲାମେଂଟ) ଆମେ ସିଏଏ କୁ ସମର୍ଥନ କରୁଛୁ । ମୁଖ୍ୟମନ୍ତ୍ରୀ ସ୍ପଷ୍ଟଭାବେ କହିଛନ୍ତି ଏନଆରସିକୁ ଓଡ଼ିଶା ସମର୍ଥନ କରିବ ନାହିଁ । ଏନଆରସି ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ସିଏଏ ଭାରତର ନାଗରିକଙ୍କ ପାଇଁ କୌଣସି ବିପଦ ଆଣିବ ନାହିଁ । ଏନଆରସି ସମସ୍ୟା ସୃଷ୍ଟି କରିବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ସ୍ପଟଭାବେ ମନା କରିଛନ୍ତି । ବିଜେପି ଯେଉଁ ଜନଜାଗରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ତାହା ଉପରେ ପୀନାକି କହିଛନ୍ତି ବିଜେପି ଏହି କାର୍ଯ ଆଗରୁ କରିବାର ଥିଲା । ବିଜେପି ଜନସଚେତନତା କାର୍ଯ୍ୟକ୍ରମ ନ କରି ଯେପରି ଆଗେଇ ଚାଲିଛି ସେଥିପାଇଁ ସବୁ ସମସ୍ୟା ଦେଖା ଦେଇଛି ।
ପିନାକୀଙ୍କ ଏହି ମତର ସୁଦର ପ୍ରସାରି ପ୍ରଭାବ ରହିଛି । ଏଥିରେ କୁହାଯାଉଛି ବିଜେଡି ସମ୍ପୂର୍ଣ୍ଣଭାବେ ବିଜେପିକୁ ସମର୍ଥନ କରୁଛି ବୋଲି ଯେଉଁ ଧାରଣା ସୃଷ୍ଟି ହେଉଛି ତାହାକୁ ଭାଙ୍ଗିବା ପାଇଁ ବୋଧହୁଏ ପୀନାକି ଏଭଳି ସମାଲୋଚନା ମୁଳକ ମତ ରଖିଛନ୍ତି । ବିଜେପିର ସବୁ କାର୍ଯ୍ୟରେ ବିଜେଡି ହଁ ଭରିବ ଏକଥା ଭୁଲ ବୋଲି ଜଣାଇବାକୁ ପୀନାକି ଉଦ୍ୟମ କରିଥିବା କୁହାଯାଇଛି । ଦେଶରେ ସିଏଏକୁ ନେଇ ଯେଉଁଭଳି ଆନ୍ଦୋଳନ ଦେଖାଦେଇଛି ସେଥିପାଇଁ ବିଜେଡି ସିଧାସଳଖ ବିଜେପିକୁ ଦାୟୀ କରିଛି । ସିଏଏ ଲାଗୁ କରିବା ପୂର୍ବରୁ ବିଜେପିକୁ ଏହା ସପକ୍ଷରେ ଜନସଚେତନତା ସୃଷ୍ଟି କରିବାର ଥିଲା । ସିଏଏ ଆଣିବା ପୂର୍ବରୁ ଯଦି ବର୍ତମାନର ପଦକ୍ଷେପ ଭଳି ଜନଜାଗରଣ ସୃଷ୍ଟି କରଯାଇ ଥାଆନ୍ତା ତେବେ ଆଜି ଦେଶରେ ଏଭଳି ହିଂସା ଦେଖାଯାଇ ନଥାଆନ୍ତା ବୋଲି ବିଜେଡି ଦର୍ଶାଇବାକୁ ଚାହୁଁଛି ।
ପୀନାକି ବିଜେଡି ସଂସଦୀୟ ଦଳର ନେତା ହେଉଥିବାରୁ ତାଙ୍କର ମତକୁ ବିଜେଡିର ମତ ବୋଲି ବୁଝିବାକୁ ହେବ । ଏଣୁ ଦେଶରେ ସିଏଏକୁ ନେଇ ଯେଉଁ ବିରୋଧ ଓ ହିଂସା ଚାଲିଛି ବିଜେଡି ତାହାକୁ ସହଜରେ ଗ୍ରହଣ କରିପାରୁ ନାହିଁ । ପ୍ରଥମେ ସମର୍ଥନ ଦେଇସାରିଥିବାରୁ ଦଳ ଆଉ ପଛକୁ ଫେରିଲେ ସମାଲୋଚନାର ଶୀକାର ହେବ । ଦଳ ଯେଉଁ ଅଜଣା ବିପଦର ଆଂଶଙ୍କା କରି ବିଜେପିର ସବୁ ହଁ ରେ ହଁ ଭରୁଛି ତାହା ଓଲଟା ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ମାପିଚୁପି ପଦକ୍ଷେପ ନେଉଛି । ଦରକାର ପଡ଼ିଲେ ଯେପରି ଖସିଯାଇହେବ ସେଥିପାଇଁ ବିରୋଧୀ ଭୂମିକା ଗ୍ରହଣ କରିବା ପାଇଁ ଜୋର ଦାର ନହେଲେ ବି ବିଜେଡି ନିଜର ବିରୋଧାତ୍ମକ ମତ ପ୍ରକାଶ କରିଛି ବୋଲି କୁହାଯାଉଛି ।