37.1 C
Bhubaneswar
Thursday, March 28, 2024
Homeଓଡିଶାକେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ଫମ୍ପା ମାଠିଆର ଶବ୍ଦ ଭଳି: ବିଜେଡି

କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ଫମ୍ପା ମାଠିଆର ଶବ୍ଦ ଭଳି: ବିଜେଡି

 ପ୍ରତିଶ୍ରୁତି ଦେବାରେ ବିଜେପି ନେତା ଧୂରନ୍ଧର
 ଅଭ୍ୟସ୍ତ ହୋଇଗଲେଣି ଓଡିଶାବାସୀ
 ନିର୍ବାଚନ ସରିଲେ ଦେଖା ଦିଅନ୍ତିନି କେନ୍ଦ୍ରୀୟ ନେତା
ଭୁବନେଶ୍ୱର : ଓଡିଶାକୁ କେନ୍ଦ୍ରମନ୍ତ୍ରୀ ମାନେ ଆସିବେ, ବଡ ବଡ ପ୍ରକଳ୍ପ ଏବଂ ଶହ ଶହ କୋଟି ଟଙ୍କାର କଥା କହିବେ ହେଲେ ଟଙ୍କାଟିଏର ମଧ୍ୟ କାର୍ଯ୍ୟ ହେବନାହିଁ । ସେମାନଙ୍କ କଥା ଠିକ୍‍ ଫମ୍ପା ମାଠିଆର ଶବ୍ଦ ଭଳି । ସାଢେ ୪ କୋଟି ଓଡିଶାବାସୀ ବିଜେପି ନେତାଙ୍କ ଏଭଳି କଥା ସହ କିଭଳି ଅଭ୍ୟସ୍ତ ହୋଇଗଲେଣି ତାହାର ଗୋଟି ଗୋଟି କରି ପ୍ରମାଣ ରଖିଛି ବିଜେଡି ।
ଆଜି ଏଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ୱାଳ ଓ ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି ଯେ ଗତ ୯ ବର୍ଷ ହେଲାଣି କୋଷ୍ଟାଲ ହାଇୱେ କଥା କେନ୍ଦ୍ର ମନ୍ତ୍ରୀ ମାନେ ପ୍ରତିଶ୍ରୁତି ଦେଇଥିଲେ । ତାର ଆଜି ସ୍ଥିତି କଣ? କେନ୍ଦ୍ର ସରକାରଙ୍କ ଫାଇଲ ଭିତରେ ଏହା ରହିଯାଇଛି ।
ସେହିଭଳି ପଦମପୁର ଉପ-ନିର୍ବାଚନ ସମୟରେ ଆମେ ଶୁଣିଲୁ ପଦମପୁର ରେଲୱେ ଲାଇନକୁ ଅନୁମୋଦନ ମିଳିଯାଇଛି । ପଦମପୁରବାସୀ ସେଇ ରେଲୱେ ଲାଇନକୁ ଖୋଜୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ସେମାନେ ଗୋଟିଏ ଇଞ୍ଚର ମଧ୍ୟ ରେଲୱେ ଲାଇନ୍ ପାଉନାହାନ୍ତି । ଆପଣ ଯଦି ଏହାକୁ ପାଆନ୍ତି ଦୟାକରି ଆମକୁ ଜଣାଇବେ । ଏହା ହେଉଛି କେନ୍ଦ୍ର ଏବଂ କେନ୍ଦ୍ରମନ୍ତ୍ରୀ ମାନଙ୍କର ସବୁଠାରୁ ବଡ ଛଳନା । ନିର୍ବାଚନ ଏବଂ ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀମାନେ ଅନେକ ଘୋଷଣା କରନ୍ତି । ନିର୍ବାଚନ ସରିଗଲା ପରେ ସବୁ ଭୁଲିଯାଆନ୍ତି । ପଦମପୁର ରେଲୱେ ଲାଇନ୍‌, ସମ୍ବଲପୁର-କଟକ ଜାତୀୟ ରାଜପଥ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହେଉଛି ଓଡିଶାବାସୀଙ୍କୁ ଏଭଳି ମିଥ୍ୟା ପ୍ରତିଶ୍ରୁତିର ଗୋଟିଏ ଗୋଟିଏ ଉଦାହରଣ ।
ଭୁବନେଶ୍ୱର ରେଲୱେ ଷ୍ଟେସନକୁ ୱାର୍ଲଡ କ୍ଲାସ କରିବା ପାଇଁ ୨୦୧୫ରେ ରେଳମନ୍ତ୍ରୀ ଘୋଷଣା କରିଥିଲେ । ଏପର୍ଯ୍ୟନ୍ତ ଓଡିଶାର ଜନସାଧାରଣ କଣ ପାଇଲେ? ମଇଳା ଷ୍ଟେସନ୍ ପରିସର, ସଂକୀର୍ଣ୍ଣ ଚାଲିବା ସ୍ଥାନ ଏବଂ କେନ୍ଦ୍ର ସରକାରଙ୍କର ଏକ ଭୁଲିଯାଇଥିବା ପ୍ରତିଶ୍ରୁତି ।
ଭୁବନେଶ୍ୱର ରେଳ ଷ୍ଟେସନ୍ ପାଇଁ ସମସ୍ତ ଖର୍ଚ୍ଚ ବିଜେଡି ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଶ୍ୱସ୍ତରୀୟ ଷ୍ଟେସନ୍ ପାଇଁ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ହେଲେ କେନ୍ଦ୍ର ସରକାର ଏବଂ ରେଳବାଇ ବିଭାଗ ଏଥିରେ ବାଧା ଆଣିଲେ । ନା କେନ୍ଦ୍ର ସରକାର ନିଜେ ଏହାକୁ କଲେ ନା ଓଡିଶା ସରକାରଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦେଲେ । ଏହିଭଳି ଭାବେ ଓଡିଶାବାସୀଙ୍କ ସହ ପ୍ରତାରଣା କରିଆସୁଛି କେନ୍ଦ୍ର । ୨୦୧୫ରେ ଯେତେବେଳେ ଓଡିଶା ସରକାର ଭୁବନେଶ୍ୱର ଷ୍ଟେସନର ରୂପାନ୍ତରଣ ପାଇଁ ସମସ୍ତ ଅର୍ଥ ପ୍ରଦାନ କରିବାକୁ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ରେଳବାଇ ମନ୍ତ୍ରାଳୟ ମାଧ୍ୟମରେ ରାଜ୍ୟର ଆଉ ୧୧ଟି ଷ୍ଟେସନକୁ କେନ୍ଦ୍ରୀୟ ସହାୟତାରେ ବିଶ୍ୱସ୍ତରୀୟ କରିବାକୁ ୨୦୧୬ରେ ଘୋଷଣା କରିଦେଲେ । ସେହି ୧୧ଟି ଷ୍ଟେସନ୍ ଏବେ କେଉଁଠି, ତାର ସ୍ଥିତି କଣ? ଓଡିଶାବାସୀ କେନ୍ଦ୍ରର ପୁଣି ଏକ ମିଥ୍ୟା ପ୍ରତିଶ୍ରୁତି ଦେଖିବାକୁ ପାଉଛନ୍ତି ।
କଟକ ରେଲୱେ ଷ୍ଟେସନ ପାଇଁ ରାଜ୍ୟ ସରକାର ଜମି ପ୍ରଦାନ କରିସାରିଛନ୍ତି ଓ ଉନ୍ନତୀକରଣ ପାଇଁ ରାଜପଥ ପାଶ୍ୱର୍ରୁ ଦ୍ୱିତୀୟ ପ୍ରବେଶ ଦେଉଛନ୍ତି । ତାହେଲେ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରାଳୟ କଣ କରୁଛି? ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବଂ ହସିବେ ଯେ, ଏହି ୩୦୩ କୋଟି ଟଙ୍କା କିଭଳି ଖର୍ଚ୍ଚ ହେବ ଓ ରେଲୱେ ଷ୍ଟେସନର କିଭଳି ଉନ୍ନତିକରଣ ହେବ ସେନେଇ ରେଳବାଇ ସାଧାରଣ ଲୋକଙ୍କ ଠାରୁ ରାୟ ବା ପ୍ରସ୍ତାବ ମାଗୁଛି । ପ୍ରସ୍ତାବ ଆସିବ, କେନ୍ଦ୍ର ଏବଂ ରେଳବାଇ ପାଖକୁ ଯିବ, ଆଉ ଆମେ ଅପେକ୍ଷା କରି ରହିବା ଯେ ୨୦୩୦ ବେଳକୁ କଟକ ଷ୍ଟେସନ୍ ପାଇଁ ପ୍ରଥମ ଇଟା ରଖି ଭିତିପ୍ରସ୍ତର ଦିଆଯିବ । ଏହିଭଳି ଭାବେ କେନ୍ଦ୍ର ଏବଂ କେନ୍ଦ୍ରମନ୍ତ୍ରୀ ମାନେ ସାଢେ ୪ କୋଟି ଓଡିଶାବାସୀଙ୍କ ସହ ଛଳନା କରୁଛନ୍ତି । ପ୍ରତିଶ୍ରୁତି ଦିଅ, ଭୁଲି ଯାଅ ଏବଂ ପୁଣି ନିର୍ବାଚନ ସମୟରେ ଆସି ମିଛ ପ୍ରତିଶ୍ରୁତି ଦିଅ ଆଉ ନିର୍ବାଚନ ପରେ ଭୁଲିଯାଅ ।
ହରିଦାସପୁର-ପାରାଦୀପ ଲାଇନରେ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଗତ ୫ ବର୍ଷ ଧରି କେନ୍ଦ୍ରାପଡାବାସୀ କରୁଥିବା ଦାବିକୁ ଆମେ ଲଗାତର ଭାବେ ଉଠାଇ ଚାଲିଛୁ । ଏହି ଲାଇନ ପାଇଁ ସାଧାରଣ ଜନତା ସେମାନଙ୍କର ୧୨୦୦ ଏକରରୁ ଅଧିକ ଜମି ଦେଲେ, ରେଳବାଇ ବିଭାଗ ତୁଳନାରେ ଓଡିଶା ସରକାର ଅଧିକ ଅର୍ଥ ଦେଲେ । ଏଯାଏଁ କାହିଁକି ଯାତ୍ରିବାହୀ ଟ୍ରେନ୍ ଚାଲିନି? ଏହି ଲାଇନରେ କେବଳ ମାଲବାହୀ ଟ୍ରେନ୍ ଚାଲିଛି । କାରଣ, ଓଡିଶାବାସୀଙ୍କ ପାଇଁ କୈାଣସି ସୁବିଧା କରିବା ବଦଳରେ ନିଜ ଫାଇଦାକୁ ଦୃଷ୍ଟିରେ ରଖି କିଭଳି ଅଧିକ ରାଜସ୍ୱ ନେଇ ଲାଭ କରିପାରିବ ସେନେଇ କାର୍ଯ୍ୟ କରୁଛି ରେଳବାଇ । ଅନୁଗୁଳ-ସୁକିନ୍ଦା ରେଳ ଲାଇନରେ ମଧ୍ୟ ସମାନ ଅବସ୍ଥା । ଯାତ୍ରିବାହୀ ଟ୍ରେନ ଦେବା ବଦଳରେ କେବଳ ମାଲବାହୀ ଟ୍ରେନ ପାଇଁ ରେଳବାଇ ଯୋଜନା କରୁଛି । ବିଡମ୍ବନା ଦେଖନ୍ତୁ, ରେଲୱେ ଲାଇନରେ କେବଳ ମାଲ ପରିବହନ ହୋଇପାରିବ ହେଲେ ଓଡିଶାବାସୀ ଏହାର ସୁବିଧା ପାଇପାରିବେନି । ଓଡିଶାବସୀଙ୍କ ପାଇଁ ଏହା ରେଳବାଇର ଚରମ ଅବହେଳା ନୁହେଁ ତ ଆଉ କଣ ।
ନୟାଗଡରୁ କୋଲକାତା ଏବଂ ଭାଇଜାଗ ଯାଏଁ ସିଧାସଳଖ ଟ୍ରେନ ଯୋଗାଯୋଗ ପାଇଁ ଆମେ ଦାବି କରିଆସୁଛୁ । ଏହାକୁ ପୂରଣ କରିବାକୁ କାହିଁକି ରେଳ ମନ୍ତ୍ରାଳୟକୁ ଏତେ କଷ୍ଟ ହେଉଛି? ଏଥିପାଇଁ କାରଣ, ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ଲାଇନ୍ ରାଜ୍ୟ ସରକାରଙ୍କ ଅର୍ଥରେ ଖର୍ଚ୍ଚ ହେଉଛି ଆଉ ଯେଉଁଥିପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି । ନୟାଗଡ ଭଳି ଜିଲ୍ଲା ମୁଖ୍ୟାଳୟକୁ କାହିଁକି ଏହିଭଳି ଅବହେଳା?
ରେଳବାଇ ଓଡିଶାରୁ ବାର୍ଷିକ ୨୫ ହଜାର କୋଟି ଟଙ୍କାର ରାଜସ୍ୱ ନିଏ ହେଲେ ବାର୍ଷିକ ମାତ୍ର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରେ । ଯେତେବେଳେ କେନ୍ଦ୍ରମନ୍ତ୍ରୀ ଓଡିଶାକୁ ରେଳବାଇ କ୍ଷେତ୍ରରେ ୧୦ ହଜାର କୋଟିର ଅନୁଦାନ କଥା କୁହନ୍ତି ଏହି ଗଣିତ କେବଳ ସେମାନଙ୍କୁ ହିଁ ଜଣାଥାଏ ଯେ କିଭଳି ୧୦ ହଜାର କୋଟି କଥା ଘୋଷଣା କରି ୨ ହଜାର କୋଟିର କାମ କରି ଚଳେଇ ଦିଆଯାଏ । କଟକ ରେଲୱେ ଷ୍ଟେସନ୍ ପାଇଁ ୩୦୩ କୋଟି ଟଙ୍କାର ଘୋଷଣା, ଗତ ୯ ବର୍ଷ ଧରି କେନ୍ଦ୍ର ଓ କେନ୍ଦ୍ରମନ୍ତ୍ରୀ ମାନଙ୍କ ମିଛ ଏବଂ ଭୂଲିଯାଇଥିବା ପ୍ରତିଶ୍ରୁତିର ଲମ୍ବା ତାଲିକାରେ ସାମିଲ ହୋଇଯିବ ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, କୋଷ୍ଟାଲ ହାଇୱେ, ବିଶ୍ୱସ୍ତରୀୟ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ଆଉ ଏବେ କଟକ ରେଲୱେ ଷ୍ଟେସନ୍ ହେଉଛି କେନ୍ଦ୍ର ସରକାର ଓଡିଶାବାସୀଙ୍କୁ ଭୁଆଁ ବୁଲାଇବାର ଗୋଟିଏ ଗୋଟିଏ ପ୍ରକୃଷ୍ଟ ଉଦାହରଣ । ସାଢେ ୪ କୋଟି ଓଡିଶାବାସୀ ବେଶ ଭଲଭାବେ ଜାଣିଛନ୍ତି, ଏଭଳି ବଡ ବଡ ପ୍ରତିଶ୍ରୁତି ନିର୍ବାଚନ ଆସିଲେ କେନ୍ଦ୍ରମନ୍ତ୍ରୀମାନେ କରନ୍ତି ଆଉ ନିର୍ବାଚନ ସରିଲେ ଏସବୁକୁ ଭୁଲିଯାଆନ୍ତି । କେନ୍ଦ୍ର ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କର ଏଭଳି ଛଳନା ଏବଂ ପ୍ରତାରଣା ପାଇଁ ଓଡିଶାବାସୀ ଗତ ୨ ଦଶନ୍ଧି ଧରି ବିଜେପିକୁ ଉଚିତ୍ ଜବାବ ଦେଇ ଆସିଛନ୍ତି ଆଉ ଆଗକୁ ମଧ୍ୟ ଦେବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking