40.1 C
Bhubaneswar
Thursday, April 25, 2024
Homeଓଡିଶାବିଶ୍ୱ ଓଡ଼ିଶା ସମାଜ ଗଠିତ : ବାଚସ୍ପତି ସୂର୍ଯ୍ୟ ପାତ୍ର ମୁଖ୍ୟ ପୃଷ୍ଠପୋଷକ

ବିଶ୍ୱ ଓଡ଼ିଶା ସମାଜ ଗଠିତ : ବାଚସ୍ପତି ସୂର୍ଯ୍ୟ ପାତ୍ର ମୁଖ୍ୟ ପୃଷ୍ଠପୋଷକ

 

କାନବେରା / ମସ୍କୋ / ମିନିଆ ପଲିସି / ଟରୋଣ୍ଟୋ / ଲଣ୍ଡନ / ମାଞ୍ଚେଷ୍ଟର / ଦୁବାଇ / ନାଇରୋବି / ନୂଆଦିଲ୍ଲୀ / କଟକ / ଭୁବନେଶ୍ୱର,  : ବିଶ୍ୱଭରି ଓଡ଼ିଆ ଓ ଓଡ଼ିଶାପ୍ରେମୀମାନଙ୍କୁ ଏକତ୍ରିତ କରି ବିଶ୍ୱ ଓଡ଼ିଶା ସମାଜ ଗଠନ କରାଯାଇଛି । ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା, ପ୍ରମୁଖ ପ୍ରବାସୀ ଓଡ଼ିଆ, ଓଡ଼ିଶା କେନ୍ଦ୍ରୀକ ସାମାଜିକ ଓ ସାଂସ୍କୃତିକ ସଂସ୍ଥାଗୁଡ଼ିକର ପ୍ରତିନିଧିମାନେ ଏହି ଛାମୁଆ ସଂଗଠନରେ ସାମିଲ ହୋଇଛନ୍ତି । ପ୍ରବାସୀ ଓଡ଼ିଆମାନଙ୍କର ଏହି ସର୍ବବୃହତ ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତ୍ତି ସୂର୍ଯ୍ୟନାରାୟଣ ପାତ୍ର ମନୋନୀତ ହୋଇଛନ୍ତି । ପୃଷ୍ଠପୋଷକ ଭାବେ ଆମେରିକାରେ ଅବସ୍ଥାପିତ ବିଶିଷ୍ଟ ବୈଜ୍ଞାନିକ ଶୀତିକଣ୍ଠ ଦାଶଙ୍କୁ ଚୟନ କରାଯାଇଛି । କେନିଆର ସୁନାମଧନ୍ୟ ସଂସଦ ସଦସ୍ୟ ଡଃ ସ୍ୱରୁପ ମିଶ୍ର ବିଶ୍ୱ ଓଡ଼ିଶା ସମାଜର ମୁଖ୍ୟ ଉପଦେଷ୍ଟା ହେବେ । ଅ ।ମେରିକାର ପ୍ରସିଦ୍ଧ ବୈଷୟିକ ପରାମର୍ଶଦାତା ଧୀରେନ୍ଦ୍ର କର ଏହି ଆନ୍ତର୍ଜାତିକ ମଞ୍ଚର ଅନ୍ୟତମ ଉପଦେଷ୍ଟା ରହିବେ । ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ନିର୍ଦେଶିକା ତଥା ପ୍ରକ୍ଷାତ ସମାଜସେବୀ ଡଃ ଅରୁନ୍ଧତୀ ଦେବୀ ବିଓଏସର ପ୍ରତିଷ୍ଠାତା ହେବାର ମାନ୍ୟତା ଲାଭ କରିଥିବା ଅନ୍‌ଲାଇନ୍ ଦ୍ୱାରା ଆୟୋଜିତ ଏକ ଆନ୍ତର୍ଜାତିକ ବୈଠକରେ ଘୋଷଣା କରାଯାଇଛି । ବରିଷ୍ଠ ସାମ୍ବାଦିକ ଏବଂ ବନ୍ଦେ ଉତ୍କଳ ଫାଉଣ୍ଡେସନର ଅଧ୍ୟକ୍ଷ କିଶୋର ଦ୍ୱିବେଦୀଙ୍କର ପୌରହିତ୍ୟରେ ଅନୁଷ୍ଠିତ ଏହି ଭର୍ଚ୍ଚୁଆଲ ସଭାରେ ବିଶ୍ୱ ଓଡ଼ିଶା ସମାଜ ଗଠନର ମୂଳ ଲକ୍ଷ, ଏହାର ପ୍ରକୃତ ଆଭିମୁଖ୍ୟ, ଭବିଷ୍ୟତ ଯୋଜନା ଓ ଓଡ଼ିଶାର ନବନିର୍ମାଣରେ ବିଓସର ଭୂମିକା ସମ୍ପର୍କରେ ବିସ୍ତୃତ ରୁପରେଖ ଚୂଡ଼ାନ୍ତ କରାଯାଇଛି । ବିଶେଷ କରି ଏହି ସଂସ୍ଥା ପ୍ରବାସରେ ରହୁଥିବା ଓଡ଼ିଆମାନଙ୍କର ଏକ ଡାଟାବେସ୍ ପ୍ରସ୍ତୁତ କରିବା, ଏକ ଓଡ଼ିଶା-ଶ୍ରେଷ୍ଠ ଓଡ଼ିଶା ଧ୍ୱନୀକୁ ବିଶ୍ୱ ଦରବାରରେ ପ୍ରତିପାଦିତ ଓ ପ୍ରମାଣିତ କରିବା, ବ୍ରାଣ୍ଡ ଓଡ଼ିଶାର ମହନୀୟତାକୁ ଦେଶବିଦେଶରେ ପ୍ରଚାର, ପ୍ରସାର ଏବଂ ଲୋକପ୍ରିୟ କରିବା, ପ୍ରବାସୀ ଓଡ଼ିଆମାନଙ୍କର ସ୍ୱାର୍ଥ ରକ୍ଷା ଓ ସମୂହ କଲ୍ୟାଣ ଉଦ୍ଦେଶ୍ୟରେ ରାଜ୍ୟସରକାରରେ ଏକ ଏନ୍‌.ଆର୍‌.ଓ ମନ୍ତ୍ରଣାଳୟ ଆରମ୍ଭ କରିବା ଏବଂ ସର୍ବୋପରି ୨୦୩୬ ମସିହାରେ ଆମର ମାତୃପ୍ରଦେଶର ଭାଷାଭିତ୍ତିକ ରାଜ୍ୟଗଠନର ଶହେବର୍ଷ ପୂର୍ତ୍ତି ଅବସରରେ ଏହାର ହୃତଗୌରବ, ସୁପ୍ତ ସୌରଭ ଓ ଲୁପ୍ତ ବୈଭବକୁ ଫେରିପାଇ ସ୍ୱର୍ଣ୍ଣାଭ ଓଡ଼ିଶାର ରୁପ ଗ୍ରହଣ କରିବାର ସ୍ୱପ୍ନକୁ ସାକାର କରିବା ପାଇଁ ଦୂରଦୃଷ୍ଟି ସମ୍ପନ୍ନ ଖସଡ଼ା ପ୍ରସ୍ତୁତ କରିବା ସକାଶେ ଏହି ଶୀର୍ଷ ସମ୍ମିଳନୀରେ ସଂଘବଦ୍ଧ ପ୍ରତିବଦ୍ଧତା ପ୍ରକାଶ କରାଯାଇଛି । ଅଷ୍ଟ୍ରେଲିଆ ଓଡ଼ିଆ ସଂଘର ସଭାପତି ଡଃ. ନଳିନୀ ପତି, ୟୁ.କେ. ଓଡ଼ିଆ ସମାଜର ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ୱାଳ ଏବଂ ୟୁ.ଏ.ଇ ଓଡ଼ିଶା ସମାଜର ସାଧାରଣ ସମ୍ପାଦକ ପ୍ରୀତିଶ ରଞ୍ଜନ ବିଶ୍ୱାଳ ଏକ ପାୱାରପଏଌକ୍ଷଗ୍ଧ; ଉପସ୍ଥାପନ ଜରିଆରେ ବିଶ୍ୱ ଓଡ଼ିଶା ସମାଜର ଉଦ୍ଭବର ଉଦ୍ଦେଶ୍ୟ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଖୁବ୍ ପ୍ରାଞ୍ଜଳଭାବେ ସୂଚନା ପ୍ରଦାନ କରିଥିଲେ । ୱେବ୍ ସମାବେଶକୁ ସମ୍ବୋଧନ କରି ବାଚସ୍ପତି ଡଃ ପାତ୍ର, ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ପାଇଁ ଜଳସେଚନ, ଶିଳ୍ପ, ବାଣିଜ୍ୟ, ପର୍ଯ୍ୟଟନ ଓ ଆଇଟି କ୍ଷେତ୍ରରେ ବ୍ୟାପକ ବିକାଶର ଆବଶ୍ୟକତା ରହିଥିବା ଦର୍ଶାଇଥିଲେ । ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶର ଶହେ ବର୍ଷ ପୂର୍ତ୍ତି କାଳରେ ଶ୍ରେଷ୍ଠ ରାଜ୍ୟର ଯୋଗ୍ୟତା ହାସଲ ପାଇଁ ପ୍ରବାସୀ ଓଡ଼ିଆମାନେ ପୁଞ୍ଜି ଓ କାରିଗରୀ କୌଶଳକୁ ବିନିଯୋଗ କରିବାକୁ ଡଃ ପାତ୍ର ଆହ୍ୱାନ ଜଣାଇଥିଲେ । ଡଃ ଶୀତିକଣ୍ଠ ଦାଶ ବିଶ୍ୱ ଓଡ଼ିଆ ସମାଜକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । କେନିଆର ସାଂସଦ ଡଃ ସ୍ୱରୁପ ମିଶ୍ର ପ୍ରବାସୀ ଓଡ଼ିଆଙ୍କର ଡାଟାବେସ୍‍ ପ୍ରସ୍ତୁତି ପାଇଁ ୨୦,୦୦୦ ଡଲାର ଅନୁଦାନ ଘୋଷଣା କରିଥିଲେ । ଓଡ଼ିଶାର ସାମଗ୍ରିକ ଇତିହାସ ରଚନା କରାଯିବା, ଏକ ଏନ୍‍.ଆର୍‍.ଓ ବ୍ୟାଙ୍କ ପ୍ରତିଷ୍ଠା କରାଯିବା ଓ ବିଶ୍ୱସାରା ଓଡ଼ିଆ ପ୍ରତିଭାର ଅନୁସନ୍ଧାନ କରାଯିବା ପାଇଁ ଡଃ ମିଶ୍ର ପ୍ରସ୍ତାବ ଦେଇଥିଲେ । ଧୀରେନ୍ଦ୍ର କର ତାଙ୍କର ଭାଷଣରେ ବିଶ୍ୱ ଭାତୃତ୍ୱକୁ ଆଧାର କରି ଆମେ ଏକତ୍ରିତ ହେଲେ ଆମଦ୍ୱାରା ଆଶ୍ଚର୍ଯ୍ୟ ସମ୍ଭବପର ହେବ ବୋଲି ଦମ୍ଭପ୍ରକାଶ କରିଥିଲେ । ଗୁରୁମା ଡଃ ଅରୁନ୍ଧତୀ ଦେବୀ ତାଙ୍କର ବକ୍ତବ୍ୟରେ ଆମେ ହୀନମନ୍ୟତାକୁ ଦୂରେଇ ଦେଇ ଓଡ଼ିଶାକୁ ବଳିଷ୍ଠ ଓ ବିକଶିତ କରି ଗଢ଼ିତୋଳିବା ପାଇଁ ବିଶ୍ୱ ଓଡ଼ିଶା ସମାଜ ଆଶା, ଉଦ୍ଦୀପନା ଓ ଆସ୍ଥା ସଂଚାର କରିଥିବା ଦର୍ଶାଇଥିଲେ । ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଡି.ପି. ବାଗଚି, ବିଶ୍ୱ ଓଡ଼ିଶା ସମାଜ ଗଠନକୁ ସ୍ୱାଗତ କରିବା ସାଙ୍ଗକୁ ତାଙ୍କର ଶୁଭକାମନା ଜଣାଇଥିଲେ । ଭିଏତନାମରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମଦନମୋହନ ସେଠୀ ବର୍ତ୍ତମାନ ଓଡ଼ିଶାର ଉତ୍‍ଥାନ ପାଇଁ କଥା ନୁହେଁ କାର୍ଯ୍ୟର ଆବଶ୍ୟକତା ଥିବା କହିଥିଲେ । ବାହାରିନ୍‍ ଓଡ଼ିଆ ସମାଜର ସଭାପତି ଡଃ ଅରୁଣ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ୱେବିନାରରେ ସାରା ପୃଥିବୀରୁ ସାମିଲ ହୋଇଥିବା ଓଡ଼ିଆ ସମ୍ପ୍ରଦାୟର ମାନ୍ୟଗଣ୍ୟ ନେତୃବୃନ୍ଦଙ୍କ ମଧ୍ୟରେ ଅମରେନ୍ଦ୍ର ଖଟୁଆ, ରାମଚନ୍ଦ୍ର ବଡ଼ପଣ୍ଡା, କଳ୍ପନା ମିଶ୍ର, ତନ୍ମୟ ପଣ୍ଡା, ସନ୍ତୋଷ ମିଶ୍ର, ଅମୀୟ ମିଶ୍ର, ସୁମନ୍ତ ମାନସିଂହ, କୁନ୍ନା ଦାଶ, ଦେବର୍ଶୀ ମଲ୍ଲିକ, ପ୍ରଦୀପ ରଥ, ନିହାର ସାମନ୍ତରା, କ୍ଷୀରୋଦ ଜେନା, କୃପାନିଧି ବିଶ୍ୱାଳ, ଦିପ୍ତୀ ରଞ୍ଜନ ନନ୍ଦ, ପ୍ରକାଶ ଦେ, ଦେବେନ୍ଦ୍ର ମାଝୀ, ସୁନନ୍ଦା ମିଶ୍ର ପଣ୍ଡା, ଦେବେନ୍ଦ୍ର ରାଉତ, ଚିଦାତ୍ମିକା ଖଟୁଆ, ଡଃ ଭାଗ୍ୟଶ୍ରୀ ସିଂହ, ଅବନୀ ସାହୁ, ଆଶୁତୋଷ ଦାଶ, ସୁଧୀର ଦାଶ, ପ୍ରଶାନ୍ତ ଭୂୟାଁ, ପ୍ରଦୀପ ମହାପାତ୍ର, ପୀତାମ୍ବର ବାରିକ, ସଂଜୟ ଦାସ, ମନୋଜ ନାୟକ, ବିଦ୍ୟାଭୂଷଣ ମହାନ୍ତି, ସଂଜୀବ ବାରିକ, ଦୁର୍ଗା ଦାଶ, ସୁଶ୍ରୀ ସ୍ୱାତୀ, ସିଦ୍ଧାର୍ଥ ଦାସ, ସୁସ୍ମିତା ପଟ୍ଟନାୟକ, ଆଦ୍ରିଶ ବ୍ରହ୍ମଦତ୍ତ, ପୁଷ୍ପାଞ୍ଜଳି ବାରିକ, ଉପେନ୍ଦ୍ର ପାଢ଼ୀ, ଭବାନୀ ଦୀକ୍ଷିତ, ରୀତା ପାତ୍ର, ମନୋଜ ପାତ୍ର, ଶାଶ୍ୱତ ପାଢ଼ୀ, ଦୀପକ ପରିଡ଼ା, ପ୍ରେମ୍‍ ନେପାକ, ଶୀତଲ କୁମାର, ତୁଷାର ମିଶ୍ର, ସୁମିତା ସାହୁ , ଉଷା ରାଉତ,ହୃଷିକେଶ ପାତ୍ର ଓ ମନୋଜ ମନ୍ମୟ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଓଡ଼ିଶୀ ୱାର୍ଲ୍ଡର ନିର୍ଦ୍ଦେଶିକା କାବେରୀ ବେହେରା ସମଗ୍ର ଆୟୋଜନର ସୁପରିଚାଳନା ଓ ଲାଇଭଷ୍ଟ୍ରୀମିଂ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking