ନୂଆଦିଲ୍ଲୀ : ଚୀନ୍ର ଗୁପ୍ତଚର ବେଲୁନ୍ ବିଷୟରେ ଏକ ବଡ଼ ଖୁଲାସା ହୋଇଛି । ଆମେରିକାର ଅଧିକାରୀମାନେ ଦାବି କରିଛନ୍ତି ଯେ ଚୀନ୍ କେବଳ ଆମେରିକା ଏବଂ ଭାରତରେ ନୁହେଁ ବରଂ ଅନ୍ୟାନ୍ୟ ୪୦ଟି ଦେଶ ଉପରେ ଗୁପ୍ତଚର ବେଲୁନ୍ ଉଡାଇ ଗୁଇନ୍ଦାଗିରି କରୁଛି । ଏନେଇ ଆମେରିକାର ଡେପୁଟି ସେକ୍ରେଟେରୀ ୱେଣ୍ଡି ଶେର୍ମାନ ଏହି ପ୍ରସଙ୍ଗ ସହ ଜଡିତ ଥିବା ଭାରତ ସମେତ ବିଶ୍ୱର ୪୦ଟି ଦେଶର ଦୂତାବାସକୁ ସୂଚନା ଦେଇଛନ୍ତି ।
ଫେବୃଆରୀ ୪ ଶନିବାର ଆମେରିକା ଆକାଶରେ ଉଡୁଥିବା ଚାଇନା ସ୍ପାଏ ବେଲୁନକୁ ମିସାଇଲ ମାଡ କରି ଖସାଇ ଦେଇଥିଲା ଆମେରିକା । ଏହି ଗୁଇନ୍ଦା ବେଲୁନଟି ଏବେ ଖଣ୍ଡ ଖଣ୍ଡ ହୋଇ ଆଟଲାଣ୍ଟିକ ମହାସାଗରରେ ପଡିଥିଲା ।
ଆମେରିକାର ଏୟାରଫୋର୍ସ ଏହି ଗୁଇନ୍ଦା ବେଲୁନଟିକୁ ଉଡାଇ ଦେଇଛି । ଯାହାର ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି । କୁହାଯାଉଥିଲା ଚୀନ୍ ଆମେରିକା ଆକାଶରେ ବେଲୁନ ଉଡାଇ ଗୁଇନ୍ଦାଗିରି କରୁଥିଲା । ଫେବୃଆରୀ ୧ରେ ଆମେରିକାର ପଶ୍ଚିମ ପ୍ରାନ୍ତରେ ଏହି ଗୁଇନ୍ଦା ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା । ପରେ ଏହାକୁ ନେଇ ପେଣ୍ଟାଗନ ଅଫିସରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ ଆମେରିକା ଆକାଶରେ ଉଡୁଥିବା ଚୀନର ଏହି ବେଲୁନକୁ ଉଡାଇବାକୁ ଏତେ ସହଜ ନଥିଲା । କାରଣ ଚୀନର ଏହି ବେଲୁନରେ ସେନସର ସହିତ ଅନେକ କିଛି ସକ୍ରିୟ ରହିଥିଲା । ତେଣୁ ହଠାତ୍ ବେଲୁନଟିକୁ ଉଡାଇବାକୁ ଚେଷ୍ଟା କଲେ ବଡ ବିସ୍ପୋରଣ ହେବାର ସମ୍ଭାବନା ମଧ୍ୟ ଥିଲା । ତେଣୁ ଆମେରିକାର ଏୟାରଫୋର୍ସ ଏଫ-୨୨ ଫାଇଟର ଜେଟ ଲଗାଇ ବେଲୁନଟିକୁ ଉଡାଇ ଦେଇଥିଲା । ଏହି ସ୍ପାଏ ବେଲୁନଟି ଭୂପୃଷ୍ଠରୁ ୫୮ ହଜାର ଫୁଟ ଉଚ୍ଚରେ ଉଡୁଥିଲା ।