38.8 C
Bhubaneswar
Friday, April 19, 2024
Homeଓଡିଶାଭର୍ତ୍ତୃହରି କହିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ସାକ୍ଷାତ ଦେଉ ନାହାନ୍ତି

ଭର୍ତ୍ତୃହରି କହିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ସାକ୍ଷାତ ଦେଉ ନାହାନ୍ତି

ଭୁବନେଶ୍ୱର (ବିପିନ ସିଂହ): ଦୁର୍ଗାଙ୍କ ମୂର୍ତ୍ତି ପ୍ରସଙ୍ଗକୁ ନେଇ ରାଜନୈତିକ ବାଦବିବାଦ ଜାରି ରହିଛି । ଏହି ଘଟଣାକୁ ନେଇ ଶାସକ ଦଳରେ ବିଶେଷ କରି କଟକର ବିଜେଡି ନେତାଙ୍କ ଭିତରେ ତୀବ୍ର ମତ ପାର୍ଥକ୍ୟ ଦେଖାଦେଇଛି । ଦୁର୍ଗା ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ବୋଲି ସରକାରଙ୍କ ଏହି ନିଷ୍ପତ୍ତି ହାସ୍ୟାସ୍ପଦ ବୋଲି ବିଜେଡିର କଟକ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ । ଗତକଲି ସେ ଆଉ ଏକ ସାଂଘାତିକ ମତ ରଖିଛନ୍ତି । ଯାହା ସିଧା ମୁଖ୍ୟମନ୍ତ୍ରୀଙ୍କୁ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏକପ୍ରକାର କହିବାକୁ ଗଲେ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦପ୍ତର  ବିରୋଧରେ ସେ ଏକ ମହା ଅଭିଯୋଗ ଆଣିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।
କଟକ ଜିଲ୍ଲା ର ବିଭିନ୍ନ ପୂଜା କମିଟି ପକ୍ଷରୁ ଦୁର୍ଗା ପୂଜା ନେଇ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀର କିଛି ପ୍ରସଙ୍ଗକୁ ବିରୋଧ କରିଆସିଛନ୍ତି । ଏଥିରେ ମୂର୍ତ୍ତିର ଉଚ୍ଚତା ସବୁଠାରୁ ଆଗରେ ରହିଛି । ଭର୍ତ୍ତୃହରି  ଦଳୀୟ ସାସଂଦ ହୋଇଥିଲେ ବି କଟକସହରବାସୀଙ୍କ ପାଇଁ ସରକାରଙ୍କ ନିଷ୍ପତି ବିରୋଧରେ ସ୍ୱର ଉଠାଇଥିଲେ । ସରକାରଙ୍କ ଏହି ନିଷ୍ପତି ହାସ୍ୟାସ୍ପଦ ବୋଲି କହିଥିଲେ । ମୂର୍ତ୍ତିର ଉଚ୍ଚତା କମିଗଲେ କରୋନା ଛାଡି ପଳେଇବ ଏହା ଅବାସ୍ତବ ଚିନ୍ତାଧାରା ବୋଲି ସେ ଦର୍ଶାଇବାକୁ ଚାହିଁଥିଲେ । ମୂର୍ତ୍ତିର ଉଚ୍ଚତା ସହ କରୋନା ବଢିବା କମିବା ର କିଛି ସଂପର୍କ ନାହିଁ ବୋଲି ସେ କହିଥିଲେ । ଏହାକୁ ନେଇ ସେତେବେଳେ ତାଙ୍କ ଦଳର ନେତା ପୂର୍ବତନ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଭର୍ତ୍ତୃହରିଙ୍କୁ କଡା ସମୋଲୋଚନା କରିଥିଲେ ।
ଗତକାଲି କଟକରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।  ଯେଉଁଥିରେ ଭର୍ତ୍ତୃହରି  ଅତି ସାଂଘାତିକ ମନ୍ତବ୍ୟ ଦେଇଛନ୍ତି । ଏଥିରେ ଭର୍ତ୍ତୃହରି କହିଛନ୍ତି, ପୂଜା କମିଟି ପକ୍ଷରୁ ତାଙ୍କୁ ଓ ପ୍ରଭାତ ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମୂର୍ତ୍ତିର ଉଚ୍ଚତା ବଢାଇବା ପାଇଁ କଟକସହରବାସୀଙ୍କ ଦାବି ଜଣାଇବା ଲାଗି । ଶାନ୍ତି କମିଟି ବୈଠକରେ ମତ ପ୍ରକାଶ ପାଇଥିଲା ଯେ, ପ୍ରଶାସନର ନିଷ୍ପତ୍ତି ସଂପର୍କରେ ହୁଏତ ମୁଖ୍ୟମନ୍ତ୍ରୀ ଅବଗତ ନଥିବେ । ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣେଇବା ପାଇଁ କୁହାଯାଇଥିଲା । ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ସମୟ ମାଗିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ତାଙ୍କୁ କୁହାଗଲା, ମୁଖ୍ୟମନ୍ତ୍ରୀ  ଯେବେ କଥା ହେବାକୁ ଚାହିଁବେ, ସେତେବେଳେ ତାଙ୍କୁୁ ଜଣାଇ ଦିଆଯିବ । କିନ୍ତୁ ଏଯାଏ ତାଙ୍କୁ କୌଣସି ସୂଚନା ଆସିନାହିଁ । ଭର୍ତ୍ତୃହରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଯେ, କଟକସହରବାସୀଙ୍କ ଦାବି ସଂକ୍ରାନ୍ତ ପିଟିସନକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ପହଂଚାଇଦେବା ପାଇଁ ସେ ପ୍ରଭାତ ତ୍ରିପାଠୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ତା ଉପରେ କୌଣସି ଜବାବ ଏ ଯାଏଁ ଆସିନଥିବାରୁ ପ୍ରଶାସନର ପୂର୍ବ ନିଷ୍ପତ୍ତି ବଦଳିବାର ବର୍ତମାନ ସ୍ଥିତିରେ ଆଉ କୌଣସି ସମ୍ଭାବନା ନାହିଁ ବୋଲି ଭର୍ତ୍ତୃହରି କହିଛନ୍ତି ।

ମୂର୍ତ୍ତି ଉଚ୍ଚତା ସଂପର୍କରେ ସରକାରଙ୍କ ନିଷ୍ପତ୍ତି ଠିକ ନୁହେଁ ବୋଲି ଦର୍ଶାଇବାକୁ ଯାଇ ଅନ୍ୟ ରାଜ୍ୟର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, ଝାଡଖଣ୍ଡ ସରକାର ପାର୍ବଣରେ ୫ ଫୁଟ ଉଚ୍ଚର ମୂର୍ତ୍ତି ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି  । ପଶ୍ଚିମବଙ୍ଗ ସରକାର  ମୂର୍ତ୍ତି  ସଂକ୍ରାନ୍ତରେ କୌଣସି ନିୟମ କରିନାହାନ୍ତି । ମୁମ୍ବାଇରେ ଗଣେଷ ମୂର୍ତ୍ତି ୪ ଫୁଟ କରିବା ପଛରେ ସେଠାରେ ଭିନ୍ନ ନିୟମ ଆଉ ଯୁକ୍ତି ରହିଛି ବୋଲି ସେ କହିଛନ୍ତି ।
ଭର୍ତ୍ତୃହରିଙ୍କ ଏହି ବକ୍ତବ୍ୟକୁ ଅନୁଶୀଳନ କଲେ ଜଣାପଡୁଛି, ସେ ଲୋକଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦଳୀୟ ସାସଂଦଙ୍କ ସହିତ କଥା ହେବାକୁ ଚାହୁଁନାହାନ୍ତି ବା ମୁଖ୍ୟମନ୍ତ୍ରୀ ନିଜ ଦଳର ସାଂସଦଙ୍କୁ ଦେଖା ଦେଉନାହାନ୍ତି । ଦଳୀୟ ସାଂସଦ ହୋଇଥିଲେ ବି ଲୋକଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ ପାଖରେ ରଖିବାର ସୁଯୋଗ ପାଉନାହାନ୍ତି । ଏଥିସହ ସେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ, ପ୍ରଭାତ ତ୍ରିପାଠୀ ଜଣେ ପୂର୍ବତନ ବିଧାୟକ ହୋଇଥିଲେ ବି ସେ ଦେଇଥିବା ଚିଠିକୁ ମଧ୍ୟ କୌଣସି ଗୁରୁତ୍ୱ ଦିଆଯାଇନାହିଁ । ଜଣେ ସାସଂଦ ଓ ଜଣେ ପୂର୍ବତନ ବିଧାୟକଙ୍କର ଗୁରୁତ୍ୱ କିଛି ନାହିଁ । ଏକଥା ସେ ଜଣାଇବାକୁ ଚାହିଁଛନ୍ତି ବୋଲି ଅନେକ ମତ ରଖୁଛନ୍ତି ।
ଏହାଛଡା ଭର୍ତ୍ତୃହରି  ସ୍ପଷ୍ଟଭାବେ କହି ଦେଇଛନ୍ତି ଯେ, ଏ ସରକାରଙ୍କ ଠାରୁ ଏ ପ୍ରସଙ୍ଗରେ ଆଉ କିଛି ଆଶା କରିବା ବୃଥା । ପ୍ରଥମେ ରଥଯାତ୍ରା ପାଇଁ ରାଜ୍ୟ ସରକାର ମନା କରିଥିଲେ । ମାମଲା ସୁପ୍ରିମକୋର୍ଟ ଯାଇଥିଲା । ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ସହ ସହମତ ହୋଇଥିଲେ । ରଥଯାତ୍ରା ହେଲେ ଗହଳି ହେବ । ତେଣୁ ସରକାରଙ୍କ ନିଷ୍ପତି ଠିକ ବୋଲି କହିଥିଲେ । ପରେ ସେବାୟତମାନେ ଏହା ବିରୋଧରେ ଯାଇ ସୁପ୍ରିକୋର୍ଟରେ ସାନି ଆବେଦନ କରିଥିଲେ । ଶେଷରେ ସୁପ୍ରିମକୋର୍ଟ ତାଙ୍କ ମତ ବଦଳାଇ ପୁରୀରେ ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ । ଏହାପରେ ସରକାର ବାଧ୍ୟ ହୋଇଥିଲେ । ଦୁଇ ବର୍ଷ ହେଲା ପୁରୀରେ ରଥଯାତ୍ରା ହେଉଛି । ସେହିଭଳି ସମସ୍ତ ପୂଜା କମିଟି ଏକାଠି ହୋଇ କୋର୍ଟର ଆଶ୍ରୟ ନେବାକୁ ଭର୍ତ୍ତୃହରି  ଏକପ୍ରକାର ମତ ରଖିଛନ୍ତି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking