32.1 C
Bhubaneswar
Thursday, March 28, 2024
Homeଓଡିଶାଧାମନଗର ଛକ ପାଲଟିଛି କବାଡ଼ିଆଙ୍କ ପେଣ୍ଠସ୍ଥଳୀ

ଧାମନଗର ଛକ ପାଲଟିଛି କବାଡ଼ିଆଙ୍କ ପେଣ୍ଠସ୍ଥଳୀ

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥର ଧାମନଗର ଛକ ପାଲଟିଛି କବାଡିଆମାନଙ୍କ ପେଣ୍ଠସ୍ଥଳୀ । ଦୀର୍ଘଦିନ ହେବ ଜାତୀୟ ରାଜପଥ ପାଶ୍ୱର୍ ଓ ଧାମନଗର-ଦୋବଲ ରାସ୍ତାର ମା’ ତାରିଣୀ ଓଜନ କଣ୍ଟା ନିକଟରେ ଦୁଇଗୋଟି ବେଆଇନ କବାଡିଆ ବ୍ୟବସାୟ କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ ନଥିବାରୁ ପ୍ରଶାସନର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି । ବ୍ଲକର ମାଳଦାଠାରୁ ମଞ୍ଜୁରୀରୋଡ ଓ ଆଖୁଆପଦାଠାରୁ ବିଷ୍ଣୁପୁର ପରିଧି ମଧ୍ୟରେ ଥିବା ପ୍ରାୟ ୧୦୦ଗୋଟି ଗାଁରୁ ଦୈନନ୍ଦିନ ଖୁଚୁରା ବ୍ୟବସାୟୀମାନେ କୁଇଣ୍ଟାଲ କୁଇଣ୍ଟାଲ ଲୁହାଲତା ଆଣି ଏଠାରେ ବିକ୍ରୟ କରିଥାଆନ୍ତି । ଗାଁ ଗଣ୍ଡାମାନଙ୍କରେ ଗ୍ରାମ୍ୟ ଚୋରମାନେ ଯେଉଁ ଛୋଟ ବଡ ଲୁହା ସ୍କ୍ରାପ ସହିତ ପୁରୁଣା ଗାଡି ଓ ସାଇକେଲ ଚୋରି କରିଥାଆନ୍ତି ସେଗୁଡିକୁ ଆଣି ଏଠାରେ ବିକ୍ରୟ କରୁଥିବା ସୂଚାନ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଚୋରା ଜିନିଷ ବିକ୍ରୟ ପାଇଁ କବାଡିଆ ପ୍ରତିଷ୍ଠାନ ଥିବାରୁ ଦିନକୁ ଦିନ ଚୋରି ମଧ୍ୟ ବୃଦ୍ଧି ପାଉଥିବା ଜଣାଯାଇଛି । ତେବେ ପ୍ରତ୍ୟେକ ଦିନ ଉକ୍ତ ଦୁଇଗୋଟି କବାଡିଆ କେନ୍ଦ୍ରଠାରୁ ଟ୍ରକ୍ ଓ ପିକ୍‌ଅପ୍‌ରେ କବାଡ଼ିସାମଗ୍ରୀ ବୋଝେଇ ହୋଇ କଲିକତା, ଆନ୍ଧ୍ର ଓ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ସ୍ୱୀକୃତି ନଥାଇ କେଉଁ ଆଧାରରେ ଏଠାରେ ବର୍ଷବର୍ଷ ଧରି କବାଡିଆ ବ୍ୟବସାୟ ଚାଲିଛି ତାହାକୁ ନେଇ ବୃଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିର୍ଭୟରେ କବାଡିଆ ବ୍ୟବସାୟ ଚାଲୁଥିବାରୁ ଧାମନଗର ଛକ ଆଖପାଖ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ବେଳେ ଆଖପାଖ ଗ୍ରାମରେ ମଧ୍ୟ ଚୋରି ବୃଦ୍ଧି ପାଉଛି । ଏଥିପ୍ରତି ପୁଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଦୃଷ୍ଟି ଦେବାକୁ ଦୃଢ଼ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking