ଯୌତୁକ ଓ ୨ୟ ବିବାହ ଲାଳସା, ପ୍ରଥମ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ : ଭଣ୍ଡାରିପୋଖରୀ ବ୍ଲକ ସାତଶୋଳା ଗାଁରେ ଯୌତୁକ ଲୋଭ ଓ ଦ୍ୱିତୀୟ ବିବାହ କରିବା ଉଦ୍ଦେଶ୍ୟରେ ପ୍ରଥମ ପତ୍ନୀଙ୍କୁ ସ୍ୱାମୀ ସହ ପରିବାର ଲୋକେ ମିଶି ମରଣାନ୍ତକ ଆକ୍ରମଣ କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ ପୁଲିସ ସ୍ୱାମୀ ନିତ୍ୟଚୈତନ୍ୟ ଖଣ୍ଡାଇ, ଶ୍ୱଶୁର ନାରାୟଣ ଖଣ୍ଡାଇଙ୍କ ସମେତ ଶାଶୁ ମଞ୍ଜୁଲତା, ନଣନ୍ଦ ନମିତାଞ୍ଜଳୀ ପାତ୍ର, ନଣନ୍ଦେଇ ପ୍ରମୁଖ ମୋଟ ଷୋହଳ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଅଭିଯୋଗ ଅନୁସାରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଓଳା ଗ୍ରାମର ପରମାନନ୍ଦ ସାହୁଙ୍କ କନ୍ୟା ସସ୍ମିତାକୁ ସାତଶୋଳା ଗ୍ରାମର ନାରାୟଣ ଚନ୍ଦ୍ର ଖଣ୍ଡାଇଙ୍କ ପୁଅ ନିତ୍ୟଚୈତନ୍ୟଙ୍କୁ ୨୦୧୭ ମସିହାରେ ବିବାହ କରିଥିଲେ । ସେତେବେଳେ ବରଘରର ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ବିବହାର ବର୍ଷକ ପରେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।

ମାତ୍ର ନିତ୍ୟଚୈତନ୍ୟଙ୍କ ପରିବାର ପୁନଶ୍ଚ ତିନିଲକ୍ଷ ଟଙ୍କା ଯୌତୁକ ଦାବି କରି ସସ୍ମିତାଙ୍କୁ ନିର୍ଯାତନା ଦେଉଥିଲେ । ସେହିପରି ସ୍ୱାମୀ ନିତ୍ୟଚୈତନ୍ୟ ଅନ୍ୟତ୍ର ଦ୍ୱିତୀୟ ବିବାହ କରିବାକୁ ବାରମ୍ବାର ଧମକ ଦେଇଥିଲେ । ଗତ ମାସକ ପୂର୍ବେ ନିକଟସ୍ଥ ଚୁଆଗଡିଆ ଗ୍ରାମର ବିବାହ ଲଗ୍ନ ହୋଇସାରିଥିବା ଜନୈକ କନ୍ୟାକୁ ଅପହରଣ କରି ନିତ୍ୟଚୈତନ୍ୟ କୁଆଡେ ଫେରାର ହୋଇଯାଇଥିଲେ । କିଛି ଦିନ ପୂର୍ବରୁ ଘରକୁ ଫେରି ସସ୍ମିତା ଠାରୁ ପୁଅକୁ ଛଡାଇନେଇ ମାଡ ମାରି ବାପଘରକୁ ପଠାଇ ଦେଇଥିଲେ । ତେବେ ଗତ ମଙ୍ଗଳବାର ସନ୍ଧ୍ୟାରେ ସସ୍ମିତା, ଭାଇ ଓ ବାପ ସହ ସାତଶୋଳା ଶାଶୁଘରକୁ ଆସିଥିଲେ । ସେଠାରେ ଶାଶୁଘର ଲୋକେ ମିଳିତ ଭାବେ ସସ୍ମିତା ଓ ତାଙ୍କ ଭାଇଙ୍କୁ ମାଡମାରି ଗୁରୁତର କରିପକାଇଥିଲେ । ଆହତ ସସ୍ମିତାକୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ନିଆଯାଇ ଚିକିତ୍ସା କରାଯାଇଥିଲା ।

ଏ ସମ୍ପର୍କରେ ଫାଣ୍ଡି ପୁଲିସକୁ ଜଣାଇ ଦିଆଯାଇଥିଲା । ମାତ୍ର ଫାଣ୍ଡି ପୁଲିସ ଖଣ୍ଡାଇ ପରିବାରକୁ ସମର୍ଥନ କରି ଅଭିଯୋଗକାରୀଙ୍କୁ ଘଉଡାଇ ଦେଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି । ଡାକ୍ତରଖାନାରୁ ଫେରି ସସ୍ମିତା ଭଣ୍ଡାରିପୋଖରୀ ଥାନାରେ ସାନି ଅଭିଯୋଗ କରିଥିଲେ । ଏନେଇ ୧୮୮/୨୧ନଂ ମାମଲା ଷୋହଳ ଜଣଙ୍କ ନାମରେ ଋଜୁ କରାଯାଇଛି । ଘଟଣାକୁ ତିନିଦିନ ବିତିଯାଇଥିଲେ ବି ପୁଲିସ କାହାରିକୁ ହେଲେ ଗିରଫ କରିନାହିଁ କି ଶିଶୁପୁତ୍ର ଉଦ୍ଧାର ହୋଇନାହିଁ ।

LEAVE A REPLY

Please enter your comment!
Please enter your name here