27.1 C
Bhubaneswar
Tuesday, March 19, 2024
Homeଓଡିଶାଭିକ୍ଷାବୃତ୍ତିରେ ଚଳୁଛି ପରିବାର, ଦୃଷ୍ଟିହୀନ ବାପ-ପୁଅଙ୍କ ଦୁଃଖ ବୁଝିବାକୁ କେହିନାହାନ୍ତି !

ଭିକ୍ଷାବୃତ୍ତିରେ ଚଳୁଛି ପରିବାର, ଦୃଷ୍ଟିହୀନ ବାପ-ପୁଅଙ୍କ ଦୁଃଖ ବୁଝିବାକୁ କେହିନାହାନ୍ତି !

ଭଦ୍ରକ : କିଛି ମଣିଷଙ୍କ ଦୁଃଖ ସରିବାର ନା’ ଧରେ ନାହିଁ । ବୋଝ ଉପରେ ନଳିତା ବିଡ଼ା ମୁଣ୍ଡାଇବାକୁ ପଡ଼େ । ଭଗବାନଙ୍କର ଏହା ଏକ ବଡ଼ ପରୀକ୍ଷା ବୋଲି ଜଣେ ଦୁଃଖିନୀ ମା’ କୁହନ୍ତି । ସେ ହେଉଛନ୍ତି ଚାନ୍ଦବାଲି ବ୍ଲକ କଇଥଖୋଲାସ୍ଥିତ କାଳନ୍ଦି ଆଡ଼ିଆସାହିର ସାବିରା ବିବି । ସାହିରେ ୬୦ ବର୍ଷୀୟ ଜାମସେଦ୍ ଅଲ୍ଲୀ ସାହାଙ୍କ ଘର । ସେ ଜଣେ ଭଲ ଶ୍ରମିକ ତଥା ଦିନ ମଜୁରିଆ । ପର କିଆରିରେ ମୂଲ ମଜୁରୀ ଲାଗି ପରିବାର ଚଳାଉଥିଲେ । ୩୫ବର୍ଷ ବୟସରେ ତାଙ୍କ ଆଖିର ଦୃଷ୍ଟିଶକ୍ତି କମିବାକୁ ଲାଗିଲା । କିଛି ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଲେ । ସେବେଠାରୁ ସେ ଆଉ ମଜୁରୀ ଲାଗିବାକୁ ଯାଇପାରିଲେ ନାହିଁ । ନିଜ କାମ ନିଜେ କରିବାକୁ ମଧ୍ୟ ଅକ୍ଷମ ହୋଇପଡ଼ିଲେ । ପତ୍ନୀ ସାବିରା ତାଙ୍କର ଅଧା କାମ କରିବାକୁ ବାଧ୍ୟ ହେଲେ। ପରିବାର ଉପରକୁ ପ୍ରଥମକରି ଏକ ଦୁଃଖର ଝଡ଼ ମାଡ଼ି ଆସିଲା । ଏଥିରେ ସାବିରା ଭାଙ୍ଗି ପଡ଼ିନଥିଲେ । ଦୁଃଖ କଷ୍ଟରେ ପରିବାର ଚାଲୁଥିଲା । କିଛି ଉପାୟ ନ ପାଇ ଶେଷରେ ଜାମସେଦ୍ ଧରିଲେ ଭିକ୍ଷା ଥାଳି । ୨୦୧୮ମସିହାରେ ତାଙ୍କ ସାନ ପୁଅ ଫିରୋଜ ଅଲ୍ଲୀ ସାହାଙ୍କୁ ବିବାହ କରାଇଲେ । ବିବାହର ୬ମାସ ପରେ ଫିରୋଜଙ୍କ ଆଖିକୁ ଭଲ ଦିଶିଲା ନାହିଁ । ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରାଇଲେ । ଅର୍ଥ ଅଭାବରୁ ଚିକିତ୍ସା ଅଧା ବାଟରେ ରହିଲା । ଡାକ୍ତରଙ୍କୁ ଦେଖା କରିବା କିମ୍ବା ଔଷଧ ଖାଇବା ଅସମ୍ଭବ ହୋଇପଡ଼ିଲା । ୬ମାସ ପରେ ଫିରୋଜଙ୍କ ଆଖିକୁ ଆଦୌ ଦିଶିଲା ନାହିଁ । ସେ ମଧ୍ୟ ଦୃଷ୍ଟିହୀନ ହୋଇଗଲେ । ଗାଡି ଡ୍ରାଇଭର ଥିବା ଫିରୋଜ ଘରେ ବସି ରହିଲେ । ଏହା ଭିତରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହେବା ପରେ ନବବିବାହିତା ପତ୍ନୀ ତାଙ୍କୁ ଛାଡ଼ି ଚାଲିଗଲେ ବାପ ଘରକୁ । ନବଜାତ ଶିଶୁ କନ୍ୟାକୁ ଛାଡ଼ି ଚାଲିଯିବାରୁ ପରିବାର ପାଇଁ ପୁଣି ଆଣିଦେଲା ବଡ଼ ସମସ୍ୟା । ଏତିକିରେ ବିପଦ ବି ସାବିରାଙ୍କ ସଂସାରକୁ ଛାଡ଼ିଲାନି ।

୨୦୧୯ ମସିହାରେ ତାଙ୍କର ବଡ଼ ପୁଅ କିଡ୍‌ନୀଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କଲେ । ଏବେ ପରିବାର ଚଳିବା ପୁରା ମୁସ୍କିଲ୍ ହୋଇପଡ଼ିଛି । ଦୃଷ୍ଟିହୀନ ବାପ-ପୁଅଙ୍କ ସାଥିରେ ୧ବର୍ଷର ଶିଶୁ କନ୍ୟାକୁ ନେଇ ଚଳୁଛନ୍ତି ସାବିରା ଦିଦି । ଘର ଡିହ କେବଳ ତାଙ୍କର ହିଁ ସମ୍ପତ୍ତି । ମାଟିକାନ୍ଥ ଚାଳ ଛପର ଘରେ ରହୁଛନ୍ତି ସାବିରାଙ୍କ ପରିବାର । ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ପାଇନାହାନ୍ତି ଜାମ୍‌ସେଦ୍ ଅଲ୍ଲୀ ସାହା । କେବଳ ଦିବ୍ୟାଙ୍ଗ ଭତ୍ତା ୫ଶହ ଟଙ୍କା ମାସିକ ଯାହା ମିଳୁଛି । ପୁଅ ଫିରୋଜ୍‌ର ଆଖି ଭଲହେବା ପାଇଁ ଅପରେସନ୍ ନିହାତି ଦରକାର ବୋଲି ଡାକ୍ତର କହିଛନ୍ତି । ପୂର୍ବରୁ ସାହିଭାଇ ଲୋକଙ୍କଠାରୁ ଅର୍ଥ ମାଗି ଯାହା ଚିକିତ୍ସା କରିଥିଲେ । ସରକାରୀ ସହାୟତା ମିଳିଲେ ତାଙ୍କ ପୁଅର ଦୃଷ୍ଟିଶକ୍ତି ଫେରିଆସନ୍ତା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking