27.1 C
Bhubaneswar
Thursday, April 25, 2024
Homeଓଡିଶାପର ହାତ ଟେକା ସହାୟତାରେ ବିତୁଛି ଜୀବନ

ପର ହାତ ଟେକା ସହାୟତାରେ ବିତୁଛି ଜୀବନ

ବାସୁଦେବପୁର : ଦୁଃଖ ବି ଏମିତି ଆସେ । ପ୍ରଥମେ ମା’ ଆଉ ତା’ ପଛରେ ବାପା, ଦୁହେଁ ଆରପାରିକୁ ଚାଲିଗଲେ । ଅନାଥ ହୋଇ ରହିଗଲେ ଚାରିଟି ସନ୍ତାନ । ଦୁନିଆ କ’ଣ ଜାଣିବା ଆଗରୁ ବାପା ମା’ ଛେଉଣ୍ଡ ହୋଇଗଲେ ସେମାନେ । ବର୍ଷେ ଦୁଇବର୍ଷ ଅନ୍ତରରେ ବାପା ମା’ ଦୁଇଜଣ ଚାଲିଗଲା ପରେ ଦୁଃଖର ପାହାଡ଼ ତଳେ ଚାପି ହୋଇଯାଇଛି ଚାରି ନିଷ୍ପାପ ପିଲାଙ୍କ ଜୀବନ । କଅଁଳ ବୟସରେ ବାପା ମା’ଙ୍କୁ ହରାଇ ଚାରି ପିଲାଙ୍କ ଆଖିର ଲୁହ ଶୁଖୁନି କି’ ଛାତିର କୋହ ଥମୁନି । ଭଙ୍ଗା କୁଡିଆରେ ଚାରି ଭାଇଭଉଣୀ ପରର ହାତଟେକା ସାହାଯ୍ୟରେ ଏବେ ଜୀବନ ବିତାଉଛନ୍ତି ।

ବାସୁଦେବପୁର ପୌରପାଳିକାର ୧୫ନମ୍ବର ୱାର୍ଡର ମିର୍ କମାଲୁଦ୍ଦିନ ଓ ଅକ୍ସନା ବିବିଙ୍କ ପରିବାର । ପୁଅ ଝିଅ ମିଶି ଚାରିଜଣ । ଚାରି ପିଲାଙ୍କ ବୟସ ଅଢେଇ ବର୍ଷରୁ ୧୪ବର୍ଷ ମଧ୍ୟରେ । କମାଲୁଦ୍ଦିନ କଥାବାର୍ତ୍ତା ସ୍ପଷ୍ଟ ଭାବେ କରିପାରେ ନାହିଁ । ବାସୁଦେବପୁର ସହରର ଥାନା ଛକରେ ସାଇକେଲ ମରାମତି କାମ କରୁଥିଲା । ରାସ୍ତାକଡ଼ରେ ଅଖା ପାରିଦେଇ ହାତଗଣତି କେତେକ ଉପକରଣ ରଖି ସାଇକେଲ ବନାଏ । ଏଥିରୁ ଯାହା ରୋଜଗାର ହୁଏ ପରିବାର ଚଳେ । ଅଭାବ ଅନଟନକୁ ସାଥୀକରି ଯେନତେନ ପରିବାର ଚଳାଇ ନେଉଥିଲେ କମାଲୁଦ୍ଦିନ । ହେଲେ ଦୁଇବର୍ଷ ତଳେ ମା’ ଅକ୍ସନା ହଠାତ ଶାରୀରିକ ଅସୁସ୍ଥ ହୋଇପଡିବାରୁ ପାଖ ପଡୋଶୀଙ୍କ ସହାୟତାରେ ଡାକ୍ତର ଦେଖାଇ ଚିକିତ୍ସା କରାଗଲା ।

ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିବା ମା’ ଦିନେ ରାତିରେ ଶୋଇଥିବା ବେଳେ ହୃଦ୍‌ଘାତରେ ଜୀବନ ଚାଲିଗଲା । ମା’ ଚାଲିଯିବା ପରେ ନବମ ଶ୍ରେଣୀରେ ପଢୁଥିବା ବଡ଼ଝିଅ ଅପ୍‌ସେରୁନ୍ ଖାତୁନ୍‌ର ପାଠପଢ଼ାରେ ଡୋରି ବନ୍ଧାହେଲା । ସାନ ସାନ ଭାଇଭଉଣୀମାନଙ୍କ ଦାୟିତ୍ୱ ବୁଝିଲା ବଡ଼ଝିଅ ଅପ୍‌ସେରୁନ୍ । ହେଲେ ବିଧିର ବିଧାନ ଥିଲା ଅଲଗା । ଦୀର୍ଘଦିନ ଧରି କିଡ୍‌ନୀ ରୋଗରେ ପୀଡିତ ବାପା ଚିକିତ୍ସା ଅଭାବରୁ ଘରେ ଶଯ୍ୟାଶାୟୀ ହୋଇଗଲେ । ଆଉ ଗତ ସାତ ମାସତଳେ ଘରେ ଶୋଇଥିବା ବେଳେ ହଠାତ୍ ମା’ଙ୍କ ପରି ସିଏବି ହୃଦ୍‌ଘାତରେ ଚାଲିଗଲେ । ଫଳରେ ଅନାଥ ହୋଇଗଲେ ଚାରିଜଣ ପିଲା । ଦୁଇବର୍ଷ ଭିତରେ ବାପା ମା’ ଦୁଇଜଣଙ୍କୁ ହରାଇ ବସିଛନ୍ତି ପିଲାମାନେ । ଏବେ ବହୁ ଦୁଃଖକଷ୍ଟରେ ଦିନ କାଟୁଛନ୍ତି ।

ପାଖରେ କିଛି ସମ୍ବଳ ନାହିଁ କି ମୁଣ୍ଡ ଗୁଞ୍ଜିବାକୁ ଭଲ ଛପର ଖଣ୍ଡେ ନାହିଁ । ଜରାଜୀର୍ଣ୍ଣ ଅବସ୍ଥାରେ ଭଙ୍ଗା ଚାଳିଆରେ ପଡ଼ି ରହିଛନ୍ତି ଏହି ଚାରି ଅନାଥ ପିଲା । ସରକାରୀ ସହାୟତା ଭାବେ କେବଳ ମା’ ନାମରେ ଥିବା ରାସନ କାର୍ଡରେ ମିଳୁଥିବା ଚାଉଳ କେଇ କିଲୋ ସାହାରା ପାଲଟିଛି । ଦୁର୍ଦ୍ଦିନରେ ରହିଥିବା ବାପା ମା’ ଛେଉଣ୍ଡ ଏହି  ଚାରି ପିଲାମାନଙ୍କୁ ପଡୋଶୀଙ୍କ ସହାୟତା ଯଥେଷ୍ଟ ହେଉନାହିଁ । ତେବେ ସିଡିପିଓ ଦାୟିତ୍ୱରେ ଥିବା ବାସୁଦେବପୁର ବିଡିଓ କହିଛନ୍ତି, ଆଇସିଡିଏସ୍ ସୁପରଭାଇଜର ଏହି ପିଲାଙ୍କ ନିକଟରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛନ୍ତି । ଏଥିସହ ସେ ପୌରନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରି କିପରି ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରିବ ସେଥିପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking