40.1 C
Bhubaneswar
Thursday, April 25, 2024
Homeଓଡିଶାଭଙ୍ଗା କୁଡ଼ିଆରେ ବନ୍ଧା ଜୀବନ, ସହାୟତା ଅପେକ୍ଷାରେ ସହଦେବ

ଭଙ୍ଗା କୁଡ଼ିଆରେ ବନ୍ଧା ଜୀବନ, ସହାୟତା ଅପେକ୍ଷାରେ ସହଦେବ

ବରଗଡ଼  : ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗରିବଙ୍କ ପାଇଁ ଅନେକ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି । ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ କରିବାରେ ଅମ୍ବାଭୋନା ବ୍ଲକ ପ୍ରଶାସନ କିନ୍ତୁ ଫେଲ୍ ମାରିଛି । ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଲକ ଡୁଙ୍ଗୁରୀ ପଞ୍ଚାୟତ ସଉନ୍ତାମାଲ ଷ୍ଟାଇକପଡାର ଦିବ୍ୟାଙ୍ଗ ସହଦେବ ଗହୀର ଏବଂ ବୃଦ୍ଧା ମାଆ ମୁନୁ ଗହୀର (୭୦)ଙ୍କ ଦୟନୀୟ ସ୍ଥିତି ଦେଖିଲେ ଏହା ବେଶ୍ ଜଣାପଡ଼େ ।

ଦିନ ଥିଲା ବୃଦ୍ଧା ମୁନୁ ଗହୀର ଡୁଙ୍ଗୁରୀ ଚୂନପଥର ଖଣିରେ ଶ୍ରମିକ ଭାବେ କାମ କରି ଜନ୍ମରୁ ଦିବ୍ୟାଙ୍ଗ ପୁଅ ସହଦେବର ଲାଳନ ପାଳନ କରିଆସୁଥିଲେ । ଭୂମିହୀନ ମୁନୁ ଏବେ  ରୋଜଗାରହୀନ ଏବଂ ଅସହାୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ସରକାରଙ୍କ ତରଫରୁ ଦିଆଯାଉଥିବା ଭତ୍ତା ଏବଂ ଚାଉଳ ହିଁ ତାଙ୍କର ଏକମାତ୍ର ଭରସା । ଚାଳଛପର ତଥା ଭଙ୍ଗାଦଦରା କୁଡ଼ିଆରେ ବନ୍ଧାପଡ଼ିଛି ଦୁଇ ଅସହାୟ ମାଆ-ପୁଅଙ୍କ ଜୀବନ । ନା’ ଅଛି ରୋଜଗାର ନା’  ଅଛି ସମ୍ବଳ । ତଥାପି ଭାଗ୍ୟ ଓ ଭଗବାନକୁ ଭରସା କରି ରାସନ ଚାଉଳ ଓ ଭତ୍ତା ସାହାଯ୍ୟରେ ଦି’ମୁଠା ଭାତ ତିଅଣ ରାନ୍ଧି ବହୁ ଦୁଃଖକଷ୍ଟରେ କାଳତିପାତ କରୁଛନ୍ତି । ଆର୍ଥକ ଅନାଟନ ଯୋଗୁ ଭଙ୍ଗା କୁଡ଼ିଆରେ ମରାମତି କରିପାରୁ ନାହାନ୍ତି । ପକ୍କା ଘର ପାଇଁ ୱାର୍ଡମେମ୍ବର ଓ ସରପଞ୍ଚଙ୍କ ଠାରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି । ଆବାସ ଅପେକ୍ଷାରେ ସେମାନଙ୍କ ଦିନ ବିତୁଛି ।

ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁ ଁ ପକ୍କା ଘର ସେମାନଙ୍କ ପାଇଁ ସାତସପନ ପାଲଟିଛି । ଛୋଟ ଝୁମ୍ପୁଡ଼ି ମାଟି ଘରେ ଦି’ଖଣ୍ଡ କନା, ଦି’ ଖଣ୍ଡ ଦଉଡ଼ିଆ ଖଟ ଏବଂ ଆଲୁମିନିୟମ ବାସନକୁସନ ହେଉଛି ସେମାନଙ୍କ ସମ୍ବଳ । ସ୍ୱଚ୍ଛ ଭାରତ ମିଶନ୍‌ରେ ପାଇଖାନା ମଧ୍ୟ ପାଇବାରୁ ବଞ୍ଚିିତ । ଝାଟିମାଟି ଚାଳଛପର ଉଡ଼ିଗଲାଣି । ପଲିଥିନ୍‌ଟିଏ ଢାଙ୍କିବାରୁ ପାଖରେ ସମ୍ବଳ ନାହିଁ । ସହଦେବ ଜନ୍ମରୁ ଦିବ୍ୟାଙ୍ଗ । ବହୁକଷ୍ଟରେ ଆଶାବାଡ଼ି ସାହାରାରେ ଯିବା ଆସିବା କରନ୍ତି । କାଳିଆ ଯୋଜନାରେ ଭୂମିହୀନ ଶ୍ରମିକ ଭାବେ ମଧ୍ୟ ଟଙ୍କାଟିଏ ପାଇନାହାନ୍ତି  ଏହି ଅସହାୟ ପରିବାର । ଅଭିଶପ୍ତ ଜୀବନ ବିତାଉଥିବା ଅସହାୟ ବିଧବା ବୃଦ୍ଧା ମୁନୁ ଏବଂ ଦିବ୍ୟାଙ୍ଗ ପୁଅ ସହଦେବଙ୍କ ଉପରେ ସରକାରଙ୍କ ଶୁଭଦୃଷ୍ଟି କେବେ ପଡ଼ିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking