ବ୍ୟାଙ୍କ ଗାଡ଼ିରୁ ଟଙ୍କା ଲୁଟ୍ ଘଟଣା : ଧରାପଡ଼ିଲେ ନାବାଳକଙ୍କ ସମେତ ୯ ଡକାୟତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଠୁଠିପିପଲ ଠାରେ ଦେବଗଡ଼ ଜିଲ୍ଲା ଲଇମୁରା ୟୁନିଅନ ବ୍ୟାଙ୍କ ଶାଖାର ନଗଦ ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଡକାୟତି ମାମଲାରେ ସମ୍ବଲପୁର ପୁଲିସକୁ ସଫଳତା ମିଳିଛି । ଘଟଣାର ୧୦ ଦିନରେ ପୁଲିସ ଦୁଇ ମାଷ୍ଟର ମାଇଣ୍ଡଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୧୦ ଲକ୍ଷ ୯ ହଜାର ଟଙ୍କା ଏବଂ ଲୁଟ ଟଙ୍କାରେ କିଣାଯାଇଥିବା ଏକ କାର, ଦୁଇଟି ବାଇକ, ସୁନା ଓ ରୂପା ଅଳଙ୍କାର ତଥା ଡକାୟତିରେ ବ୍ୟବହୃତ ୫ଟି ବାଇକ, ୮ଟି ମୋବାଇଲ ଓ କଟୁରୀ ଜବତ କରିଛି । ଡକାୟତିରେ ସମ୍ପୃକ୍ତ ଆଉ ୨ ଜଣ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଥିବା ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ଜିଲ୍ଲା ଟିପିରିସିଂହାର ଗୋବିନ୍ଦ କିସାନ (୨୪), ଦିଲୀପ ବାଗ (୨୨), ବିଶ୍ୱନାଥ କିସାନ (୩୫) ଓ ଅମରେଶ କିସାନ (୨୫), ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ଗୁଡ଼ିଆଲିର ଚିତ୍ରସେନ ଓରଫ କାଲୁ ଲାକ୍ରା (୨୨), ଢେଙ୍କାନାଳ ଜିଲ୍ଲା ପଥରଗଡ଼ା ଶଙ୍କରପୁରର ଖଣ୍ଡି ଓରଫ ରୋହିତ ନାଏକ (୩୪) ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଅନୁଆପଡ଼ାର ମୁଟୁରୁ ଓରଫ ଉମେଶ ସାହୁ (୩୨) । ଏହାସହିତ ଗିରଫଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଜଣେ ନାବାଳକ ଅଭିଯୁକ୍ତ ମଧ୍ୟ ରହିଛନ୍ତି ।
ସୂଚନା ଅନୁଯାୟୀ, ଗତ ୯ ତାରିଖ ୟୁନିଅନ ବ୍ୟାଙ୍କ ଲଇମୁରା ଶାଖାର ଆସିଷ୍ଟାଂଟ ମ୍ୟାନେଜର ବିନୀତ କୁଜୁର ଓ ପିଅନ ସଦାଶିବ ବାଣ୍ଠ ଓଡି୧୫ଜି ୨୯୩୨ ନମ୍ବର ଏକ ଭଡ଼ା ବଲେରୋରେ ଡ୍ରାଇଭର ଶରତ ବାଘଙ୍କ ସହ ବ୍ୟାଙ୍କର ସମ୍ବଲପୁର ଶାଖାରୁ ନଗଦ ୩୫ ଲକ୍ଷ ୪୧ ହଜାର ଟଙ୍କା ନେଇ ଲଇମୁରା ଫେରୁଥିବାବେଳେ ଠୁଠିପିପଲରେ ଏକ ନିର୍ମାଣାଧୀନ କଲଭର୍ଟ ପାଖରେ ଲୁଟର ଶିକାର ହୋଇଥିଲେ । ଦୁଇଜଣ ବସିଥିବା ଏକ ବଜାଜ ପଲସର ବାଇକ ବଲେରୋ ସାମ୍ନାକୁ ଆସି ପଥରୋଧ କରିଥିବାବେଳେ ବଲେରୋଟି ଅଟକି ଯିବାରୁ ଉଭୟ ପାଶ୍ୱର୍ରୁ ଆଉ ଦୁଇଟି ବାଇକରେ ଚାରିଜଣ ଆସି ଟଙ୍କା ବ୍ୟାଗ ସହ ବୋଲେରର ଚାବି, ଡ୍ରାଇଭରଙ୍କ ପର୍ସ, ମୋବାଇଲ ଏବଂ ଆସିଷ୍ଟାଂଟ ମ୍ୟାନେଜରଙ୍କ ଦୁଇଟି ମୋବାଇଲ ଓ ପର୍ସ ଲୁଟି ଫେରାର ହୋଇଯାଇଥିଲେ । ରାତି ୮ଟାରେ ଏନେଇ ୟୁନିଅନ ବ୍ୟାଙ୍କ ଲଇମୁରା ବ୍ରାଂଚ ମ୍ୟାନେଜର ଆଲୋକ ପଟେଲ କୁଚିଣ୍ଡା ଥାନାରେ ଏତଲା କରିଥିଲେ । କୁଚିଣ୍ଡା ଏସଡ଼ିପିଓ ରାଜକିଶୋର ମିଶ୍ର ଓ ଆଇଆଇସି କମଲ ପଣ୍ଡା ତୁରନ୍ତ ଘଟଣାସ୍ଥଳରେ ପହଂଚି ଥିବାବେଳେ ଏସପି ଡ. କନୱର ବିଶାଲ ସିଂହ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ପୁଲିସ ପକ୍ଷରୁ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ନାକାବନ୍ଦୀ କରାଯାଇଥିଲା । ପୁଲିସ ବଲେରୋରେ ଥିବା ବ୍ୟାଙ୍କର ଦୁଇ କର୍ମଚାରୀ ଓ ଡ୍ରାଇଭରଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ୪ଟି ଦଳ ଗଠନ କରି ତଦନ୍ତ ଚଳାଇଥିଲା । ତଦନ୍ତରେ ଜଣେ ଅଭିଯୁକ୍ତ ଗୋବିନ୍ଦ ବ୍ୟାଙ୍କକୁ ଆସିଥିବା ସମୟରେ ନଗଦ ଟଙ୍କା ଆଣିବାକୁ କର୍ମଚାରୀମାନେ ସମ୍ବଲପୁର ଯାଉଥିବା ଏବଂ ସେମାନେ ସନ୍ଧ୍ୟାରେ ଫେରିବେ ବୋଲି ଜାଣି ପାରିଥିଲେ । ସେ ତୁରନ୍ତ ଏ ସମ୍ପର୍କରେ ମାଷ୍ଟର ମାଇଣ୍ଡ ସୁମନ୍ତଙ୍କୁ ସୂଚିତ କରିଥିଲେ । ଏହାପରେ ସୁମନ୍ତ ଓ ଅନ୍ୟତମ ମାଷ୍ଟର ମାଇଣ୍ଡ ଚିତ୍ରସେନ ଡକାୟତିର ପୁରା ଯୋଜନା ପ୍ରସ୍ତୁତ କରିଥିଲେ । ଛଅ ଜଣ ପ୍ରତ୍ୟକ୍ଷ ଭାବେ ଡକାୟତିରେ ସାମିଲ ହୋଇଥିବାବେଳେ ଅନ୍ୟମାନେ ଆବଶ୍ୟକ ସହଯୋଗ କରିଥିଲେ । ଲୁଟ ଟଙ୍କା ନିଜ ନିଜ ମଧ୍ୟରେ ବାଂଟି ନେବାର ଦୁଇତିନି ଦିନ ମଧ୍ୟରେ ଅଭିଯୁକ୍ତମାନେ କାର, ବାଇକ ଓ ଅଳଙ୍କାର ଇତ୍ୟାଦି କିଣିଥିବା ଜଣାପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here