ଗୋଆ : ଆଇଏସ୍ଏଲ୍-୭ର ନବମ ମ୍ୟାଚ୍ଟି ଶନିବାର ଏଠଶକାର ଫତୋର୍ଦା ଷ୍ଟାଡିୟମ୍ରେ ଖେଳାଯାଇଛି । ଏଥିରେ ବେଙ୍ଗାଲୁରୁ ଏଫ୍ସି ଓ ହାଇଦ୍ରାବାଦ ଏଫ୍ସି ମଧ୍ୟରେ ମୁକାବିଲା ହୋଇଥିଲା । ତେବେ ଏଥିରେ କୌଣସି ଗୋଲ୍ ନ ହେବାରୁ ମ୍ୟାଚ୍ଟି ବିନା ଫଇସଲାରେ ଶେଷ ହୋଇଛି । ଏଥିସହ ଚଳିତ ସିଜନ୍ରେ ଏହା ପ୍ରଥମ ମ୍ୟାଚ୍, ଯେଉଁଥିରେ କୌଣସି ଗୋଲ୍ ହୋଇପାରିନାହିଁ । ଉଭୟ ଟିମ୍ ପଏଣ୍ଟ୍ ବାଣ୍ଟିବା ଫଳରେ ହାଇଦ୍ରାବାଦ ୪ ପଏଣ୍ଟ୍ ସହ ପଏଣ୍ଟ୍ ଟେବଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ସେହିପରି ପ୍ରଥମ ମ୍ୟାଚ୍ଟି ଡ୍ର\’ ରଖିଥିବା ବେଙ୍ଗାଲୁରୁ ୨ ପଏଣ୍ଟ୍ ପାଇ ଟେବଲରେ ଷଷ୍ଠ ସ୍ଥାନରେ ଅପରିବର୍ତ୍ତିତ ରହିଛି । ମ୍ୟାଚ୍ର ପ୍ରଥମାର୍ଦ୍ଧରେ ହାଇଦ୍ରାବାଦର ପଲା ଭାରୀ ରହିଥିଲା । ଅବଶ୍ୟ ବେଙ୍ଗାଲୁରୁ ପକ୍ଷରୁ ଷଷ୍ଠ ମିନିଟ୍ରେ ଆଶିକ କୁରୁନିୟନ୍ ପ୍ରଥମ ଆକ୍ରମଣ କରିଥିଲେ । ୨୩ତମ ମିନିଟ୍ରେ ବେଙ୍ଗାଲୁରୁର ଏରିକ୍ ପାର୍ଟାଲୁଙ୍କୁ ରେଫରୀ ହଳଦିଆ କାର୍ଡ ଦେଖାଇଥିଲେ । ୨୪ତମ ମିନିଟ୍ରେ ହାଇଦ୍ରାବାଦ ଅଧିନାୟକ ଏରିକ୍ ସାଣ୍ଟାନାଙ୍କ ଉଦ୍ୟମକୁ ବେଙ୍ଗାଲୁରୁ ଗୋଲ୍କିପର୍ ବିଫଳ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଉଭୟ ପକ୍ଷ ଏକାଧିକ ବାର ସ୍ଥିତି ବଦଳାଇବାର ସୁଯୋଗ ପାଇଥିଲେ । ୭୦ତମ ମିନିଟ୍ରେ ହାଇଦ୍ରାବାଦ ପକ୍ଷରୁ ହାଲିଚରନ୍ ନାରଜାରେ ଗୋଲ୍ ପାଇଁ ଉଦ୍ୟମ କରିଥିଲେ ହେଁ ତାହା ଗୋଲପୋଷ୍ଟ୍ ଉପରେ ଚାଲିଯାଇଥିଲା । ସେହିପରି ୮୩ତମ ମିନିଟ୍ରେ ବେଙ୍ଗାଲୁରୁର ହରମନଜୋତ୍ ସିଂଙ୍କୁ ହଳଦିଆ କାର୍ଡ ଦିଆଯାଇଥିଲା । ଇନ୍ଜୁରୀ ଟାଇମ୍ରେ ବି ଗୋଲ୍ ନ ହେବାରୁ ଆଇଏସ୍ଏଲରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହାଇଦ୍ରାବାଦ କୌଣସି ଗୋଲ୍ ବରଣ କରି ନ ଥିଲା ।