34.1 C
Bhubaneswar
Thursday, April 25, 2024
Homeଓଡିଶାଦିବ୍ୟାଙ୍ଗଙ୍କ କରୁଣ କାହାଣୀ : ଆଧାର କାର୍ଡ ନଥିବାରୁ ମିଳୁନି ସରକାରୀ ସହାୟତା

ଦିବ୍ୟାଙ୍ଗଙ୍କ କରୁଣ କାହାଣୀ : ଆଧାର କାର୍ଡ ନଥିବାରୁ ମିଳୁନି ସରକାରୀ ସହାୟତା

ବାଲେଶ୍ୱର : ସରକାର ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ  ପ୍ରଦାନ କରୁଥିଲେ ସୁଦ୍ଧା ପ୍ରକୃତ ହିତାଧିକାରୀ ମାନେ ଏଥିରେ ଲାଭ ପାଇପାରୁ ନାହାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅର୍ନ୍ତଗତ ବରିପଦା ଅଞ୍ଚଳରେ । ବୟସ ୨୦ ହେଲେ ଶରୀରର ବିକାଶ ଘଟୁନାହିଁ । ଅନ୍ୟପଟେ ତାଙ୍କର ଆଧାର କାର୍ଡ ହୋଇପାରୁନି ବୋଲି ତାଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ମଧ୍ୟ ମିଳିପାରୁ ନାହିଁ । ଫଳରେ ତାଙ୍କ ମା’ ତାଙ୍କୁ ସରକାରୀ ସୁବିଧା ଯୋଗାଇଦେବା ଆଶାରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଅନ୍ୟପଟେ ଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ,  ବାହାନଗା ବ୍ଲକ ବରିପଦା ଗାଁରେ ଜୟନ୍ତୀ ମାଝି ତାଙ୍କ ଦୁଇ ପୁଅ ଓ ଦୁଇ ଝିଅକୁ ନେଇ ରହନ୍ତି । ତାଙ୍କ ସ୍ୱାମୀ ମଣିଭଦ୍ର ମାଝି ବହୁ ବର୍ଷ ପୂର୍ବରୁ ଇହଧାମ ତ୍ୟାଗ କରିଛନ୍ତି । ଏବେ ପରିବାରର ପାଞ୍ଚପ୍ରାଣୀଙ୍କ ବୋଝ ଜୟନ୍ତୀଙ୍କ ଉପରେ ପଡ଼ିଛି । ଚାରି ପୁଅ ଝିଅଙ୍କ ମଧ୍ୟରୁ ଗୋଟିଏ ପୁଅ ପ୍ରଶାନ୍ତ ମାଝୀ (୨୦) ଜନ୍ମରୁ ଭିନ୍ନକ୍ଷମ । ଦିନକୁ ଦିନ ତାଙ୍କର ବୟସ ବୃଦ୍ଧି ପାଉଥିବା ବେଳେ ଶରୀରର ଆକାର ସେହି ଅନୁପାତରେ କୌଣସି ପ୍ରକାର ବୃଦ୍ଧି ହୋଇନାହିଁ । ସେ ଠିଆ ହୋଇପାରୁ ନଥିବା ବେଳେ ଆଖି ମଧ୍ୟ ଖୋଲିପାରୁ ନାହାନ୍ତି। ଏପରିକି ତାଙ୍କ ହାତର ଆଙ୍ଗୁଠି ଗୁଡିକ ମଧ୍ୟ ଖୋଲୁ ନାହିଁ । ଏଭଳି ସ୍ଥିତିରେ ତାଙ୍କୁ ସ୍ନାନ ଶୌଚାଦି ପାଇଁ ଟେକି ଟେକି ନେବାକୁ ପଡୁଛି ବୋଲି ତାଙ୍କ ମା’ କହିଛନ୍ତି । ଏହାଛଡା ସେ କହିଛନ୍ତି ଯେ, ସେ ଜଣେ ଦିନ ମଜୁରିଆ । ପର ଘରେ କାମ କରି ସେଥିରୁ ଯାହା ରୋଜଗାର କରନ୍ତି ସେଥିରେ ସେ ସେ ପିଲାଙ୍କ ପାଠପଢ଼ା ସହ ପରିବାର ଭରଣ ପୋଷଣ କରନ୍ତି ।

ହେଲେ ତାଙ୍କ ଦିବ୍ୟାଙ୍ଗ ପୁଅଙ୍କ ପାଇଁ ତାଙ୍କର ଚିନ୍ତା । ଅଭାବ ଅନଟନ ମଧ୍ୟରେ ରହୁଥିବା ବେଳେ ଦିବ୍ୟାଙ୍ଗ ପୁଅଙ୍କ ଚିକିତ୍ସା ହୋଇପାରୁ ନାହିଁ । ଏପରିକି ସେ ସଠିକ ଭାବେ ଆଖି ଖୋଲି ପାରୁ ନଥିବା ବେଳେ ସଠିକ ଭାବେ କଥା କହିପାରୁ ନାହାନ୍ତି । ପୂର୍ବରୁ କୌଣସି ପ୍ରକାର ଆଧାର କାର୍ଡ ହୋଇଥିଲା । ଫଳରେ ସେ ବିକଳାଙ୍ଗ ଭତ୍ତା ୭ଶହ ଟଙ୍କା ଏବଂ ୧୦କେଜି ଚାଉଳ ପାଉଥିଲେ । ପରେ ଉକ୍ତ ୧୦କେଜି ଚାଉଳକୁ କମାଯାଇ ୫କେଜି ଚାଉଳ କରାଯାଇଥିଲା । ଏବେ ତାଙ୍କର ବୟସ ବଢ଼ିବା ସହ ପୂର୍ବ ପରି ଆଉ ଖୋଲି ପାରୁ ନାହାନ୍ତି କି ହାତ ଖୋଲି ଟିପ ଚିହ୍ନ ମଧ୍ୟ ଦେଇ ପାରୁ ନାହାନ୍ତି । ଫଳରେ ତାଙ୍କ ଆଧାର କାର୍ଡଟି କଟିଯାଇଛି । ତେଣୁ ଭତ୍ତା ହିସାବରେ ପାଉଥିବା ୭ଶହ ଟଙ୍କା  ଏବଂ ଚାଉଳ କଟିଯାଇଛି । ସରକାରୀ ସୁବିଧା ପୁନର୍ବାର ପାଇବା ଲାଗି ତାଙ୍କ ମା’ ସ୍ଥାନୀୟ ପ୍ରଶାସନଙ୍କ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇପଡ଼ିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ ।  ଫଳରେ ସେ ସୋମବାର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତାଙ୍କର ସମସ୍ତ ପ୍ରକାର ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଏହାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking