ପ୍ରସାଦ ଖାଇ ଶିଶୁ ମୃତ, ଶତାଧିକ ଅସୁସ୍ଥ

ବାଲେଶ୍ୱର: ବାହାନଗା ବ୍ଲକ ଦାଣ୍ଡହରିପୁର ପଞ୍ଚାୟତର ଆରୁହାରେ ଥିବା ଭୋଳେଶ୍ୱର ମହାଦେବ ମନ୍ଦିର ନିକଟରେ ହରିହାଟ ପ୍ରସାଦ ଖାଇ ଗ୍ରାମର ଶତାଧିକ ବ୍ୟକ୍ତି ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପରେ ୨୮ତାରିଖ ପ୍ରସାଦ ଖାଇଥିବା ବ୍ୟକ୍ତିଙ୍କର ପେଟ କାଟିବାରୁ କିଛି ଲୋକ ସ୍ଥାନୀୟ ଔଷଧ ଦୋକାନ, ସାଉଡ଼ ପ୍ରାଥମିକ ଚିକିତ୍ସାଲୟ, ଗୋପାଳପୁର, ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । କରୋନା କଟକଣା ସାଙ୍ଗକୁ ହରିହାଟ ବାବଦରେ ପ୍ରସାଦ ଖାଇ ନିଜ ମଧ୍ୟରେ ପେଟ କାଟି ଝାଡ଼ାବାନ୍ତି ହେବାରୁ ଘଟଣାକୁ ଗ୍ରାମବାସୀ ଚପାଇ ଦେବାପାଇଁ ପ୍ରୟାସ କରିଥିଲେ । ଏପରି କି ସ୍ଥାନୀୟ ଭଗବାନ ଧଳଙ୍କ ୫ବର୍ଷର ଝିଅ ପ୍ରଜ୍ଞାପାରମିତା ଧଳଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର ବେଳେ ରାସ୍ତାରେ  ମୃତ୍ୟୁ ହୋଇ ଚାପା ଉତ୍ତେଜନା ଦେଖାଦେଇଥିଲା ।

ଭୋଜି ଖାଇ ଝାଡ଼ା ବାନ୍ତିି, ପେଟ କାଟିବା ଘଟଣା ସାଙ୍ଗକୁ ଶିଶୁର ମୃତ୍ୟୁ ପାଇଁ ଗ୍ରାମରେ କୋକୁଆ ଭୟ ଖେଳିଯାଇଥିଲା । ଖବର ପାଇ ଗୋପାଳପୁୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ଧୀରେଶ ଷଡ଼ଙ୍ଗୀଙ୍କ ସହ ଏକ ଟିମ ଦାଣ୍ଡହରିପୁର ପଞ୍ଚାୟତ ଆରୁହା ସ୍କୁଲରେ ପହଞ୍ଚି ପ୍ରାଥମିକ ଭାବେ ରୋଗୀଙ୍କର ଅବସ୍ଥା ବୁଝି  ଔଷଧ ବଣ୍ଟନ କରିଥିଲେ । ଗ୍ରାମବାସୀ ସଠିକ୍ ଡାକ୍ତର ଦାବି କରି ଲୋକମାନଙ୍କ ମଧ୍ୟରେ ହା ହୋଲ୍ଲା ହୋଇଥିଲା । ଘଟଣା ପ୍ରଘଟ ହେବା ପରେ ଶୁକ୍ରବାର ବାଲେଶ୍ୱରରୁ ଡାକ୍ତର ଅରୂପ ଅଭିଷେକଙ୍କ ସହ ଏକ ଚିକିତ୍ସକ ଦଳ ଘଟଣାସ୍ଥଳ ବୁଲିବା ସହ ସ୍ଥାନୀୟ ଅଙ୍ଗନବାଡି ସ୍କୁଲରେ ବସି ରୋଗୀଙ୍କ ସମସ୍ୟା ବାବଦରେ ପଚାରି ବୁଝିଥିଲେ । ଝାଡ଼ାବାନ୍ତି ରୋଗରେ ଆହତ ଓ ଶଯ୍ୟାଶାୟୀ ଥିବା  ରୋଗୀଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here