ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ : ପ୍ରଫେସର ଚଳାଇଲେ ଗୁଳ

ପ୍ରଫେସର ଅଟକ
ବାଲେଶ୍ୱର : ବାଲେଶ୍ୱର ସହର ଏବେ ଅଶାନ୍ତ ହୋଇପଡ଼ିଛି । କଥା କଥାରେ ଫୁଟୁଛି ଗୁଳି । ଶନିବାର ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ଗଡ଼ଗଡ଼ିଆ ଛକଠାରେ ଥିବା ସଞ୍ଜୟ ହାଇଟ୍ ଆପାର୍ଟମେଣ୍ଟ ପରିସରରେ । ଗାଡି ପାର୍କିଂକୁ ନେଇ ଜଣେ ପ୍ରଫେସର ସେହି ଆପାର୍ଟମେଣ୍ଟରେ ଥିବା ଅନ୍ୟଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ୱୀକୃତିପ୍ରାପ୍ତ ବନ୍ଧୁକରୁ ଗୁଳିମାରିଛନ୍ତି । ଫଳରେ ସେ ଗୁରୁତର ଆହତ ହେବାରୁ ତାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଟାଉନ ପୁଲିସ ସଞ୍ଜୟ ଆପାର୍ଟମେଣ୍ଟରେ ତଦନ୍ତ ଆରମ୍ଭ କରିବା ସହ ଗୁଳିମାଡ଼ କରିଥିବା ପ୍ରଫେସରକୁ ଅଟକ ରଖିବା ସହ ବନ୍ଧୁକ ଜବତ କରିଛି । ଅନ୍ୟପଟେ ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିହାର ଅଞ୍ଚଳର ଗଙ୍ଗାବିଷ୍ଣୁ ସିଂଙ୍କ ପୁଅ ଆନନ୍ଦ ସିଂ(୪୨) ।

ସୂଚନା ଅନୁଯାୟୀ, ଟାଉନଥାନା ଅନ୍ତର୍ଗତ ଗଡ଼ଗଡ଼ିଆ ଛକଠାରେ ରହିଛି ସଞ୍ଜୟ ଆପାର୍ଟମେଣ୍ଟ । ଏହି ଆପାର୍ଟମେଣ୍ଟରେ ବିହାର ଅଞ୍ଚଳର ଆନନ୍ଦ ସିଂ ଦୀର୍ଘ ଦିନ ଧରି ୫୦୬ନମ୍ବର ଫ୍ଲା୍‌ଟ କିଣି ରହି ଆସୁଥିଲେ । ସେହିପରି ଉକ୍ତ ଆପାର୍ଟମେଣ୍ଟରେ ଜଣେ ପ୍ରଫେସର ଲକ୍ଷ୍ମଣ ବେହେରା ୫୧୧ନମ୍ବର ରୁମ୍ କିଣି ରହୁଥିଲେ । ତେବେ ଆନନ୍ଦ ଉକ୍ତ ଫ୍ଲାଟରେ ରହିବା ସହ ନିକଟରେ ଏକ ଟିଭି ଦୋକାନ କରିଥିଲେ । ତେବେ ଶନିବାର ସନ୍ଧ୍ୟାରେ ଗାଡି ପାର୍କିଂକୁ ନେଇ ଉଭୟ ଆନନ୍ଦ ଏବଂ ଲକ୍ଷ୍ମଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ପ୍ରଫେସର ଲକ୍ଷ୍ମଣ ଉତ୍ତ୍ୟକ୍ତ ହୋଇ ତାଙ୍କ ନିକଟରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳିମାଡ଼ କରିଥିଲେ । ଫଳରେ ଗୁଳିଟି ଆନନ୍ଦଙ୍କ ଛାତିରେ ବାଜିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ତାଙ୍କୁ ବାଲେଶ୍ୱର ମେଡିକାଲ ନେଇଥିଲେ । ପରେ ସେ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ପୁଲିସ ଉକ୍ତ ସଞ୍ଜୟ ଆପାର୍ଟମେଣ୍ଟରେ ତଦନ୍ତ କରିବା ସହ ପ୍ରଫେସର ଲକ୍ଷ୍ମଣଙ୍କୁ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here