27.1 C
Bhubaneswar
Friday, March 29, 2024
Homeଓଡିଶାବରଫ କଳରୁ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍‌

ବରଫ କଳରୁ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍‌

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ତାରିଣୀ ଛକଠାରେ ଥିବା ଏକ ବରଫ କଳରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି । ବରଫ କଳରୁ ବିଷାକ୍ତ ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଗ୍ୟାସକୁ ଆୟତ୍ତ କରିଥିଲା । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ବରଫ କଳ ସମ୍ମୁଖରେ ଥିବା ସ୍କୁଲର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆଯାଇଥିବା ବେଳ ପୁଲିସ ସ୍ଥାନୀୟ ଅଞ୍ଚଳରେ ଜଗି ରହିଥିବା ବେଳେ ଘଟଣାସ୍ଥଳରେ ସଦର ତହସିଲଦାର ପହଞ୍ଚି ତଦନ୍ତ କରିଛନ୍ତି । ଅନ୍ୟପଟେ ଏହି ବିଷାକ୍ତ ଆମୋନିଆ ଗ୍ୟାସ ସଂସ୍ପର୍ଶରେ ଆସି ଜଣେ ୧୦ବର୍ଷର ବାଳକ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଉକ୍ତ ଘଟଣାର ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଅନାମିକା ସିଂ କହିଛନ୍ତି । ଗୁରୁତର ଅସୁସ୍ଥ ହୋଇଥିବା ବାଳକ ମେଣ୍ଢାଶୋଳ ଅଞ୍ଚଳର ଦୁର୍ବତୀ ବାରିକଙ୍କ ପୁଅ ତପନ ବାରିକ(୧୦) ।

ସୂଚନା ଅନୁଯାୟୀ,  ଟାଉନଥାନା ଅନ୍ତର୍ଗତ ତାରିଣୀ ଛକଠାରେ ମେଗ୍‌ନମ୍ ଫୁଡ୍‌ସ୍ ନାମକ ଏକ ବରଫ କଳ ରହିଛି । ଏହି ବରଫ କଳଟି ସେଠାରେ ପ୍ରାୟ ୧୨ବର୍ଷ ହେବ ଦୁଇଜଣ କର୍ମଚାରୀଙ୍କୁ ନେଇ ଚାଲୁରହିଛି । ଏଠାରେ କେବଳ ବରଫ ପ୍ରସ୍ତୁତ କରାଯାଇଥାଏ । ଏହାର ମାଲିକ ଶିବାନୀ ଶଙ୍କର ପଣ୍ଡାଙ୍କ ଘର ସୁନ୍ଦରୀ ଅଞ୍ଚଳ । ଶୁକ୍ରବାର ମଧ୍ୟାହ୍ନରେ ବରଫ କଳରେ ବରଫ ପ୍ରସ୍ତୁତ ହେବା ପାଇଁ ବ୍ୟବହାର କରାଯାଉଥିବା ଶହେ କେଜି ବିଶିଷ୍ଟ ଆମୋନିଆ ଗ୍ୟାସ ସିଲିଣ୍ଡରୁ ହଠାତ ଗ୍ୟାସ୍ ଲିକ୍ ହୋଇଯାଇଥିଲା । ଫଳରେ ବିଷାକ୍ତ ଗ୍ୟାସ ସ୍ଥାନୀୟ ଅଞ୍ଚଳର ଶହେ ମିଟର ପର୍ଯ୍ୟନ୍ତ ଖେଳିଯାଇଥିଲା । ଏହି ଗ୍ୟାସ ସଂସ୍ପର୍ଶରେ ଆସି ପାଖାପାଖି ଘର ଗୁଡିକରେ ରହୁଥିବା ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିବା ସହ ଘରୁ ବାହାରକୁ ବାହାରି ଆସିଥିଲେ । ଅନ୍ୟପଟେ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କର୍ମଚାରୀମାନେ ଉକ୍ତ ବରଫ କଳ ମଧ୍ୟରେ ପଶି ଗ୍ୟାସ ସିଲିଣ୍ଡରର ଭଲ୍‌ବକୁ ବନ୍ଦ କରିବା ସହ ସିଲିଣ୍ଡରକୁ ବାହାରକୁ ଆଣିଥିଲେ । ଫଳରେ ଗ୍ୟାସ ଦ୍ରୁତଗତିରେ ଅନ୍ୟ ଆଡକୁ ବ୍ୟାପି ନଥିଲା ।

ଏ ନେଇ ଆସିଷ୍ଟଣ୍ଟ୍ ଫାୟାର ଅଧିକାରୀ ପରନ ସୋରେନଙ୍କ କହିବା ଅନୁସାରେ, ଉକ୍ତ ବରଫ କଳରେ କୌଣସି ପ୍ରକାର ସେଫ୍‌ଟି ନଥିଲା । ଏହି ଗ୍ୟାସ ସଂସ୍ପର୍ଶରେ ଆସିଲେ ବିଶେଷକରି ଲୋକମାନଙ୍କ ଦୃଷ୍ଟିହୀନ ହେବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବ । ଏହାଛଡା ଲୋକେ ଅଣନିଶ୍ୱାସୀ ହୋଇପଡ଼ିବେ ।  ଏହି ଗ୍ୟାସ ସଂସ୍ପର୍ଶରେ ଆସିଥିବା ସ୍ଥାନୀୟ ଲୋକ ସଚିନ୍ଦ୍ରନାଥ ବାରିକଙ୍କ କହିବା ଅନୁସାରେ, ସେମାନେ ଘରେ ଥିବା ବେଳେ ହଠାତ ଏହି ଗ୍ୟାସ ସଂସ୍ପର୍ଶରେ ଆସିଥିଲେ । ଫଳରେ ସେମାନଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା ଏବଂ ତୁରନ୍ତ ସେମାନେ ଘରୁ ବାହାରକୁ ବାହାରି ଆସିଥିଲେ । ସଦର ତହସିଲଦାର ଅନାମିକା ସିଂ ଘଟଣାସ୍ଥଳରେ ପହଞ୍ଚିଥିଲେ । ଫାୟାର ଅଧିକାରୀ ଏ ନେଇ ତହସିଲଦାରଙ୍କୁ ଅଭିଯୋଗ କରିବା ପରେ ସେ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking