ଏନଆର୍‌ସି ନୁହେଁ, ଦେଶକୁ ଏନ୍‌ଆର୍‌ୟୁ ଦରକାର : ଯୁବ କଂଗ୍ରେସ

ବଲାଙ୍ଗିର, – ବର୍ତ୍ତମାନ ଦେଶରେ ଯୁବକ ଯୁବତୀଙ୍କ ସଂଖ୍ୟା ୩୩କୋଟି ରୁ ଉର୍ଦ୍ଧ୍ୱ । ପ୍ରତ୍ୟେକ ବର୍ଷ ଯୁବକଙ୍କ ପାଇଁ ଦୁଇ କୋଟିି ରୋଜଗାର ସୃଷ୍ଟି କରାଯିବ ବୋଲି ନିର୍ବାଚନି ପ୍ରତିଶୃତି ଦେଇଥିଲେ କେନ୍ଦ୍ର ସରକାର, ଶେଷରେ ତାହା ଜୁମଲାରେ ପରିଣତ ହୋଇଥିଲା । ଏପରିକି ଦେଶର ବେକାରି ଅବସ୍ଥା ଗତ ୪୫ବର୍ଷ ରେ ସବୁଠୁ ଅଧୀକ ସାବିତ ହୋଇଛି । ଏଭଳି ସ୍ଥିତି ରେ କେନ୍ଦ୍ର ସରକାର ନା ବେକାର ଯୁବକ ଯୁବତୀଙ୍କ ପାଇଁ କୌଣସି ରୋଜଗାର ସୃଷ୍ଟି କଲେ ନାଁ ସେମାନଙ୍କ ପାଇଁ ବେକାରି ଭତ୍ତାର କିଛି ବନ୍ଦୋବସ୍ତ କରିପାରିଲେ । ଏପରିକି ଦେଶରେ କେତେ ଯୁବକ ଯୁବତି ବେକାର ଅଛନ୍ତି ତାହାର କୌଣସି ତାଲିକା ପ୍ରସ୍ତୁତ କରି ପାରିଲେ ନାହିଁ । କେବଳ ମିଛ ବିଜ୍ଞାପନରେ ଦେଶର କୋଟି କୋଟି ଜନତାଙ୍କ ପଇସା ଖର୍ଚ୍ଚ କରି ଏକ ଭୟଙ୍କର ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କଲେ ଆହୁରି ରୋଜଗାରକ୍ଷମ ଯୁବକ ଯୁବତି ବିମୁଦ୍ରିକରଣ ଭଳି ଭୁଲ ଅର୍ଥନିତିର ଶିକାର ହେଲେ । ଏପରି ଆର୍ଥିକ ମାନ୍ଦାବସ୍ଥା ତଥା ନିଜର ଅପାରଗତାକୁ ଲୁଚାଇବା ପାଇଁ ସରକାର ଏନ୍‌ଆର୍‌ସି (ଜାତୀୟ ନାଗରିକ ପଞ୍ଜିକରଣ ଆଇନ) ଭଳିଆ ଜନ ବିରୋଧି ଆଇନ ଲାଗୁ କରୁଛନ୍ତି । ଆମେ ଯୁବ କଂଗ୍ରେସ ଏହାକୁ ତିବ୍ର ବିରୋଧ କରୁଛୁଁ ଏବଂ ଆପଣମାନଙ୍କ ମାଧ୍ୟମରେ ଦେଶର ବେକାର ଯୁବକ ଯୁବତୀଙ୍କ ପାଇଁ ଏନ୍‌ଆରୟୁ (ଜାତୀୟ ବେକାରି ପଞ୍ଜିକରଣ) ଲାଗୁ କରିବା ପାଇଁ ଦୃଢ ଦାବି କରୁଛୁଁ ବୋଲି ଆଜି ସ୍ଥାନୀୟ କ୍ଲାସିକ ହୋଟେଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନର ସରକାର ଦେଶର ଛାତ୍ର ଯୁବକମାନଙ୍କର ମୁଖ୍ୟ ମୁଦ୍ଧା ଶିକ୍ଷା ଓ ନିଯୁକ୍ତି ରୁ ସେମାନଙ୍କ ଧ୍ୟାନ ହଟାଇବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଜାତି ଧର୍ମ ନାଁରେ ଦଙ୍ଗା ସୃଷ୍ଟି କରୁଛନ୍ତି । ପୋଲିସର ଉପସ୍ଥିତିରେ ଗଣତାନ୍ତ୍ରିକ ଉପାୟରେ ଚାଲିଥିବା ଛାତ୍ର ଆନ୍ଦୋଳନରେ ଛାତ୍ର ନେତାମାନଙ୍କୁ ବର୍ବରଚିତ ଆକ୍ରମଣ କରୁଛନ୍ତି । ସରକାର ଭାବୁଛନ୍ତି ଏପରି କଲେ ଦେଶର ଜନତା ସମ୍ମୁଖିନ ହେଉଥିବା ବେରୋଜଗାରୀ, ମହିଳାଙ୍କ ସୁରକ୍ଷା, ଗୁଣାତ୍ମକ ଶିକ୍ଷା ପ୍ରଦାନ, କୃଷି ଓ କୃଷକର ସମସ୍ୟା ତଥା ଆର୍ଥିକ ମାନ୍ଦାବସ୍ଥା ଭଳି ସମ୍ବେଦନଶିଳ ସମସ୍ୟା ଗୁଡିକରୁ ଦେଶବାସୀଙ୍କ ନଜର ହଟାଇ ଦେବେ କିନ୍ତୁ ସରକାର ସାବଧାନ ହୋଇଯିବା ଦରକାର ଯେ ଯୁବ କଂଗ୍ରେସ ଜାତୀୟ ସ୍ତରରୁ ଗାଁ ପର୍ଯ୍ୟନ୍ତ ଏହି ଜନ ଛାତ୍ର ଯୁବ ମହିଳା ବିରୋଧି ମୋଦି ସରକାରର ଅସଲ ମୁଖା ଖୋଲିଦେବା ପାଇଁ ଆଗଭର ହୋଇସାରିଛି । ଆମ ଦେଶ ବ୍ୟାପି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବେକାର ଯୁବକମାନେ ଯେପରି ଆଗାମୀ ଦିନରେ ରୋଜଗାର ଏବଂ ନିଯୁକ୍ତି ପାଇ ପାରିବେ ଏବଂ ଦେଶର କେତେ ଯୁବକ ପାଠ ପଢି ସାରିଲା ପରେ ବେରୋଜଗାର ଅଛନ୍ତି ତାର ଏକ ତାଲିକା ପ୍ରସ୍ତୁତ ପାଇଁ ଜାତୀୟ ସ୍ତରରେ ଏନ୍‌ଆରୟୁ ଦାବି କରୁଛୁଁ । ଏହି ପରିପ୍ରେକ୍ଷିରେ ଜାତୀୟ ଯୁବ କଂଗ୍ରେସ ତରଫରୁ ମଧ୍ୟ ଏନ୍‌ଆରୟୁର ରେଜିଷ୍ଟେସନ କରିବା ପାଇଁ ଏକ ଟୋଲଫ୍ରି ନଂ ୮୧୫୧୯୯୪୪୧୧ ଜାରି କରାଯାଇଛି । ଏହି ନମ୍ବରରେ ଦାୟଲ କଲେ ବେକାର ଯୁବକମାନେ ନିଜକୁ ପଞ୍ଜିକୃତ କରିପାରିବେ । ଯାହାକୁ ନେଇ ଆମେ ଦେଶବାସୀଙ୍କ ଆଗରେ ଯୁବକମାନଙ୍କର ସ୍ଥିତିକୁ ନେଇ ଏକ ପ୍ରକୃତ ତାଲିକା ପ୍ରଦାନ କରିପାରିବେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଜିଲ୍ଲା କଂଗ୍ରେସ ସଭାପତି ଦିଲିପ କୁମାର ବେହେରା ମଧ୍ୟ ବେରୋଜଗାରି କୁ ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଥିଲେ । ଏମାନଙ୍କ ବ୍ୟତିତ ଜିଲ୍ଲା କଂଗ୍ରେସର ଉପ-ସଭାପତି ମନିଷ ମିଶ୍ର, ଉପ-ସଭାପତି ସନ୍ତକ ବହିଦାର, ଟାଉନ ସଭାପତି ବୁଲୁ ଦାନି, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ପ୍ରମୁଖ ମଂଚାସିନ ଥିଲେ ଏବଂ ସମ୍ମିଳନୀକୁ ସଫଳ କରିବା ପାଇଁ ଅଭିନାଶ ସାଏ, ଅଜିତ ମହାନନ୍ଦ, ସୁମିତ ପଟ୍ଟନାୟକ, ସଂଜୟ ମିଶ୍ର, ଅଂଚଳ ପଣ୍ଡା ଏବଂ ମହେନ୍ଦ୍ର ବାରିକ ପ୍ରମୁଖ ସହଯୋଗ କରିଥିଲେ ।