ବଲାଙ୍ଗିର ପାଇଁ ଲଜ୍ଜା : ସହର ଭିତରେ ଖଟରେ ବୁହାହେଲେ ରୋଗୀ

ବଲାଙ୍ଗିର : ଗାଁକୁ ରାସ୍ତା ନଥିବାରୁ ରୋଗୀଙ୍କୁ ଖଟିଆରେ ବୁହା ହୋଇ ଡାକ୍ତରଖାନା ନିଆଯାଉଥିବା ଘଟଣା ଉପାନ୍ତ ଅଞ୍ଚଳରେ ଦେଖାଯାଉଥିବା ବେଳେ ଏବେ ତାହା ବଲାଙ୍ଗିର ସହରରେ ଦେଖାଦେଇଛି । ସହର ଭିତରେ ଥିବା ଏକ ସାହିକୁ ରାସ୍ତା ନଥିବାରୁ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଜଣେ ରୋଗୀଙ୍କୁ ଖଟିଆରେ ବୋହିକି ଆଣିବାକୁ ପଡ଼ିଛି । ଏହା ବଲାଙ୍ଗିର ପାଇଁ ଲଜ୍ଜା ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ବଲାଙ୍ଗିର ସହର ରାମେଶ୍ୱର ନଗରରେ ରୁହନ୍ତି ନରୋତ୍ତମ ମିଶ୍ର । ତାଙ୍କ ମା’ ସୁନାପୁଲ ମିଶ୍ର କିଡନୀ ରୋଗରେ ପୀଡ଼ିତ । ତେବେ ସେ ଘରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଡାକ୍ତରଖାନାକୁ ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ଆମ୍ବୁଲାନ୍ସ ଆସିଲା ମଧ୍ୟ । କିନ୍ତୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ନରୋତ୍ତମଙ୍କ ଘର ପର୍ଯ୍ୟନ୍ତ ଯାଇପାରିଲା ନାହିଁ । ଫଳରେ ପରିବାର ଲୋକେ ସୁନାପୁଲଙ୍କୁ ଏକ ଖଟିଆରେ ବୋହି ଘର ଠାରୁ ୩୦୦ ରୁ ୪୦୦ ମିଟର ଦୂର ପର୍ଯ୍ୟନ୍ତ ହାଟପଦାପଡ଼ାରେ ଥିବା ପାର୍କ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସରେ ତାଙ୍କୁ ଭୀମଭୋଇ ମେଡିକାଲକୁ ନିଆଯାଇଥିଲା । ଅନ୍ୟପକ୍ଷେ ବଲାଙ୍ଗିରରେ ବିକାଶ ଚାଲିଛି ବୋଲି ନେତାମାନେ ବାହାସ୍ପୋଟ ମାରୁଛନ୍ତି । ଅଥଚ ସହର ଭିତରେ ଆମ୍ବୁଲାନ୍ସ ଯାତାୟତ କରି ପାରୁନାହିଁ । ଦୀର୍ଘବର୍ଷ ହେଲା ଲୋକେ ଏହି ଅଞ୍ଚଳରେ ଏକ ରାସ୍ତା ନିର୍ମାଣ ପାଇଁ ଦାବି କରୁଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ହୋଇପାରିନାହିଁ । ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି ।