ବଲାଙ୍ଗିର ପୋଲିସର ବଡ଼ ସଫଳତା : ଏୟାର୍‌ଟେଲ୍‌ ଅଫିସ୍‌ ଓ ମେହେର ବ୍ୟାଟେରୀ ଡକାୟତିର ପର୍ଦ୍ଦାଫାଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୋଲିସର ହାତରେ ଲାଗିଛି ବଡ଼ ସଫଳତା । ଏୟାର୍‌ଟେଲ୍‌ ଅଫିସ୍‌ ଓ ମେହେର ବ୍ୟାଟେରୀ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ପୋଲିସ । ସ୍ଥାନୀୟ ଆଦର୍ଶ ଟାଉନ୍‌ ଥାନାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ବଲାଙ୍ଗିର ପୋଲିସ ଉପରୋକ୍ତ ଦୁଇ ଘଟଣାର ପର୍ଦ୍ଦାଫାଶ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିବା ସହ ତିନୋଟି ବାଇକ୍‌, ଦୁଇଟି ବ୍ୟାଟେରୀ, ଗୋଟିଏ ପିସ୍ତଲ ଓ ତିନୋଟି ଅଫୁଟା ଗୁଳି ଅଭିଯୁକ୍ତମାନଙ୍କଠୁ ଜବତ୍‌ କରିଛି । ଗିରଫ୍‌ ଅଭିଯୁକ୍ତମାନେ ଉଭୟ ଘଟଣାରେ ସାମିଲ୍‌ ଥିବା ବେଳେ ଏଥିରେ ଆନ୍ତଃଜିଲ୍ଲା ତଥା ଆନ୍ତଃରାଜ୍ୟ ଲିଙ୍କ୍‌ ରହିଥିବା ସ୍ପଷ୍ଟ ହୋଇଛି । ପୋଲିସ ସମ୍ବଲପୁରର ଦୁର୍ଦ୍ଦାନ୍ତ ଅପରାଧୀ ବିଭୂତି ଭୂଷଣ ସୁନା ଓରଫ୍‌ ବଂଟି(୩୪), ବୌଦ୍ଧର ଅମିତ ଝାଙ୍କର ଓରଫ୍‌ ମଙ୍ଗ୍‌ଲୁ(୨୭), ବଲାଙ୍ଗିର ଜୁନ୍‌ହାଁଡିହିର ମମିଲ ମହାଲିଙ୍ଗ(୩୩) ଓ ମେଘନାଦପଡ଼ାର ମହାଦେବ ସାହୁ(୨୩)ଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ ଯେ, ଗତ ୨୧ ଜାନୁଆରୀରେ ରେଲୱେ ଷ୍ଟେସନ୍‌ ରୋଡ଼୍‌ ସ୍ଥିତ ଏୟାର୍‌ଟେଲ୍‌ ଅଫିସ୍‌ରେ ଡକାୟତି ହୋଇଥିଲା । ଏହି ଡକାୟତିରେ ପିସ୍ତଲ ଦେଖାଇ ଟେବୁଲ୍‌ ଡ୍ର’ରୁ ୪ ଲକ୍ଷ ଟଙ୍କା ଓ ୯ଟି ମୋବାଇଲ୍‌ ସହିତ ସୁନା ଚେନ୍‌ ଧରି ଡକାୟତମାନେ ଫେରାର୍‌ ମାରିଥିଲେ । ସେହିପରି ୧୩ ସେପ୍ଟେମ୍ବର ଆଉ ଏକ ଘଟଣାରେ ରେଲୱେ ଷ୍ଟେସନ୍‌ ରୋଡ଼୍‌ ସ୍ଥିତ ମେହେର ବ୍ୟାଟେରୀରୁ ୫ ହଜାର ଟଙ୍କା, ସୁନା ଚେନ୍‌, ତିନୋଟି ମୋବାଇଲ ଓ ତିନୋଟି ବ୍ୟାଟେରୀ ଡକାୟତି ହୋଇଥିଲା । ଟାଉନ୍‌ ଥାନା ପୋଲିସ ଡକାୟତି ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରି ଏହାର ସଂଧାନରେ ଲାଗି ପଡ଼ିଥିଲା । ସଂଧାନରୁ ଜଣାପଡ଼ିଥିଲା ଯେ, ଉଭୟ ଘଟଣାରେ ଅଭିଯୁକ୍ତ ମମିଲ ମହାଲିଙ୍ଗ ସଂପୃକ୍ତ ଥିଲା । ସେ ଆନ୍ତଃଜିଲ୍ଲା ଡକାୟତଙ୍କ ସହ ସଂପର୍କ ରଖି ଉଭୟ ଘଟଣା ଘଟାଇବାରେ ମାଷ୍ଟର୍‌ ମାଇଣ୍ଡ ଥିଲା । ସମ୍ବଲପୁରର ଦୁର୍ଦ୍ଦାନ୍ତ ଅପରାଧୀ ବଂଟି ସୁନା ସହିତ ଅଭିଯୁକ୍ତ ମମିଲର ସୁସଂପର୍କ ରହିଥିଲା । ମମିଲ ପ୍ରଥମେ ଏୟାର୍‌ଟେଲ୍‌ ଅଫିସ୍‌ରେ କାମ କରୁଥିବା ବେଳେ ବଡ଼ ଆର୍ଥିକ କାରବାରର ସୂଚନା ଦେବା ସହ ଏହି ଡକାୟତି ଘଟାଇଥିଲା । ଏହି ଡକାୟତିରେ ବଂଟି ସୁନା, ମମିଲ ମହାଲିଙ୍ଗ, ଅମିତ୍‌ ଝାଙ୍କର ସହ ଆଉ ଦୁଇ ଜଣ ବିହାରର ଆନ୍ତଃରାଜ୍ୟ ଡକାୟତ ବିକି ଓ ଲଖନ୍‌ଙ୍କ ମଧ୍ୟ ସଂପୃକ୍ତି ରହିଥିଲା ।
ପରେ ପରେ ମମିଲ ମହାଲିଙ୍ଗ ପୁଣି ଯାଇ ମେହେର ବ୍ୟାଟେରୀରେ କାମ କରିଥିଲା । ପୁଣି ଥରେ ବଂଟି ସୁନା ସହ ମେହେର ବ୍ୟାଟେରୀରେ ଡକାୟତି ଯୋଜନା ରଚିଥିଲା । ଏହି ଡକାୟତିରେ ବଂଟି ସୁନା, ମମିଲ ମହାଲିଙ୍ଗ, ମଙ୍ଗଲୁ ଝାଙ୍କର, ମହାଦେବ ସାହୁ ସହ ଆଉ ଦୁଇ ଜଣଙ୍କୁ ବୌଦ୍ଧରୁ ଡକା ଯାଇଥିଲା । ମେହେର ବ୍ୟାଟେରୀରୁ ଡକାୟତି ପରେ ସମସ୍ତେ ଫେରାର୍‌ ମାରିଥିଲେ ବୋଲି ପୋଲିସ ସୂଚନା ଦେଇଛି । ତେବେ ବଲାଙ୍ଗିରରେ ହୋଇଥିବା ଡକାୟତିରେ ଆନ୍ତଃରାଜ୍ୟ ସହ ଆନ୍ତଃଜିଲ୍ଲା ଡକାୟତ ଲିଙ୍କ୍‌ ରହିଥିବା ପୋଲିସ ସଂଧାନ କରିବାରେ ସଫଳ ହୋଇଛି । ଏହା ସହ ଚିପ୍‌ଲିମା ବ୍ୟାଙ୍କ ଡକାୟତି, ଝାର୍‌ସୁଗୁଡ଼ା ଓ ସମ୍ବଲପୁରରେ ବିଭିନ୍ନ ମାମଲାରେ ସଂଶ୍ଲିଷ୍ଟ ଦୁର୍ଦ୍ଦାନ୍ତ ଅପରାଧୀ ବଂଟି ସୁନାକୁ ମଧ୍ୟ ଗିରଫ୍‌ କରି ବିଶେଷ ସଫଳତା ହାସଲ୍‌ କରିଛି ପୋଲିସ୍‌ ।
ତେବେ ପୋଲିସ ପକ୍ଷରୁ ଆୟୋଜିତ ଆଜିର ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀମନ୍ତ ବାରିକ, ଆଦର୍ଶ ଟାଉନ୍‌ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ସହ ଅନେକ ପୋଲିସ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here