40.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରହେଳିକା ପାଲଟିଲାଣି ଜିତେନ୍ଦ୍ର ସୁନା ମୃତ୍ୟୁ ଘଟଣା, ୫ ଗିରଫ , ବିଷ୍ଣୁମୁଣ୍ଡାରେ ରାସ୍ତାରୋକ,

ପ୍ରହେଳିକା ପାଲଟିଲାଣି ଜିତେନ୍ଦ୍ର ସୁନା ମୃତ୍ୟୁ ଘଟଣା, ୫ ଗିରଫ , ବିଷ୍ଣୁମୁଣ୍ଡାରେ ରାସ୍ତାରୋକ,

 
ବଲାଙ୍ଗିର,: ଗତକାଲି ଭୀମ ଭୋଇ ମେଡ଼ିକାଲରେ ଜିତେନ୍ଦ୍ର ସୁନାଙ୍କ ମୃତ୍ୟୁ ଘଟଣା ଆଜି ଏକ ଭିନ୍ନ ମୋଡ଼ ନେଇଛି । ଜିତେନ୍ଦ୍ରଙ୍କ ମୃତ୍ୟୁ ଘଟଣା ଏବେ ସାରା ସହର ପାଇଁ ପ୍ରହେଳିକା ପାଲଟିଛି । ଏପର୍ଯ୍ୟନ୍ତ ଜିତେନ୍ଦ୍ରଙ୍କ କୋଭିଡ ରିପୋର୍ଟ ସର୍ବସମ୍ମୁଖ କୁ ଆସିପାରି ନଥିବା ବେଳେ , ଗତ ବିଳମ୍ବିତ ରାତ୍ରି ରେ ତରବରିଆ ଭାବେ ଜିତେନ୍ଦ୍ରଙ୍କ ଶବ ବ୍ୟବଛେଦ କରାଯିବା ପରେ ଶବ କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଆହୁରି ଅଭିଯୁକ୍ତ ହତ୍ୟାକାରୀଙ୍କୁ ଗିରଫ କରାଯିବା ପରିବର୍ତ୍ତେ ପୋଲିସ , ଜିତେନ୍ଦ୍ରଙ୍କ ପରିବାରର ୫ ଜଣ ବନ୍ଧୁ ପରିଜନଙ୍କୁ ଗିରଫ କରିଛି । ତେବେ ଏହାର ବିରୋଧରେ ବିଷ୍ଣୁମୁଣ୍ଡା ଗ୍ରାମବାସୀମାନେ ବିଷ୍ଣୁମୁଣ୍ଡା ଠାରେ ବଲାଙ୍ଗିର ଆଠଗାଁ ରୋଡ଼କୁ ରାସ୍ତାରୋକ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲରେ ଥିବା ଆଇସୋଲେସନ ୱାଡ଼ରେ ବିଷ୍ଣୁମୁଣ୍ଡାର ଜିତେନ୍ଦ୍ର ସୁନା (୩୨) ନାମକ ଯୁବକଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ବିଶେଷ ଅବନତି ହେବା ବେଳେ କୌଣସି ଡାକ୍ତର ତାଙ୍କୁ ଚିକିତ୍ସା କରି ନଥିବା ତାଙ୍କ ପରିବାରବର୍ଗ ଅଭିଯୋଗ କରିଥିଲେ । ଦିନ ଅଢେ଼ଇଟାରେ ଚିକିତ୍ସା ନ ପାଇ ଛଟପଟ ହୋଇ ସେ ପ୍ରାଣତ୍ୟାଗ କରିଥିଲେ । ଏହି ସମୟରେ ତାଙ୍କ ପରିବାରବର୍ଗ ଓ ବନ୍ଧୁ ପରିଜନ କାର୍ଯ୍ୟରତ ଡାକ୍ତର ଓ ନର୍ସମାନଙ୍କ ଅବହେଳା ଯୋଗୁଁ ଜିତେନ୍ଦ୍ର ସୁନାଙ୍କ ମୃତ୍ୟୁ ହୋଇଥିବା କହି ହସପିଟାଲରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ପରେ ଜିଲ୍ଲା ପୁଲିସ ପ୍ରଶାସନ ଘଟଣା ସ୍ଥଳକୁ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇ ସୁଝାଇ ସ୍ଥିତିକୁ ନିୟନ୍ତଣ କରିଥିଲା । ଅନ୍ୟପଟେ ସଂପୃକ୍ତ ଡାକ୍ତର ସୀମାଞ୍ଚଳ ଡାକୁଆଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ କରି ଡାକ୍ତରମାନେ ଆକ୍ରମଣକାରୀଙ୍କୁ ଗିରଫ୍ ଦାବିରେ ଧାରଣାରେ ବସିଥିଲେ ।
ଗତକାଲି ବିଳମ୍ବିତ ରାତିରେ ଜିତେନ୍ଦ୍ର ସୁନାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ତାଙ୍କ ପରିବାରବର୍ଗ କହିଛନ୍ତି । ଠିକ୍ ପରେ ପରେ ପୁଲିସ ଜିତେନ୍ଦ୍ର ସୁନାଙ୍କ ଘର ଉପରେ ଅତର୍କିତ ଚଢ଼ାଉ କରି, ବିଷ୍ଣୁଧର ସୁନା(୫୪), ବିଶ୍ୱନାଥ ସୁନା (୫୦), ରୀତେନ୍ଦ୍ର ସୁନା (୩୦), ଶ୍ରୀକାନ୍ତ ସୁନା (୨୦) ଓ ଚଂଚଳ ଶିକା (୬୦)ଙ୍କୁ ଗିରଫ୍ କରାଯାଇଛି ତେବେ ଗତକାଲି ଡାକ୍ତରଖାନା ତରଫରୁ ଜିତେନ୍ଦ୍ର ସୁନାଙ୍କୁ କୋଭିଡ଼ ଟେଷ୍ଟ ହେବା ପରେ ଆଇସୋଲେସନ ୱାଡର଼୍ରେ ଭର୍ତ୍ତି କରାଯାଇଥିଲା । ଦିନ ଅଢେ଼ଇଟାରେ ସେହି ରୋଗରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା । କିନ୍ତୁ ନିୟମ ବିରୁଦ୍ଧରେ ହଠାତ୍ ତାଙ୍କ ମୃତ ଶରୀରକୁ ରାତି ଅଧେ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ବିଷୟ ଆଶ୍ଚର୍ଯ୍ୟଜନକ । ଯାହା କୋଭିଡ ନିୟମର ସଂପୂର୍ଣା ଉଲ୍ଲଙ୍ଘନ । ଡାକ୍ତରଖାନା ଅନୁସାରେ ଯଦି ଜିତେନ୍ଦ୍ର କୋଭିଡ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିଲେ ତେବେ ଜିତେନ୍ଦ୍ରଙ୍କ ଶବ କିପରି ତାଙ୍କ ପରିଜନ ଙ୍କୁ ହସ୍ତାନ୍ତର କରାଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।
ସେହିପରି ଦଳିତ, ଦୁଃଖୀତ ପରିବାରର ଅଭିଯୋଗକୁ ଅଣଦେଖା କରି ଡାକ୍ତର ଓ ନର୍ସଙ୍କୁ ଗିରଫ୍ କରିବା ପରିବର୍ତ୍ତେ ଶୋକସନ୍ତପ୍ତ ପରିବାରର ୫ ଜଣ ସଦସ୍ୟଙ୍କୁ ରାତି ଅଧରେ ଗିରଫ କରିବା ପ୍ରଶାସନର ଦଳିତମାରଣ ନୀତିକୁ ସର୍ବ ସମ୍ମୁଖରେ ରଖିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । । ସର୍ବୋପରି ଜିତେନ୍ଦ୍ର ସୁନାଙ୍କ କୋଭିଡ଼ ସଂକ୍ରମଣ ଓ ଜିଲ୍ଲାରେ କୋଭିଡ ଚିକିତ୍ସା ଏବେ ଏକ ପ୍ରହେଳିକା ପାଲଟିଛି । ଘଟଣାର ଉପଯୁକ୍ତ ତଦନ୍ତ ଏସମ୍ବନ୍ଧୀୟ ଅନେକ ତଥ୍ୟ ଲୋକଲୋଚନକୁ ଆଣିବ ନିଶ୍ଚୟ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking