34.1 C
Bhubaneswar
Friday, March 29, 2024
Homeଓଡିଶାସମିତି ସମ୍ପାଦକ ପଦକୁ ନେଇ ବିବାଦ

ସମିତି ସମ୍ପାଦକ ପଦକୁ ନେଇ ବିବାଦ

ବଳଙ୍ଗା : ବଳଙ୍ଗା ସେବା ସମବାୟ ସମିତିରେ ସମ୍ପାଦକ ପଦକୁ ନେଇ ଲାଗିଥିବା ବିବାଦ ଏବେ ଚରମ ସୀମାରେ ପହିଞ୍ଚିଛି । କାର୍ଯ୍ୟରତ ସମ୍ପାଦକ ବିପିିନ ଖଟୋଇଙ୍କ ନିଲମ୍ବନ ପରେ ନୂତନ ସମ୍ପାଦିକା ଭାବେ ସୌଦାମିନୀ ପ୍ରଧାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହାକୁ ନେଇ ସମିତି ସଭ୍ୟସଭ୍ୟାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ସେବା ସମିତିରେ ହୋଇଥିବା ବ୍ୟାପକ ଦୁର୍ନିତୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଭ୍ୟସଭ୍ୟାମାନେ ସମିତି କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ନାରାବାଜି କରିଥିଲେ । ତେବେ ଧାରଣାସ୍ଥଳରେ କେହି ବିଭାଗୀୟ ଅଧିକାରୀ ନ ପହଞ୍ଚିବାରୁ ସଭ୍ୟସଭ୍ୟାମାନେ କାର୍ଯ୍ୟାଳୟରେ ପୁଣିଏକ ତାଲା ପକାଇ ଦେଇଛନ୍ତି । ସଭ୍ୟସଭ୍ୟାମାନେ ମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଓ ସମବାୟ ନିବନ୍ଧକଙ୍କ ନିକଟକୁ ପତ୍ର ଲେଖି ସମିତିରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି । ସମିତିରେ ଅନିୟମିତତା, କୋର୍ଟ ଆଦେଶ ଅବମାନନା ପ୍ରଭୃତି ଅନେକ ଅଭିଯୋଗ ଆଧାରରେ ସମବାୟ ଉପନିବନ୍ଧକ ଗତ ଜୁନ୍ ୨୯ ତାରିଖରେ ପରିଚାଳନା ପରିଷଦକୁ ନିଲମ୍ବନ କରିବା ସହିତ ଉପସହକାରୀ ନିବନ୍ଧକ ସନାତନ ବେହେରାଙ୍କୁ ସମିତିର ପ୍ରଶାସକ ଭାବରେ ନିଯୁକ୍ତ କରିଥିଲେ । ସମିତି ସମ୍ପାଦକ ଭାବେ ବିପିନ ବିହାରୀ ଖଟୋଇ ଦାୟିତ୍ୱ ତୁଲାଉଥିବା ବେଳେ ପ୍ରଶାସକ ଶ୍ରୀ ବେହେରା ଗତ ନମ୍ବେମ୍ବର ୨୦ ତାରିଖରେ ସୌଦାମିନୀ ପ୍ରଧାନଙ୍କୁ ସମ୍ପାଦିକ ଦାୟିତ୍ୱ ତୁଲାଇବା ଏବଂ ୫ ଦିନ ମଧ୍ୟରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ଶ୍ରୀ ଖଟୋଇଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଶ୍ରୀ ଖଟୋଇ ଛୁଟିରେ ରହିବା ଓ ୧୫ଦିନ ବିତିଯାଇଥିଲେ ମଧ୍ୟ ଦାୟିତ୍ୱ ହସ୍ତାନ୍ତର ନକରିବା ଯୋଗୁଁ ସମିତିରେ ତାଲାପଡି କାର୍ଯ୍ୟ ଅଚଳ ହୋଇଥିଲା । ଫଳରେ ପ୍ରଶାସକ ଚଳିତ ମାସ ୪ ତାରିଖରେ ବିପିନ ଖଟୋଇଙ୍କୁ ନିଲମ୍ବିତ କରିଥିଲେ । ସମିତିରେ ତାଲା ପଡ଼ିବା ଯୋଗୁଁ ଆଗାମୀ ଦିନରେ ଧାନ ମଣ୍ଡି କିପରି ଖୋଲିବ ତାହା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଶ୍ରୀମତୀ ପ୍ରଧାନଙ୍କ ନାମରେ ପୁର୍ବରୁ ସମିତି ଦ୍ୱାରା ପରିଚାଳିତ ମିନିବ୍ୟାଙ୍କରୁ ଅର୍ଥ ତୋଷାରପାତ ଅଭିଯୋଗ ହେବା ପରେ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି ଥାନାରେ ଶ୍ରୀମତୀ ପ୍ରଧାନଙ୍କ ନାମରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ପୁନର୍ବାର ତାଙ୍କୁ ସମ୍ପାଦିକା ଦାୟିତ୍ୱ ଦିଆଯିବା ପରେ ସମିତିର ଭବିଷ୍ୟତକୁ ନେଇ ସଭ୍ୟସଭ୍ୟାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସମିତିରେ ହୋଇଥିବା ଦୁର୍ନୀତିର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସଭ୍ୟସଭ୍ୟାମାନେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking