29.1 C
Bhubaneswar
Friday, April 26, 2024
Homeଅପରାଧଗାଁକୁ ଫେରିଲେ ୫ ଦାଦନ ପରିବାର 

ଗାଁକୁ ଫେରିଲେ ୫ ଦାଦନ ପରିବାର 

ବରଗଡ଼ : ପେଟ ପାଟଣା ପାଇଁ ଯାଇ ସୂଦୁର ତାମିଲନାଡୁର ତିରିଭେଲୁରରେ ଗାଇସିଲେଟ ବ୍ଲକ ସାଇଡୁଙ୍ଗୁରିପାଲି ଗ୍ରାମର ଦାଦନ ଶ୍ରମିକ ଗୋକୁଳ ବରିହାଙ୍କ ମୃତ୍ୟୁ ପରେ ଶ୍ରମ ବିଭାଗର ଚେତା ପଶିଛି । ଶ୍ରମ ବିଭାଗ ପୁଲିସ ପ୍ରଶାସନର ସହଯୋଗରେ ସେଠାରେ ଥିବା ମୃତ ଗୋକୁଳ ବରିହାର ପତ୍ନୀ ଦେବକୀ ବରିହା ସମେତ ୫ ଟି ପରିବାରର ୩୦ ଜଣ ସଦସ୍ୟଙ୍କୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିଛି । ତାମିଲନାଡୁର ତିରିଭେଲୁର ଇଟା ଭାଟିରେ କାମ କରୁଥିବା ବେଳେ ଡାଇରିଆରେ ଆକ୍ରାନ୍ତ ହୋଇ ଗୋକୁଳଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ପରେ ଇଟାଭାଟି ମାଲିକ ଦ୍ୱାରା ସଠିକ୍‌ ସମୟରେ ଚିକିତ୍ସା ବ୍ୟବସ୍ଥା କରାନଯିବା କହିଛନ୍ତି ଉଦ୍ଧାର ଦାଦନ ଶ୍ରମିକ । ତେବେ ଉଦ୍ଧାର ଶ୍ରମିକମାନେ ହେଲେ ଗାଇସିଲେଟ ବ୍ଲକ ସାଇଡୁଙ୍ଗୁରିପାଲି ଏବଂ ଘଡ଼ଘଡ଼ିମାଲ ଗ୍ରାମର ମୃତ ଗୋକୁଳ ବରିହାଙ୍କ ପତ୍ନୀ ଦେବକୀ ବରିହା (୨୫), ବୀର ହରିପାଲ (୫୦), ସବିତା ହରିପାଲ ( ୪୪), ଶକ୍ତି ହରିପାଲ (୧୪), ଖଗେଶ୍ୱର ଦୀପ (୩୫),ତପସ୍ୱିନୀ ଦୀପ (୩୦), ରୂପା ଦୀପ ( ୧୨), ସୁମନ୍ତ ଦୀପ (୧୦), ସନ୍ତୋଷିନୀ ଦୀପ (୯), ସୁଷମା ଦୀପ (୬), ଲୋଚନ ସାହୁ (୩୦), ଶିବାନୀ ସାହୁ(୨୫), ସ୍ୱୀଟି ସାହୁ (୨), କୃପା ସାହୁ (୪୨), ଅର୍ଚ୍ଛି ସାହୁ (୪୦), ମଙ୍ଗଳୁ ସାହୁ (୨୦), ଜନ ସାହୁ
(୧୮), ନୂଆଦେଇ ସାହୁ (୧୭) ।
ଗତ ଡିସେମ୍ବର ମାସରେ ବଲାଙ୍ଗିର ଜିଲ୍ଲା ଖପସିପାଲି ଗାଁର ଜଣେ ଦଲାଲ ଚଇତୁ ଛୁରା ଗାଇସିଲେଟ ବ୍ଲକର ସାଇଡୁଙ୍ଗୁରିପାଲି ଏବଂ ଘଡ଼ଘଡ଼ିମାଲ ଶ୍ରମିକମାନଙ୍କୁ ସୁଦୂର ତାମିଲନାଡୁର ତିରୁଭେଲୁର ନେଇଯାଇଥିଲା । ସେଠାରେ ଶ୍ରୀଧର ଜାମିନଦାରଙ୍କ ଇଟାଭାଟିରେ କାମ କରୁଥିଲେ । ଗତ ଶନିବାର
ସାଇଡୁଙ୍ଗୁରିପାଲି ଗ୍ରାମର ଗୋକୁଳ ବରିହା ନାମକ ଜଣେ ଦାଦନ ଶ୍ରମିକ ଡାଇରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ ଗାଇସିଲେଟ ବ୍ଲକ ସମେତ ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳିଯିବାସହ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏପରିକି ମଙ୍ଗଳବାର ଗୋକୁଳ ବରିହାଙ୍କ ମୃତଦେହ ତାମିଲନାଡୁରେ ବ୍ୟବଚ୍ଛେଦ ପରେ ଅନ୍ତିମସଂସ୍କାର କରାଯାଇଥିବା ବେଳେ ଗୋକୁଳଙ୍କ ମାଌ୰୩୯; ପୁଅର ଶେଷ ଦର୍ଶନ ମଧ୍ୟ କରିପାରିନଥିଲେ । ଯାହାକୁ ନେଇ ଜିଲ୍ଲା ଶ୍ରମ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇବାସହ ବରଗଡ଼ ଏସ୍‌ପି ଏବଂ ବଲାଙ୍ଗିର ଏସ୍‌ପିଙ୍କ ହସ୍ତକ୍ଷେପ କରିଥିଲେ । ପରେ ତିରୁଭେଲୁର ଏସ୍‌ପିଙ୍କ ସହ ଯୋଗାଯୋଗ କରି ସେଠାରେ ଥିବା ସମସ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା ।
ପରେ ସେମାନଙ୍କୁ ଗାଇସିଲେଟ ବିଡିଓଙ୍କ ଜରିଆରେ ଗାଁକୁ ପଠାଇ ଦିଆଯାଇଥିଲା । ଘଟଣା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ହେମନ୍ତ କୁମାର ପଧାନଙ୍କୁ ପଚରାଯିବାରୁ ବିନା ରେଜିଷ୍ଟ୍ରେସନ କରି ଦଲାଲଙ୍କ ପ୍ରଲୋଭନରେ ପଡ଼ିଯାଉଥିବାରୁ ଅନେକ ବ୍ୟକ୍ତି ଏପରି ନିର୍ଯାତନା ତଥା ହଇରାଣର ଶିକାର ହେଉଛନ୍ତି । ଏହି ଉଦ୍ଧାର ଦାଦନ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକଭାବେ ପଞ୍ଜିକୃତ କରି କିପରି ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି । ଅପରପକ୍ଷେ ଏଭଳି ଦାଦନଙ୍କ ବାହାର ରାଜ୍ୟକୁ ଯାତ୍ରା, ନିର୍ଯାତନା, ଉଦ୍ଧାର, ମୃତ୍ୟୁମୁଖରେ ପଡ଼ିବା ତଥା ସରକାରୀ ଖୋଳତାଡ଼ ଏକ ରୁଟିନ ଘଟଣାକ୍ରମରେ ପରିଣତ ହୋଇଯାଇଥିଲେ ସୁଦ୍ଧା ଆଜିଯାଏ ନା ଦାଦନ କମିଛନ୍ତି ନା ସର୍ଦ୍ଦାରଙ୍କ ସଂଖ୍ୟାରେ ଊଣା ହେଉଛି । ବାରମ୍ବାର ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ି ବଢ଼ି ଚାଲିଥିଲେ ବି ଆଜିଯାଏ ଏନେଇ କୌଣସି ଶକ୍ତ ଆଇନ ତିଆରି ନହେବାପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking