ଗଣଶିକ୍ଷା ବିଭାଗରେ ଦମ୍ପତ୍ତିଙ୍କ ଅନ୍ୟ ଜିଲ୍ଲା ବଦଳିକୁ ଅଗ୍ରାଧିକାର ଦେବାକୁ ଦାବି

ଭୁବନେଶ୍ୱର  : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ଶିକ୍ଷକ ଦମ୍ପତ୍ତିମାନଙ୍କର ଜିଲ୍ଲା ବଦଳି କ୍ଷେତ୍ରରେ ଥିବା ଅସଂଗତି ଯୋଗୁଁ ଶିକ୍ଷକ ମହଲରେ ଘୋର ନୈରାଶ୍ୟ ସୃଷ୍ଟି ହୋଇଛି । ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଆଉଟ୍‌ସୋର୍ସିଂ ଭିତ୍ତିରେ କାର୍ଯ୍ୟ କରୁଥିବା ଦମ୍ପତ୍ତିମାନଙ୍କ ପାଇଁ ଏହି ନୀତି କାର୍ଯ୍ୟକାରୀ କରାଯାଉଥିବା ବେଳେ ଗଣଶିକ୍ଷା ବିଭାଗର ଜିଲ୍ଲା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦମ୍ପତ୍ତିମାନଙ୍କୁ ଏହି ସୁଯୋଗ ମିଳୁଥିବା ବେଳେ ଜିଲ୍ଲା ବାହାରେ କାର୍ଯ୍ୟ କରୁଥିବା ଦମ୍ପତ୍ତିମାନଙ୍କ ପାଇଁ ଲାଗୁ କରାନଯିବା ଅତ୍ୟନ୍ତ ପରିତାପର ବିଷୟ । ପରିବାରଠାରୁ ସ୍ୱାମୀ ହେଉ ବା ସ୍ତ୍ରୀ ହେଉ ୩୦୦ ରୁ ୫୦୦ କି.ମି. ଦୂରରେ ଅନ୍ୟ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ସେମାନେ ଅନେକ ପାରିବାରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିଜର ସ୍ତ୍ରୀ ଓ ପିଲାମାନଙ୍କୁ ଛାଡ଼ି ନିଜ ଜିଲ୍ଲାଠାରୁ ଅନେକ ଦୂରରେ କାର୍ଯ୍ୟ କରୁଥିବା ଶିକ୍ଷକଟିଏ ପିଲାମାନଙ୍କର ଶିକ୍ଷା, ଦୀକ୍ଷା ପ୍ରତି ଧ୍ୟାନ ଦେଉନଥିବା ବେଳେ ସ୍ତ୍ରୀ କିମ୍ବା ପିଲାମାନଙ୍କର ହେଉ ବା ବୃଦ୍ଧ ପିତାମାତାଙ୍କ ଦେହ ଖରାପ ହେଲେ ସେମାନେ ତାଙ୍କ ପାଖରେ ପହଞ୍ଚି ପାରୁନାହାଁନ୍ତି । ସେହିପରି ଶିକ୍ଷୟିତ୍ରୀଟିଏ ମଧ୍ୟ ନିଜ ଜିଲ୍ଲାଠାରୁ ଦୂରରେ ଅନ୍ୟ ଜିଲ୍ଲାରେ ଚାକିରୀ କରୁଥିଲେ ମଧ୍ୟ ନିଜର ପିଲା ତଥା ସ୍ୱାମୀଙ୍କ ସୁବିଧା ଅସୁବିଧା ସମୟରେ ପାଖରେ ରହିପାରୁନାହାଁନ୍ତି । ନିଜର ପ୍ରାପ୍ତ ବୟସ୍କ ପୁଅ ବା ଝିଅ ଥିବା ବେଳେ ସେମାନଙ୍କର ଦେଖାଶୁଣା କରିବା ପାଇଁ ବାଧ୍ୟହୋଇ ମାଆ ଝିଅକୁ ବାପା ପାଖରେ ଓ ବାପାମାନେ ମଧ୍ୟ ବୃଦ୍ଧ ପିତାମାତାଙ୍କୁ ନିଜର ପତ୍ନୀ ପାଖରେ ଛାଡ଼ି ଦୂରରେ କାର୍ଯ୍ୟ କରୁଛନ୍ତି । ଓଡ଼ିଶା ସରକାରଙ୍କର ସାଧାରଣ ପ୍ରଶାସନ ବିଭାଗର ଦମ୍ପତ୍ତିମାନଙ୍କୁ ଗୋଟିଏ ଜିଲ୍ଲା ଏବଂ ନିର୍ଦ୍ଦିଷ୍ଟ ଅଞ୍ଚଳରେ କାର୍ଯ୍ୟ କରିବା ପାଇଁ ନିୟମ ରହିଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ଏହାକୁ ଅନୁପାଳନ କରୁନାହିଁ ବୋଲି ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘର ରାଜ୍ୟ ସଭାପତି ସରୋଜ କୁମାର ପଣ୍ଡା ଅଭିଯୋଗ କରିଛନ୍ତି । ଏ କ୍ଷେତ୍ରରେ ସରକାର ବିଚାର କରି ଶିକ୍ଷକ ଦମ୍ପତ୍ତିମାନଙ୍କୁ ନ୍ୟାୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସାଧାରଣ ପ୍ରଶାସନ ବିଭାଗର ରହିଥିବା ନିୟମକୁ ଗଣଶିକ୍ଷା ବିଭାଗରେ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛନ୍ତି । ଏହି ସମସ୍ୟାର ନିରାକରଣ ଦିଗରେ ଗଣଶିକ୍ଷା ବିଭାଗ ନିକଟରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଆବେଦନ କରିଥିଲେ ମଧ୍ୟ ତା’ର ସମାଧାନ ଏପର୍ଯ୍ୟନ୍ତ କରାଯାଇପାରିନାହିଁ । ତୁରନ୍ତ ସରକାର ଏ ଦିଗରେ ବିଚାର କରି ଦମ୍ପତ୍ତିମାନଙ୍କ ଜିଲ୍ଲା ବଦଳି ନୀତିକୁ ସରଳୀକରଣ କରି ଅଗ୍ରାଧିକାର ଭିତ୍ତିରେ ଦମ୍ପତ୍ତିମାନଙ୍କୁ ଗୋଟିଏ ଯାଗାରେ ଓ ଗୋଟିଏ ଜିଲ୍ଲାରେ କାର୍ଯ୍ୟ କରିବାର ସୁଯୋଗ ଦେବାକୁ ଶିକ୍ଷକ ଶ୍ରୀ ରବି ନାରାୟଣ ପଲାଇ, ରଜନୀକାନ୍ତ ପ୍ରହରାଜ, ଶିଶିର କୁମାର ସାମନ୍ତରାୟ, ଅକ୍ଷୟ କୁମାର ସେଠୀ, ରମେଶ ମୂର୍ମୁ, ଅରବିନ୍ଦ ସାମଲ୍‌, ସଞ୍ଜୁଲତା ନାୟକ, ପ୍ରଦୀପ କୁମାର ବେହେରା, ସୁଚିତ୍ରା ସାହୁ, ଶିବରାମ ସାହୁ ଓ ବିଶ୍ୱଜିତ୍‌୍ ସେଠୀ, ରାଜଶ୍ରୀ ସେଠୀ, ଜୟଶ୍ରୀ ଦାସ, ତନିମା ବରାଳ, ଜୟନ୍ତ କୁମାର ସାହୁ ସୁଶାନ୍ତ କୁମାର ଡାକୁଆ ପ୍ରମୁଖ ଦାବି କରିଛନ୍ତି ।