28.1 C
Bhubaneswar
Thursday, March 28, 2024
Homeଓଡିଶା୫-ଟି'କୁ ଫୁ’ : ପରିଚାଳନା କମିଟି ସଦସ୍ୟଙ୍କୁ ତାଲା ପକାଇଲେ ଶିକ୍ଷକ ଶିକ୍ଷୟିତ୍ରୀ

୫-ଟି'କୁ ଫୁ’ : ପରିଚାଳନା କମିଟି ସଦସ୍ୟଙ୍କୁ ତାଲା ପକାଇଲେ ଶିକ୍ଷକ ଶିକ୍ଷୟିତ୍ରୀ

ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକ୍ ନୂଆଗଡ଼ଠାରେ ଥିବା ଡାଳଖାଇ ପ୍ରାଥମିକ ବିଦ୍ୟାଳୟରେ ସରକାରଙ୍କ ୫-ଟି’କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନୁନଥିବାର ଏକ ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି । ଶୁକ୍ରବାର ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ପାଠ ନପଢ଼ାଇ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଏହାର ପ୍ରତିବାଦ କରିବାରୁ ସମ୍ପୃକ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନା କମିଟି ସଦସ୍ୟଙ୍କୁ ଟାଣିନେଇ ବିଦ୍ୟାଳୟର ଏକ ଘରେ ତାଲା ପକାଇ ଦେଇଥିଲେ । ଏ ସମ୍ପର୍କରେ ସମ୍ପୃକ୍ତ ସଦସ୍ୟଙ୍କ ପତ୍ନୀ ନିକଟସ୍ଥ ମେରାଇନ୍ ଥାନା ଓ ଅସ୍ତରଙ୍ଗ ବ୍ଲକ୍ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣାର ପର୍ଦ୍ଦାଫାସ୍ ହୋଇଥିଲା ।
ନୂଆଗଡ଼ ଡାଳଖାଇ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଜଗନ୍ନାଥ ସେନାପତି ପୂର୍ବାହ୍ନ ୧୧ଟା ବେଳେ ଘର ନିକଟ ବିଦ୍ୟାଳୟକୁ ଯାଇଥିବାବେଳେ ଶିକ୍ଷୟିତ୍ରୀ ତରଙ୍ଗିଣୀ ବସ୍ତିଆ ପାଠ ନପଢ଼ାଇ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖିବାକୁ ପାଇଥିଲେ । ପାଠ ନପଢ଼ାଇ ଆପଣ କ’ଣ ପାଇଁ ରୋଷେଇ କରୁଛନ୍ତି ବୋଲି ଶ୍ରୀ ସେନାପତି ପଚାରିବାରୁ ଶିକ୍ଷୟିତ୍ରୀ ଜଣକ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶରେ ଅନ୍ୟ ସହକାରୀ ଶିକ୍ଷକ ଓ କର୍ମଚାରୀଙ୍କୁ ଡକାଇ ଜଗନ୍ନାଥଙ୍କୁ ଧକ୍କା ମାରି ବିଦ୍ୟାଳୟର ଏକ କୋଠରିରେ ଭର୍ତ୍ତି କରି ତାଲା ପକାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହା ପ୍ରଚାରିତ ହେବା ପରେ ଜଗନ୍ନାଥଙ୍କ ପତ୍ନୀ ଲୀନା ସେନାପତି ମେରାଇନ୍ ଥାନା ଓ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପୁଲିସ ଓ ଶିକ୍ଷାଧିକାରୀ ପହଞ୍ଚି ଜଗନ୍ନାଥଙ୍କୁ ଉଦ୍ଧାର କରିଥିଲେ । ପ୍ରଧାନଶିକ୍ଷକଙ୍କ ଏପରି କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବ୍ଲକ୍ ଶିକ୍ଷାଧିକାରୀଙ୍କ ନିକଟରେ ଦାବି କରିଥିଲେ । ଏ ସମ୍ପର୍କରେ ବ୍ଲକ୍ ଶିକ୍ଷାଧିକାରୀ ସର୍ବେଶ୍ୱର ମଲ୍ଲିକଙ୍କୁ ପଚାରିବାରେ ସେ କହିଥିଲେ ଯେ ଖବର ପାଇବା ପରେ ଆମେ ସେଠାରେ ପହଞ୍ଚି ଘଟଣାର ସମାଧାନ କରିଥିଲୁ ଓ ସ୍ଥାନୀୟ ଲୋକଙ୍କ ଦାବି ମୁତାବକ ଶିକ୍ଷାଦାନରେ ଅବେହଳା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଥାନାନ୍ତରିତ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ ।
ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ମେରାଇନ୍ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ମେଡିକାଲ୍ ପରୀକ୍ଷା ପରେ ଆକ୍ରମଣର ଶିକାର ଜଗନ୍ନାଥଙ୍କ ଯଦି କୌଣସି ଶାରୀରିକ କ୍ଷତି ହୋଇଥିବ, ତେବେ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ସୂଚନା ଥାଉକି, ଗତ କିଛିଦିନ ତଳେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଗନ୍ନାଥଙ୍କ ଝିଅକୁ ସ୍କୁଲରେ ମାଡ଼ ମାରିଥିବା ସମ୍ପର୍କରେ ନୂଆଗଡ଼ ମେରାଇନ୍ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ତେବେ ଗ୍ରାମବାସୀଙ୍କ ସହାୟତାରେ ଏହାର ସମାଧାନ ହୋଇଥିଲା । ଏହି ଘଟଣାକୁ ନେଇ ଆକ୍ରୋଶମୂଳକ ଭାବେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଜଗନ୍ନାଥଙ୍କୁ ତାଲା ପକାଇଥିବା ଗ୍ରାମବାସୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ । ଏହି ଘଟଣା ପରେ ବ୍ଲକ୍ ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking