33.1 C
Bhubaneswar
Thursday, April 25, 2024
Homeଏସିଆ କପ୍‌ଏସିଆ କପ୍‌: କୁଶଲ ମେଣ୍ଡିସ୍‌ଙ୍କ ୬୦ ରନ୍‌, ବାଂଲାଦେଶ ୨ ୱିକେଟ୍‌ରେ ହାରିଲା

ଏସିଆ କପ୍‌: କୁଶଲ ମେଣ୍ଡିସ୍‌ଙ୍କ ୬୦ ରନ୍‌, ବାଂଲାଦେଶ ୨ ୱିକେଟ୍‌ରେ ହାରିଲା

ଦୁବାଇ: ସ୍ଥାନୀୟ ଦୁବାଇ ଇଣ୍ଟରନାସ୍‌ନାଲ୍ ଷ୍ଟାଡିୟମ୍‌ରେ ଗୁରୁବାର ଖେଳାଯାଇଥିବା ଏସିଆ କପ୍‌ର ଏକ ଗ୍ରୁପ୍‌-ବି’ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ୨ ୱିକେଟ୍‌ରେ ବିଜୟୀ ହୋଇଛି । ଟୁର୍ଣ୍ଣାମେଣ୍ଟ୍‌ରେ ଏହା ଶ୍ରୀଲଙ୍କାର ପ୍ରଥମ ବିଜୟ ହୋଇଥିବା ବେଳେ ଦଳ ସୁପର୍‌-୪ରେ ପ୍ରବେଶ କରିଛି । ଅନ୍ୟପକ୍ଷରେ ବାଂଲାଦେଶ ଟୁର୍ଣ୍ଣାମେଣ୍ଟ୍‌ରୁ ବିଦାୟ ନେଇଛି । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ନିର୍ଦ୍ଧାରିତ ଓଭର୍‌ରେ ୭ ୱିକେଟ୍ ହରାଇ ୧୮୩ ରନ୍ କରିଥିବା ବେଳେ ଶ୍ରୀଲଙ୍କା ୧୯.୨ ଓଭର୍‌ରେ ୮ ୱିକେଟ୍ ବିନିମୟରେ ଲକ୍ଷ୍ୟ ହାସଲ କରିନେଇଥିଲା । ୧୮୪ ରନ୍‌ର ପିଛା କରୁଥିବା ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲା । ଓପ୍ନର୍ ପାଥୁମ ନିଶଙ୍କା ଏବଂ କୁଶଳ ମେଣ୍ଡିସ୍ ପ୍ରଥମ ୱିକେଟ୍ ପାଇଁ ୪୫ ରନ୍ ଯୋଗ କରିଥିବା ବେଳେ ନିଶଙ୍କା (୨୦) ପଦାର୍ପଣକାରୀ ଏବାଦତ୍ ହୋସେନ୍‌ଙ୍କ ବଲ୍‌ରେ ମୁସ୍ତାଫିଜୁର୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ।

ଏହାପରେ ତରିତ୍ ଅସଲଙ୍କା ୧ ରନ୍ କରି ଏବାଦତ୍‌ଙ୍କ ଦ୍ୱିତୀୟ ଶିକାର ବନିଥିଲେ । ମାତ୍ର ମେଣ୍ଡିସ୍ ଗୋଟିଏ ପଟେ ବ୍ୟାଟିଂକରି ଦଳୀୟ ସ୍କୋର୍ ଆଗକୁ ବଢ଼ାଇ ନେଇଥିଲେ । ସେ କ୍ୟାପ୍‌ଟେନ୍ ଦାସୁନ୍ ସନକା (୪୫)ଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ୫୪ ରନ୍ ଯୋଡ଼ି ବିଜୟ ଆଶା ଉଜ୍ଜୀବିତ କରିଥିଲେ । ମାତ୍ର ୬୦ ରନ୍ (୩୭ ବଲ୍‌, ୪ ଚୌକା, ୩ ଛକା) କରିଥିବା ବେଳେ ମୁସ୍ତାଫିଜୁର୍ ତାଙ୍କୁ ତାସ୍କିନ୍‌ଙ୍କ ହାତରେ କ୍ୟାଚ୍ କରାଇ ଏହି ଯୋଡ଼ି ଭାଙ୍ଗିଥିଲେ । ସନକା ୩୩ ବଲ୍‌ରେ ୩ ଚୌକା ଓ ଦୁଇ ଛକା ସହାୟତାରେ ୪୫ ରନ୍ କରି ମେହେଦି ହସନ୍‌ଙ୍କ ଶିକାର ହୋଇଥିଲେ । ପଦାର୍ପଣକାରୀ ଅସିଥା ଫର୍ଣ୍ଣାଣ୍ଡୋ ଅପରାଜିତ ୧୦ ରନ୍ କରିଥିଲେ । ବାଂଲାଦେଶ ପକ୍ଷରୁ ପଦାର୍ପଣକାରୀ ଏବାଦତ୍ ହୋସେନ୍ ୩ଟି, ତାସ୍କିନ୍ ଅହମଦ୍ ୨ଟି ୱିକେଟ୍ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶକୁ ଅସିଥା ମେଣ୍ଡିସ୍ ପ୍ରଥମ ଝଟ୍‌କା ଦେଇଥିଲେ । ଦଳୀୟ ସ୍କୋର୍ ୧୯ ରନ୍ ଥିବାବେଳେ ସେ ଓପ୍ନର୍ ସବିର୍ ରହମନ୍‌ଙ୍କୁ (୫) ୱିକେଟ୍ ପଛରେ କୁଶଳ ମେଣ୍ଡିସ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ । ଏହାପରେ ବ୍ୟାଟିଂ ପାଇଁ ଆସିଥିବା କ୍ୟାପ୍‌ଟେନ୍ ଶାକିବ୍‌ଙ୍କ ସହ ମେହିଦି ହସନ୍ ମିରାଜ୍ ଦ୍ୱିତୀୟ ୱିକେଟ୍ ପାଇଁ ୩୯ ରନ୍ ଯୋଗକରି ଭଲ ପ୍ଲାଟ୍‌ଫର୍ମ ଦେବାକୁ ଉଦ୍ୟମ କରୁଥିବା ବେଳେ ବ୍ୟକ୍ତିଗତ ୩୮ ରନ୍‌ରେ ୱାନିନ୍ଦୁ ହସାରଙ୍ଗା ଦ୍ୱାରା ବୋଲ୍ଡ ଆଉଟ୍ ହୋଇଥିଲେ । ସେ ୨୬ ବଲ୍‌ର ସମ୍ମୁଖୀନ ହୋଇ ଦୁଇଟି ଲେଖାଏଁ ଛକା ଓ ଚୌକା ଲଗାଇଥିଲେ ।

ମୁସ୍‌ଫିକୁର୍ ରହିମ (୪) ଶସ୍ତାରେ ଚାମିକା କରୁଣାରତ୍ନେଙ୍କ ବଲ୍‌ରେ କୁଶଳ ମେଣ୍ଡିସ୍‌କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରିଥିଲେ । ରହିମ୍‌ଙ୍କ ଆଉଟ୍ ପରେ ବ୍ୟାଟିଂ ପାଇଁ ଆସିଥିବା ଆଫିଫ୍ ହୋସେନ୍ ୨୨ ବଲ୍‌ରେ ୩୯ ରନ୍‌ର ଏକ ଭଲ ଇନିଂସ୍ ଖେଳିଥିଲେ । ତାଙ୍କର ଏହି ଇନିଂସ୍‌ରେ ୪ଟି ଚୌକା ଓ ଦୁଇଟି ଛକା ସାମିଲ ଥିଲା । ଶାକିବ୍ ୨୪ ରନ୍‌ରେ ଥିକ୍‌ସାନାଙ୍କ ଶିକାର ହୋଇଥିଲେ । ଶାକିବ୍‌ଙ୍କ ଆଉଟ୍ ପରେ ସେ ମହମୁଦୁଲ୍ଲା (୨୭)ଙ୍କ ପଞ୍ଚମ ୱିକେଟ୍‌ରେ ୫୭ ରନ୍ ଯୋଡ଼ି ବାଂଲାଦେଶକୁ ଏକ ସମ୍ମାନଜନକ ସ୍କୋର୍ ଆଡ଼କୁ ଅଗ୍ରସର କରାଇଥିଲେ । ଡେଥ୍ ଓଭର୍‌ରେ ମୋସାଡେକ୍ ହୋସେନ୍ ଅପରାଜିତ ୨୪ ଓ ତାସ୍କିନ୍ ଅହମଦ ଅପରାଜିତ ୧୧ ରନ୍ କରିଥିଲେ । ମେହେଦୀ ହସନ୍ ୧ ରନ୍‌ରେ କରୁଣାରତ୍ନେଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ହସାରଙ୍ଗା ଓ କରୁଣାରତ୍ନେ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଆସନ୍ତାକାଲି ପାକିସ୍ତାନ ଓ ହଂକଂ ମଧ୍ୟରେ ଗ୍ରୁପ୍‌-ଏ’ ମ୍ୟାଚ୍ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking