32.1 C
Bhubaneswar
Thursday, March 28, 2024
Homeଏସିଆ କପ୍‌ଏସିଆ କପ୍‌: ୫ ୱିକେଟ୍‌ରେ ହାରିଲା ପାକିସ୍ତାନ

ଏସିଆ କପ୍‌: ୫ ୱିକେଟ୍‌ରେ ହାରିଲା ପାକିସ୍ତାନ

ଦୁବାଇ: ଚଳିତ ଏସିଆ କପ୍‌ରେ ଶୁକ୍ରବାର ସୁପର୍‌-୪ ପର୍ଯ୍ୟାୟ ଶେଷ ହୋଇଛି । ପୂର୍ବରୁ ଫାଇନାଲ୍‌ରେ ପହଞ୍ଚିସାରିଥିବା ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଏହି ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ଟି ଖେଳାଯାଇଥିବା ବେଳେ ଏଥିରେ ଶ୍ରୀଲଙ୍କା ୫ ୱିକେଟ୍‌ରେ ବିଜୟୀ ହୋଇ ଅପରାଜେୟ ରହିଛି । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ୧୯.୧ ଓଭର୍‌ରେ ମାତ୍ର ୧୨୧ ରନ୍ କରି ଅଲ୍‌ଆଉଟ୍ ହୋଇଯିବା ପରେ ଶ୍ରୀଲଙ୍କା ୧୭ତମ ଓଭର୍‌ର ଅନ୍ତିମ ବଲ୍ ସୁଦ୍ଧା ୫ ୱିକେଟ୍‌ରେ ୧୨୪ ରନ୍ କରି ସହଜ ବିଜୟ ହାସଲ କରିଛି ।

ଶ୍ରୀଲଙ୍କା ବୋଲରମାନେ ମାପଚୁପ ବୋଲିଂ କରିବା ଫଳରେ ପାକିସ୍ତାନ ସହଜରେ ରନ୍ ସଂଗ୍ରହ କରିପାରି ନଥିଲା । ତା’ଛଡ଼ା ନିୟମିତ ବ୍ୟବଧାନରେ ମଧ୍ୟ ଦଳ ୱିକେଟ୍ ହରାଇ ଚାଲିଥିଲା । ଦଳ ପକ୍ଷରୁ ଅଧିନାୟକ ତଥା ଓପନର ବାବର୍ ଆଜମ୍ ସର୍ବାଧିକ ୩୦ ରନ୍ କରିଥିଲେ । ତାଙ୍କର ଏହି ଇନିଂସରେ ୨ଟି ଚୌକା ସାମିଲ୍ ଥିଲା । ଏହାଛଡ଼ା ମହମ୍ମଦ ନୱାଜ୍ ଗୋଟିଏ ଚୌକା ଓ ୨ଟି ଛକା ସହ ୨୬ ରନ୍ କରିଥିବାବେଳେ ଅନ୍ୟତମ ଓପନର ମହମ୍ମଦ ରିଜୱାନ୍ ୧୪, ଫାଖର୍ ଜମାନ ଓ ଇଫ୍‌ତିକାର ଅହମ୍ମଦ ୧୩ ରନ୍ ଲେଖାଏଁ କରିଥିଲେ । ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ବି ପହଞ୍ଚିପାରି ନଥିଲେ । ଶ୍ରୀଲଙ୍କା ପକ୍ଷରୁ ସଫଳତମ ବୋଲର୍ ଭାବେ ୱାନିନ୍ଦୁ ହସରଙ୍ଗା ୩ଟି ୱିକେଟ୍ ନେଇଥିଲେ । ସେ ତାଙ୍କ ୪ ଓଭର୍‌ରେ ମାତ୍ର ୨୧ ରନ୍ ମଧ୍ୟ ବ୍ୟୟ କରିଥିଲେ । ଏହାଛଡ଼ା ମହୀଶ ତିକ୍‌ଶାନା ଓ ପ୍ରମୋଦ ମଦୁଶନ୍ ୨ଟି ଲେଖାଏଁ ଏବଂ ଧନଞ୍ଜୟ ଡି’ସିଲ୍‌ଭା ଓ ଚାମିକା କରୁଣାରତ୍ନେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ଦଳ ମାତ୍ର ୨ ରନ୍ ମଧ୍ୟରେ ଓପନର କୁସାଲ୍ ମେଣ୍ଡିସ୍ ଓ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦାନୁଷ୍କା ଗୁଣତିଲକାଙ୍କ ୱିକେଟ୍ ହରାଇଥିଲା । ଉଭୟ ଖାତା ବି ଖୋଲିପାରି ନଥିଲେ । ପରେ ଧନଞ୍ଜୟ ୯ ରନ୍ କରି ଆଉଟ୍ ହେବା ଫଳରେ ଶ୍ରୀଲଙ୍କା ୨୯ ରନ୍ ସୁଦ୍ଧା ୩ଟି ୱିକେଟ୍ ହରାଇସାରିଥିଲା । କିନ୍ତୁ ଏହି ସମୟରେ ଅନ୍ୟତମ ଓପନର ପାଥୁମ୍ ନିଶଙ୍କା ଓ ଭାନୁକା ରାଜପକ୍ଷ ୫୧ ରନ୍ ଯୋଡ଼ି ଦଳକୁ ବିଜୟ ଆଡ଼କୁ ଅଗ୍ରସର କରାଇଥିଲେ । ରାଜପକ୍ଷ ୧୯ଟି ବଲ୍ ଖେଳି ୨ଟି ଛକା ମାଧ୍ୟମରେ ୨୪ ରନ୍‌ର ଅବଦାନ ଦେଇଥିଲେ । ପରେ ଅଧିନାୟକ ଦାସୁନ୍ ଶନାକାଙ୍କ ସହ ନିଶଙ୍କା ପଞ୍ଚମ ୱିକେଟ୍‌ରେ ୩୩ ରନ୍ ଯୋଡ଼ିଥିଲେ । ଶନାକା ୧୬ଟି ବଲ୍‌ରେ ଗୋଟିଏ ଚୌକା ଓ ୨ଟି ଛକା ସହ ୨୧ ରନ୍ କରିଥିଲେ । ନିଶଙ୍କା ୫ଟି ଚୌକା ଓ ଗୋଟିଏ ଛକା ସହ ୫୫ ରନ୍ ଏବଂ ହସରଙ୍ଗା ୩ଟି ବଲ୍‌ରେ ୨ଟି ଚୌକା ସହାୟତାରେ ୧୦ ରନ୍ କରି ଅପରାଜିତ ରହିବା ସହ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ପାକିସ୍ତାନ ପକ୍ଷରୁ ମହମ୍ମଦ ହସନୈନ୍ ଓ ହ୍ୟାରିସ୍ ରୌଫ୍ ୨ଟି ଲେଖାଏଁ ଏବଂ ଉସମାନ୍ କାଦିର୍ ଗୋଟିଏ ୱିକେଟ୍ ନେଇଥିଲେ । ଦୁଇ ଦଳ ମଧ୍ୟରେ ଆସନ୍ତା ରବିବାର ଏଠାରେ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking