35.1 C
Bhubaneswar
Tuesday, April 23, 2024
Homeଏସିଆ କପ୍‌ଏସିଆ କପ୍‌: ଭାରତର ସାନ୍ତ୍ୱନାମୂଳକ ବିଜୟ, କୋହଲିଙ୍କ ଶତକ ଓ ଭୁବିଙ୍କୁ ୫ ୱିକେଟ୍‌

ଏସିଆ କପ୍‌: ଭାରତର ସାନ୍ତ୍ୱନାମୂଳକ ବିଜୟ, କୋହଲିଙ୍କ ଶତକ ଓ ଭୁବିଙ୍କୁ ୫ ୱିକେଟ୍‌

ଦୁବାଇ: ଚଳିତ ଏସିଆ କପ୍‌ରୁ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ବିଜୟ ସହ ବିଦାୟ ନେଇଛି । ପୂର୍ବରୁ ପାକିସ୍ତାନ ଓ ଶ୍ରୀଲଙ୍କା ଫାଇନାଲ୍‌ରେ ପହଞ୍ଚିବା ପରେ ପ୍ରତିଯୋଗିତାରୁ ବିଦାୟ ନେଇସାରିଥିବା ଭାରତ ଗୁରୁବାର ତା\’ର ଅନ୍ତିମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୧୦୧ ରନ୍‌ରେ ପରାସ୍ତ କରିଛି । ସୁପର୍‌-୪ର ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ପାଇ ଭାରତ ବିରାଟ କୋହଲିଙ୍କ ପ୍ରଥମ ଟି-୨୦ ଶତକ ସହ ମାତ୍ର ୨ ୱିକେଟ୍ ବିନିମୟରେ ୨୧୨ ରନ୍‌ର ବିଶାଳ ସ୍କୋର୍ କରିଥିଲା । ଏହାର ଜବାବରେ ଆଫଗାନିସ୍ତାନ ୮ ୱିକେଟ୍ ହରାଇ ମାତ୍ର ୧୧୧ ରନ୍ କରିପାରିଥିଲା । ଫଳରେ ଭାରତ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି ।

ଅଧିନାୟକ ରୋହିତ ଶର୍ମା ବିଶ୍ରାମ ନେଇଥିବାରୁ ତାଙ୍କ ଓପନିଂ ଯୋଡ଼ିଦାର ଲୋକେଶ ରାହୁଲ୍ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ରାହୁଲଙ୍କ ସହ କୋହଲି ଇନିଂସ ଆରମ୍ଭ କରିଥିଲେ । ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରି ପ୍ରଥମ ୱିକେଟ୍‌ରେ ୧୧୯ ରନ୍ ଯୋଡ଼ିଥିଲେ । ଇତିମଧ୍ୟରେ ପ୍ରଥମେ କୋହଲି ଓ ପରେ ପରେ ରାହୁଲ୍ ନିଜ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ୪୧ଟି ବଲ୍ ଖେଳି ୬ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୬୨ ରନ୍ କରିଥିବା ସମୟରେ ରାହୁଲ୍ ଆଉଟ୍ ହେବା ଫଳରେ ଭାରତ ତା\’ର ପ୍ରଥମ ୱିକେଟ୍ ହରାଇଥିଲା । ସୂର୍ଯ୍ୟକୁମାର ଯାଦବ ପ୍ରଥମ ବଲ୍‌ରେ ଛକା ମାରିଥିଲେ ମଧ୍ୟ ପରବର୍ତ୍ତୀ ବଲ୍‌ରେ ପ୍ଲେଡ୍ ଅନ୍ ହୋଇଯାଇଥିଲେ । ଫରିଦ୍ ଅହମ୍ମଦ ଉକ୍ତ ଓଭର୍‌ରେ ୨ଟିଯାକ ୱିକେଟ୍ ହାସଲ କରିଥିଲେ ।

ସୂର୍ଯ୍ୟକୁମାର ଆଉଟ୍ ହେବା ପରେ କୋହଲିଙ୍କ ସହ ଋଷଭ ପନ୍ତ୍ ଯୋଗ ଦେଇଥିଲେ । ତେବେ କୋହଲି ଧୂଆଁଧାର ବ୍ୟାଟିଂ କରି ଟି-୨୦ କ୍ରିକେଟ୍‌ରେ ତାଙ୍କର ପ୍ରଥମ ଶତକ ଅର୍ଜନ କରିଥିଲେ । ଏଥିସହ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ତିନିଟିଯାକ ଫର୍ମାଟ୍‌ରେ ସର୍ବାଧିକ ଶତକ ତାଲିକାରେ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିିକି ପଣ୍ଟିଂଙ୍କ ସମକକ୍ଷ ହୋଇଥିଲେ । ଏହି ତାଲିକାରେ ୧୦୦ଟି ଶତକ ସହ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଶୀର୍ଷରେ ଅଛନ୍ତି । ସେହିପରି କୋହଲି ୧୦୧୯ ଦିନ ଓ ୧୨୯ଟି ଇନିଂସ ପରେ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ତିନି ଅଙ୍କର ସ୍କୋର୍ କରିଥିଲେ । ଗତ ୨୦୧୯ ନଭେମ୍ବର ୨୪ ତାରିଖରେ କୋହଲି କୋଲ୍‌କାତାଠାରେ ବାଂଲାଦେଶ ବିପକ୍ଷ ଏକମାତ୍ର ଦିବାରାତ୍ର ଟେଷ୍ଟ୍‌ରେ ଅନ୍ତିମ ଥର ପାଇଁ ଶତକ କରିଥିଲେ । କୋହଲି ୬୧ଟି ବଲ୍ ଖେଳି ୧୨ଟି ଚୌକା ଓ ୬ଟି ଛକା ସହ ୧୨୨ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ସେ ମଧ୍ୟ ପନ୍ତ୍‌ଙ୍କ ସହ ତୃତୀୟ ୱିକେଟ୍‌ରେ ଅବିଭାଜିତ ୮୭ ରନ୍‌ର ଭାଗୀଦାରୀ କରିଥିଲେ । ଏହି ଭାଗୀଦାରୀରେ ପନ୍ତ୍‌ଙ୍କ ଅବଦାନ ମାତ୍ର ୨୦ ରନ୍‌ର ଥିଲା । ଏଥିରେ ତାଙ୍କର ୩ଟି ଚୌକା ସାମିଲ୍ ଥିଲା ।

ଭାରତର ପ୍ରମୁଖ ପେସର୍ ଭୁବନେଶ୍ୱର କୁମାର ଅଗ୍ନିବର୍ଷୀ ବୋଲିଂ କରି ତାଙ୍କ ୪ ଓଭର୍‌ରେ ମାତ୍ର ୫ ରନ୍ ବ୍ୟୟ କରି ୫ଟି ୱିକେଟ୍ ଦଖଲ କରିଥିଲେ । ତାଙ୍କ ବୋଲିଂର ସମ୍ମୁଖୀନ ହୋଇନପାରି ଆଫଗାନିସ୍ତାନ ମାତ୍ର ୨୧ ରନ୍ ମଧ୍ୟରେ ୬ଟି ୱିକେଟ୍ ହରାଇଥିଲା । ଇବ୍ରାହିମ୍ ଜାଡରାନ୍ ୫୯ଟି ବଲ୍‌ରେ ୪ଟି ଚୌକା ଓ ୨ଟି ଛକା ଜରିଆରେ ୬୪ ରନ୍‌ର ଅପରାଜିତ ଇନିଂସ ଖେଳିବା ଫଳରେ ଆଫଗାନିସ୍ତାନ ଶହେ ରନ୍ ପାର୍ କରିପାରିଥିଲା । ତାଙ୍କ ବ୍ୟତୀତ ରଶିଦ୍ ଖାନ୍ ୨ଟି ଚୌକା ସହ ୧୫ ଏବଂ ମୁଜିବ୍ ଉର୍ ରହମାନ୍ ୨ଟି ଚୌକା ଓ ଗୋଟିଏ ଛକା ସହ ୧୮ ରନ୍‌ର ଯୋଗଦାନ ଦେଇଥିଲେ । ଭାରତ ପକ୍ଷରୁ ଭୁବିଙ୍କ ବ୍ୟତୀତ ଅର୍ଶଦୀପ ସିଂହ, ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଦୀପକ ହୁଡ୍ଡା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ସୁପର୍‌-୪ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ ଶୁକ୍ରବାର ଏଠାରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking