L
ଓଡ଼ିଆ ସାହିତ୍ୟରେ ଅଗାଧ ଜ୍ଞାନ ଓ ରୁଚି ରଖିଥିବା ମୋର ଜଣେ ଅନ୍ତରଙ୍ଗ ପଦାର୍ଥବିଜ୍ଞାନୀ ଅଧ୍ୟାପିକା ବାନ୍ଧବୀ ଭୀଷଣ କଟାକ୍ଷର ଶିକାର ହୁଅନ୍ତି ତାଙ୍କର ସହଯୋଗୀ ଇଂରାଜୀ ପ୍ରାଧ୍ୟାପିକା ସହଯୋଗୀଙ୍କ ଠାରୁ। ବାରମ୍ବାର ଅପମାନ ଓ କଟାକ୍ଷର ଶିକାର ହେଲାପରେ ଧୀରେ ଧୀରେ ମୋର ବାନ୍ଧବୀ ମାନସିକ ଅବସାଦର ଶିକାର ହେବାକୁ ଲାଗିଲେ। କିଛିଦିନ ପରେ ମୋର ସେହି ଓଡ଼ିଆ ସାହିତ୍ୟ ଓ ଜ୍ଞାନରେ ଅଗାଧ ପାଣ୍ଡିତ୍ୟ ରଖିଥିବା ଏବଂ ଏକଦା ପଦାର୍ଥ ବିଜ୍ଞାନରେ ପ୍ରଥମ ଦଶ ଜଣରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବାନ୍ଧବୀଙ୍କ ଇନଫିଓରିଟି କଂପ୍ଲେକ୍ସକୁ ନିରୀକ୍ଷଣ କରି ତାର କାରଣ ପଚାରନ୍ତେ ବାନ୍ଧବୀ ଜଣଙ୍କ ତାଙ୍କ ମନଦୁଃଖର କାରଣ ବିସ୍ତୃତ ଭାବରେ ବର୍ଣ୍ଣନା କଲେ।
କଥାଟି ଥିଲା ଏହିପରି ଯେ ମୋର ବାନ୍ଧବୀ ଓ ତାଙ୍କର ଦୁଇଜଣ ସହକର୍ମୀ ଅଧ୍ୟାପିକା କଟକ ଜିଲ୍ଲା ଉପାନ୍ତରରେ ଥିବା ଏକ ମହାବିଦ୍ୟାଳୟରେ ଅଧ୍ୟାପନାରତ। ପ୍ରତିଦିନ ଏକା ସହିତ ତିନିଜଣଯାକ ସାଙ୍ଗ ହୋଇ ଗୋଟିଏ ଗାଡ଼ିରେ ଯାଆନ୍ତି। ପଦାର୍ଥବିଜ୍ଞାନୀ ବାନ୍ଧବୀଙ୍କ ଅନ୍ୟ ଦୁଇ ସହକର୍ମୀ ଇଂରେଜୀ ଭାଷା ସାହିତ୍ୟର ଅଧ୍ୟାପିକା ଅଟନ୍ତି। ବାଟରେ କଥୋପକଥନ ସମୟରେ ତାଙ୍କର ଦୁଇ ସହକର୍ମୀ ଉଚ୍ଚ ସ୍ୱରରେ ଇଂରାଜୀ ଭାଷା ସାହିତ୍ୟ ସହିତ ବିଭିନ୍ନ ଘରୋଇ କଥାବାର୍ତ୍ତା ମଧ୍ୟ ଇଂରାଜୀରେ କରନ୍ତି। ଶ୍ରୁତିକଟୁ ଲାଗିଲେ ମଧ୍ୟ ଭଦ୍ରାମି ଦୃଷ୍ଟିରୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପଲକ୍ଷେ ସେମାନଙ୍କ ସହିତ ସେ ମଧ୍ୟ ମଝିରେ ମଝିରେ ଭାଗନେଇ ଇଂରାଜୀରେ କଥାବାର୍ତ୍ତା କରନ୍ତି। କିନ୍ତୁ ଇଂରାଜୀ ଭାଷାରେ ସେମାନଙ୍କ ପରି ଅନର୍ଗଳ କଥା ହୋଇ ନ ପାରୁ ଥିବାରୁ ସେମାନଙ୍କ ପରୋକ୍ଷ ପରିହାସ ଓ କଟାକ୍ଷର ଶିକାର ହୁଅନ୍ତି।ଯଦି କଦବା କ୍ଵଚିତ ସେ ସେଇ ଏକଘଣ୍ଟାର ଯାତ୍ରା ସମୟରେ ଓଡ଼ିଆ ସାହିତ୍ୟ ବିଷୟରେ କିଛି ଆଲୋଚନା କରିବାର ପ୍ରୟାସ କରନ୍ତି ତାହେଲେ ସତେ ଯେମିତି କେଉଁଠୁ ଗୋଟେ ଅତ୍ୟନ୍ତ ଗାଉଁଲିଆ ବା ମଫସଲରୁ ଆସିଥିବା ଲୋକ ପରି ତିର୍ଯ୍ୟକ ନଜରରେ ଏମିତି ଚାହାନ୍ତି ଯେ ମୋ ବାନ୍ଧବୀ ଆଉ ସାହସ କରିପାରନ୍ତି ନାହିଁ ତାଙ୍କ ରୁଚିର ଆଲୋଚନାକୁ ଆଉ ଆଗକୁ ବଢ଼େଇବାକୁ। ଅତଏବ ଚୁପ ରହିବାକୁ ଶ୍ରେୟ ମଣି ସେହି ଦୀର୍ଘସମୟର ଯାତ୍ରାରେ କେବଳ ଦୀର୍ଘଶ୍ବାସ ପକାଇବା ଛଡା ତାଙ୍କର ଅନ୍ୟଉପାୟ ନ ଥାଏ।
ଅତ୍ୟନ୍ତ ମନଦୁଃଖର ସହିତ ବହୁତ କଷ୍ଟରେ ସେ ତାଙ୍କ ମନକଥା ମୋ ଆଗରେ ପ୍ରକାଶ କରନ୍ତେ ମୁଁ ଠୋ ଠୋ ହୋଇ ହସିବାକୁ ଆରମ୍ଭ କଲି। କହିଲି ଆରେ ପାଗେଳୀ ତୁମେ ପରା କଲେଜ ସମୟରେ ଓଡ଼ିଆ ବକ୍ତୃତା ଓ ପ୍ରବନ୍ଧରେ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଗ୍ରହଣ କରୁଥିଲ। ଏବେ ମଧ୍ୟ ତୁମ ଓଡ଼ିଆ ଗଳ୍ପ ଓ କବିତାର ଅନେକ ପ୍ରଶଂସକ। ମୁଁ ତୁମ ପରି ଜଣେ ବାନ୍ଧବୀ ପାଇ ବହୁତ ଗର୍ବିତ ଯେ ତୁମେ ପଦାର୍ଥବିଜ୍ଞାନୀର ମେଧାବୀ ଛାତ୍ରୀ/ ଅଧ୍ୟାପିକା ହୋଇ ମଧ୍ୟ ଓଡ଼ିଆ ଭାଷାରେ ତୁମର ଅଗାଧ ଜ୍ଞାନ ଓ ପାଣ୍ଡିତ୍ୟ ରହିଛି। ସେଥିପାଇଁ ମୁଁ ତୁମକୁ ସମ୍ନାନ ମଧ୍ୟ କରେ।
ତୁମ ନିଜ ଜ୍ଞାନ ଓ ଦକ୍ଷତା ଉପରେ ତୁମର ବିଶ୍ୱାସ ନାହିଁ କି? ସେମାନେ ଇଂରାଜୀ ସାହିତ୍ୟରେ ପାଠ ପଢ଼ିଛନ୍ତି । ତେଣୁ ସାଧାରଣ ଭାବରେ ତାଙ୍କର ସେଥିରେ ଅଧିକା ଜ୍ଞାନ ରହିବ। ତୁମେ ପଦାର୍ଥ ବିଜ୍ଞାନରେ ଅଧିକା ପାଠ ପଢିଛ। ସେମାନେ କଣ ତୁମ ପଦାର୍ଥ ବିଜ୍ଞାନ ଉପରେ ତୁମପରି ଅନର୍ଗଳ କହି ପାରିବେ ? ବରଂ ତୁମେ ପଦାର୍ଥ ବିଜ୍ଞାନୀର ଛାତ୍ରୀ/ଅଧ୍ୟାପିକା ହୋଇ ମଧ୍ୟ ନିଜ ମାତୃଭାଷା ଓଡ଼ିଆ ଉପରେ ତୁମ ଜ୍ଞାନ ଓ ନିୟନ୍ତ୍ରଣ ରହିଛି। ତୁମେ ଅତି ସୁନ୍ଦର ଭାବରେ ତୁମର ମାତୃଭାଷାକୁ ପଢିଛ, ବୁଝିଛ ଏବଂ ସମ୍ମାନ ଦେଇପାରୁଛ। ସେହି ଦୃଷ୍ଟିରେ ଦେଖିବାକୁ ଗଲେ ସେମାନେ ହାସ୍ୟାସ୍ପଦ। ଓଡ଼ିଆ ହୋଇ ମଧ୍ୟ ଓଡ଼ିଆ ଭାଷାରେ ସେମାନଙ୍କ ରୁଚି କିମ୍ବା ଦକ୍ଷତା ନାହିଁ। ସେଥିପାଇଁ ତୁମେ ତାଙ୍କୁ ଉପହାସ କରିବାର କଥା। କେତେ ଵୋକି ଝିଅଟି କି? ସେମାନେ ନିଜର ରୁଚି/ବୃତ୍ତି ପାଇଁ ଇଂରାଜୀ ସାହିତ୍ୟ ପଢ଼ିଛନ୍ତି ବୋଲି ନିଜ ମାତୃଭାଷାକୁ ଉଚିତ ସମ୍ମାନ ନ ଦେଇ ପାରିବା କଣ ଠିକ କଥା? ସେମାନଙ୍କ ପାଖରେ ଯଦି ଏତେ ପ୍ରଚଣ୍ଡ ପ୍ରତିଭା ଅଛି ତାହେଲେ ଫ୍ରେଞ୍ଚ, ସ୍ପାନିଷ, ଜର୍ମାନ କିମ୍ବା ରୁଷିଆ ଭାଷାରେ ସେମାନେ ସେମିତି ଅନର୍ଗଳ କଥା ହୋଇ ପାରିବେ କି ? ନା ପାରିବେନି। ତେଣୁ ସମସ୍ତଙ୍କ ପାଖରେ ସବୁ ଦକ୍ଷତା ନ ଥାଏ। କିନ୍ତୁ ଅନ୍ୟ ଭାଷାରେ ଯେତେ ଦକ୍ଷତା ଥିଲେ ମଧ୍ୟ ନିଜ ମାତୃଭାଷାରେ ଯାହାର ଦକ୍ଷତା ନ ଥାଏ, ତା ଠୁ ବଡ଼ ମୂର୍ଖ କେହି ନାହାନ୍ତି।ଭାଷା ହେଉଛି, ଭାବ ବ୍ୟକ୍ତ କରିବାର ମାଧ୍ୟମ। ତୁମେ କମଳ ହାସନଙ୍କ ସେହି “ପୁଷ୍ପକ” ଚଳଚିତ୍ରଟି ଦେଖିନ କି? ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୋଟିଏ ବି ଶବ୍ଦ ନାହିଁ, କିନ୍ତୁ ସରିଲା ବେଳକୁ ସମସ୍ତଙ୍କ ଆଖିରେ ଲୁହ। ତାହା ହିଁ ସାହିତ୍ୟ, ତାହା ହିଁ ଭାଷା। ବିଶ୍ୱ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଇଂରାଜୀ ସାହିତ୍ୟିକ କଣ ଆମ ମାତୃଭାଷା ଓଡ଼ିଆରେ ତୁମ ପରି କବିତା ଲେଖିପାରିବେ ନା ତୁମ ପରି ଓଡ଼ିଆ କହି ପାରିବେ?ନିଜର ଦକ୍ଷତାକୁ ନେଇ ଗର୍ଵ ନ କଲେ ମଧ୍ୟ ସ୍ୱାଭିମାନ ରହିବା ଉଚିତ। ତୁମ ଭିତରର ପ୍ରତିଭାକୁ ଯେତେବେଳେ ତୁମେ ଠିକ ଭାବରେ ଚିହ୍ନି ତୁମେ ନିଜେ ସମ୍ମାନ ଦେବ ତେବେ ଅନ୍ୟମାନେ ତାହାକୁ ସ୍ୱୀକାର କରିବାକୁ ବାଧ୍ୟ ହେବେ। ତେଣୁ ଯେ ପର୍ଯ୍ୟନ୍ତ ନିଜେ ନିଜ ପାଇଁ, ନିଜ ମାତୃଭାଷା ପାଇଁ ନିଜର ସଂସ୍କୃତି, କଳା ଓ ପରମ୍ପରା ପାଇଁ ନିଜେ ଗର୍ଵ ନ କରିଛ ସେ ପର୍ଯ୍ୟନ୍ତ କିଛି ବୃଥା ଅହଙ୍କାରୀ ମୂର୍ଖ ବ୍ୟକ୍ତି ବିଶେଷ ତୁମ ଉପରେ ଅଟ୍ଟହାସ୍ୟ କରୁଥିବେ। ଏତିକି ସର୍ବଦା ମନେ ରଖିବ ଯେଉଁମାନେ ନିଜ ମାତୃଭାଷାକୁ ଭଲ ପାଆନ୍ତି ନାହିଁ ସେମାନେ ନିଜର ପିତାମାତାଙ୍କୁ ମଧ୍ୟ ଯଥୋଚିତ ବ୍ୟବହାର ବା ସମ୍ମାନ ଦିଅନ୍ତି ନାହିଁ। ସେମାନେ ତୁମର ପ୍ରତିଭାକୁ କଣ ବା ସମ୍ମାନ ଦେବେ ? ତେଣୁ ତୁମେ ସେମାନଙ୍କ ସଙ୍ଗ ବର୍ଜ୍ଜନ କରିବା ଉଚିତ।
ଶେଷରେ କହିଲି: ଆଚ୍ଛା ସଖୀ ମୋର ଗୋଟିଏ କଥା ରଖିବ? ସଖୀ କହିଲେ: ହଁ କୁହ ତୁମ କଥା ପୁଣି ରଖିବିନି?
ମୁଁ କହିଲି : ଆମ ଓଡ଼ିଆ ସାହିତ୍ୟର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ “ବୈଦେହୀଶ ବିଳାସ” ବା ମାୟାଧର ମାନସିଂହଙ୍କ “ହେମପୁଷ୍ପ” ପରି କାବ୍ୟଟିଏ ଇଂରାଜୀ ସାହିତ୍ୟରେ କେଉଁଠି ଅଛି ତୁମର ସେହି ଇଂରାଜୀ ସାହିତ୍ୟ ପ୍ରେମୀ ଅଧ୍ୟାପିକାଙ୍କୁ ଟିକେ ପଚାରିବ କି ? କିମ୍ବା ସେଥିରୁ ଦୁଇପଦ ତୁମର ସେହି ବିଜ୍ଞ ସହକର୍ମୀ ଇଂରାଜୀରେ ଅନୁବାଦ କରି ପାରିବେକି?
ବାନ୍ଧବୀଙ୍କ ମୁହଁରେ ହସଟିଏ ଖେଳିଗଲା।
କିଛିଦିନ ଅନ୍ତରରେ ମୋର ବାନ୍ଧବୀଙ୍କର ପୂର୍ବପରି ସେହି ଆତ୍ମବିଶ୍ବାସ ଓ ଫେରି ଆସିଥିବା ସ୍ୱାଭିମାନ ଦେଖି ଆତ୍ମସନ୍ତୋଷ ଲଭିଲି।
ଡ଼ଃ ରିନା ରାଉତରାୟ