16.1 C
Bhubaneswar
Friday, January 28, 2022
Homeଅପରାଧଶିକ୍ଷୟିତ୍ରୀ ହତ୍ୟା ଘଟଣା : ଅଭିଯୁକ୍ତ ଗିରଫ

ଶିକ୍ଷୟିତ୍ରୀ ହତ୍ୟା ଘଟଣା : ଅଭିଯୁକ୍ତ ଗିରଫ

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ ରବିବାର ରାତିରେ ଘଟିଥିବା ହତ୍ୟାକାଣ୍ଡ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ମଙ୍ଗଳବାର ଏକ ପ୍ରେସ୍ ରିଲିଜ ମାଧ୍ୟମରେ ଯାଜପୁର ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଧର୍ମଶାଳା ଥାନା ସାଲେପୁର ଗ୍ରାମର ନୀଳମଣି ଜେନାଙ୍କ ପୁଅ ସୁନୀଲ ଜେନା (୨୩) ବୋଲି ଜଣାପଡିଛି । ପରିବାର ସହ କିଛି ବର୍ଷ ହେବ କାଏମାରେ ଘର ଭଡ଼ା ନେଇ ରହୁଥିଲେ ।
ସୂଚନା ଅନୁଯାୟୀ, ସୋମବାର ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ମହାନ୍ତି ସାହିରେ ଭଡାରେ ସପରିବାର ରହୁଥିବା ଶିକ୍ଷୟିତ୍ରୀ ତରୁଲତା ବିଶ୍ୱାଳଙ୍କ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ନିତ୍ୟରଞ୍ଜନ ମଲ୍ଲିକ (୫୪) ଓ ଝିଅ ଜୟଶ୍ରୀ ମଲ୍ଲିକ (୧୭) ଗୁରୁତର ଆହତ ହୋଇଥିଲେ । ଗତକାଲି ସକାଳୁ ଘର ପଛପଟେ ବାପା, ମାଆ ଓ ଝିଅ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ପଡ଼ୋଶୀ ପୁଲିସକୁ ଖବର ଦେଇଥିଲେ ।

ଧର୍ମଶାଳା ଥାନା ଆଇଆଇସି ସରୋଜ କୁମାର ସାହୁ ପହଞ୍ଚି ଗୁରୁତର ଆହତ ଅବସ୍ଥାରେ ପଡିଥିବା ତରୁଲତାଙ୍କ ସ୍ୱାମୀ ନିତ୍ୟରଞ୍ଜନ ଓ ଝିଅ ଜୟଶ୍ରୀଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ ମୃତ ଶିକ୍ଷୟିତ୍ରୀଙ୍କ ଭାଇ ଭଜମୋହନ ବିଶ୍ୱାଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ତରୁଲତାଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଥିଲା । ତେବେ ପ୍ରାଥମିକ ପର୍ଯ୍ୟାୟରେ ପୁଲିସ କୌଣସି ଟେର୍ ପାଇ ନଥିବା ବେଳେ ଖବର ପାଇ ଯାଜପୁର ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ, ଏସ୍‌ପି ଚରଣସିଂ ମୀନା ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହି ତଦନ୍ତ ସମୟରେ ସ୍ଥାନୀୟ ଅଞ୍ଚଳର ଯୁବକ ସୁନୀଲ ଉପରେ ପୁଲିସର ସନ୍ଦେହ ହେବାରୁ ତାକୁ ଥାନାକୁ ଆଣି ପଚରା ଉଚରା କରିଥିଲା ।

ପରେ ସେ ନିଜର ଦୋଷକୁ ସ୍ୱୀକାର କରିଥିଲା । ଶିକ୍ଷୟିତ୍ରୀଙ୍କ ନାବାଳିକା ଝିଅକୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବା ଲାଗି ସେ ନିଷ୍ପତ୍ତି ନେଇଥିଲା । ଯୋଜନା ମୁତାବକ ରବିବାର ରାତି ପ୍ରାୟ ସାଢ଼େ ଦଶଟା ସମୟେରେ ସେ ଘରୁ ଏକ କାଙ୍କ ନେଇ ଶିକ୍ଷୟିତ୍ରୀଙ୍କ ଘର ପଛପଟେ ଲୁଚି ରହିଥିଲା । ଏହି ସମୟରେ ମୁହଁ ଧୋଇବା ଲାଗି ତରୁଲତା ବାହାରକୁ ଆସିବା ସମୟରେ ଅତର୍କିତ ଭାବେ କାଙ୍କରେ ଆକ୍ରମଣ କରିବାରୁ ସେ ଚିତ୍କାର କରି ତଳେ ପଡିଯାଇଥିଲେ । ଚିତ୍କାର ଶୁଣି ତାଙ୍କ ସ୍ୱାମୀ ଓ ଝିଅ ବାହାରକୁ ଆସିବା ସମୟରେ ସେମାନଙ୍କୁ ମଧ୍ୟ ସେ କାଙ୍କରେ ଆକ୍ରମଣ କରିଥିଲା । ଫଳରେ ଉଭୟ ବାପା ଓ ଝିଅ ସେଠାରେ ଗୁରୁତର ଅବସ୍ଥାରେ ପଡିଯାଇଥିଲେ । ଏହାପରେ ସୁନୀଲ ଘଟଣାସ୍ଥଳରୁ ଫେରାର ହୋଇଯାଇ ନିଜ ଘରେ ଲୁଚି ରହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking