19.1 C
Bhubaneswar
Sunday, November 24, 2024
Homeଅପରାଧଅର୍ଚ୍ଚନା ଓ ଜଗବନ୍ଧୁ ବ୍ଲାକମେଲିଂ ଓ ହନିଟ୍ରାପ ମାମଲା

ଅର୍ଚ୍ଚନା ଓ ଜଗବନ୍ଧୁ ବ୍ଲାକମେଲିଂ ଓ ହନିଟ୍ରାପ ମାମଲା

ଇଡି କାର୍ଯ୍ୟାଳୟରେ ହାଜର ହେଲେ ସୋ’ରୁମ୍ ମାଲିକ
୩ଟି ସ୍ଥାନରେ ଚଢଉ ପରେ କାର ବତ୍ତା ପାଇଲାନି ଇଡ଼ି
ପ୍ରତିଷ୍ଠିତ ବ୍ୟକ୍ତି କାର ଦେଇଥିବା ଇଡିକୁ ମିଳିଲା ପ୍ରମାଣ
ଆଜି ଜେଲରେ ନାଗ ଦମ୍ପତ୍ତିଙ୍କୁ ମୁହାଁମୁହିଁ ଜେରା କରାଯିବ
ଭୁବନେଶ୍ୱର: ବ୍ଲାକମେଲିଂ ଓ ହନିଟ୍ରାପ ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମାମଲାରେ ନିଖୋଜ ଏଣ୍ଡେଭର କାରର ପତ୍ତା ପାଉନି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ତେଣୁ ଏହି ସମ୍ପର୍କରେ ତଥ୍ୟ ଜାଣିବା ପାଇଁ କାର ସୋ’ରୁମର ମାଲିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି । ନୋଟିସ୍ ଆଧାରରେ ସୋ’ରୁମ୍‌ର ମାଲିକଙ୍କ ପୁଅ ଶୁକ୍ରବାର ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଏଣ୍ଡେଭର କାରର ମାଲିକାନା ଜାଇବା ନେଇ ତାଙ୍କୁ ନୋଟିସ ହୋଇଥିଲା ।

ଅର୍ଚ୍ଚନା ନାଗ ଉକ୍ତ ଡିଲରଙ୍କ ଠାରୁ ଏଣ୍ଡଭର ଗାଡି କିଣିଥିଲେ । ଏହି ଗାଡ଼ି କ୍ୟାସ ଆକାରରେ କିଣା ହୋଇଥିବା ଇଡି ତଦନ୍ତରୁ ସ୍ପଷ୍ଟ ହୋଇଛି । ଇଡି ତଦନ୍ତରୁ ଜାଣିବାକୁ ପାଇଛି ଯେ, ଏହି କାରକୁ କେହି ପ୍ରତିଷ୍ଠିତ ବ୍ୟକ୍ତି ତାଙ୍କ ଉପହାର ଆକାରରେ ଦେଇଛନ୍ତି । ଏହି ଦାମୀ କାରର ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା ହେବ । ଏହି ଗାଡକୁ ବ୍ୟବହାର କରି ଅର୍ଚ୍ଚନା ତାଙ୍କ କଳା ସାମ୍ରାଜ୍ୟର ବାଦଶାହ ବନିଥିଲେ । ଏହି କାର ଭିତରେ ହିଁ ସେ ଅନେକ ଡିଲ୍ କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେହି କାରକୁ ଏବେ ଖୋଜିବା ଆରମ୍ଭ କରିଛି । ଯଦି କୌଣସି ବ୍ୟକ୍ତି ଅର୍ଚ୍ଚନାଙ୍କ ଏହି କାରକୁ ଲୁଚାଇ ଥିବ, ତାଙ୍କ ବିରୋଧରେ ମଧ୍ୟ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଆବଶ୍ୟକ ପଡ଼ିଲେ କାର ଲୁଚାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଇଡିର ଜଣେ ଅଧିକାରୀ କହିଛନ୍ତି । ଏହି ଦାମୀ କାର୍ ରାଜ୍ୟର କେଉଁ କେଉଁ ସ୍ଥାନକୁ ଯାଇଛି ତାହାର ସବିଶେଷ ତଥ୍ୟ ପାଇଁ ଇଡି ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି । ଅର୍ଚ୍ଚନା ନାଗ ମାମଲାରେ ଇଡିର ରିମାଣ୍ଡରେ ଥିବା ଖଗେଶ୍ୱର ପାତ୍ରର ରିମାଣ୍ଡ ଅବଧି ଗୁରୁବାର ୭ ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ଖଗେଶ୍ୱରକୁ ମାରାଥନ ଜେରା କରି ଅନେକ ତଥ୍ୟ ପାଇଛି ଇଡି । ଖଗେଶ୍ୱର ଅର୍ଚ୍ଚନାଙ୍କ ଏକାଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବ ଦେବା ପରେ ଏବେ ଇଡି ଅର୍ଚ୍ଚନା ନାଗଙ୍କ ଏକ ନିର୍ଦିଷ୍ଟ ଦାମୀ କାର ଉପରେ ନଜର ପକାଇଛି ।

ଇଡିର ଦୁଇଟି ଭିନ୍ନ ଭିନ୍ନ ଟିମ୍ ଅର୍ଚ୍ଚନାଙ୍କ ନାଗଙ୍କ ସତ୍ୟବିହାର ଘର, ସୁପ୍ରିମ କାର ବଜାର, ପଳାସୁଣୀରେ ଥିବା ଏକ ଆପାର୍ଟମେଣ୍ଟରେ ଏକା ସାଙ୍ଗରେ ଚଢାଉ କରିଛି । କିନ୍ତୁ କେଉଁଠୁ ବି ଅଚ୍ଚର୍ନାଙ୍କ ଦାମୀ କାରର ପତ୍ତା ପାଇନାହିଁ ଇଡି । ଏହି କାର ସମ୍ପର୍କରେ ଇଡି ଆଜି ଝାରପଡ଼ା ଜେଲ୍‌ରେ ନାଗ ଦମ୍ପତ୍ତି ଏବଂ ଜଗବନ୍ଧୁ ଚାନ୍ଦଙ୍କୁ ମୁହାଁମୁହିଁ ଜେରା କରିବ ବୋଲି ଜଣାପଡିଛି । ଏନେଇ ଇଡି ପୂର୍ବରୁ କୋର୍ଟରୁ ଅନୁମତି ଆଣିଥିବା ଜଣାପଡିଛି । ଏହି ଜେରା ସମୟରେ ଜେଲ୍ କର୍ତ୍ତୃପକ୍ଷ ଉପସ୍ଥିତ ରହିବ ବୋଲି ଜଣାପଡିଛି । ତେବେ ଇଡିର ତଦନ୍ତ ପରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking