35.1 C
Bhubaneswar
Tuesday, April 23, 2024
Homeଓଡିଶାବାପ-ପୁଅ ଦୂରାରୋଗରେ ପୀଡ଼ିତ, ସହାୟତା ନିମନ୍ତେ ମାଆଙ୍କ ନିବେଦନ

ବାପ-ପୁଅ ଦୂରାରୋଗରେ ପୀଡ଼ିତ, ସହାୟତା ନିମନ୍ତେ ମାଆଙ୍କ ନିବେଦନ

ନୟାଗଡ଼ : ସ୍ୱାମୀଙ୍କ ଦୁଇ କିଡନୀ ଖରାପ ହୋଇଥିବା ବେଳେ ପୁଅ ସିକେଲସେଲ ରୋଗରେ ପୀଡ଼ିତ । ଏଭଳି ସ୍ଥିତିରେ ଘର ଚଳାଇବା ଓ ପରିବାରର ଦୁଇ ସଦସ୍ୟଙ୍କୁ ଚିକିତ୍ସା କରାଇବା ସ୍ତ୍ରୀଙ୍କ ପକ୍ଷେ କାଠିକର ପାଠ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ କଳସାଖମଣ ପଞ୍ଚାୟତ କାଳମ୍ବା ଗାଁରେ । ସୂଚନା ଅନୁଯାୟୀ, କାଳମ୍ବା ଗାଁରେ ରହନ୍ତି ବନିତା ନାୟକ । ପରିବାର କହିଲେ ସ୍ୱାମୀ ଦେବରାଜ, ପୁଅ ବିକାଶ ଏବଂ ଗୋଟିଏ ଝିଅ । ସ୍ୱାମୀ ଦିନ ମଜୁରୀ କରି ପରିବାର ଚଳାଇ ଆସୁଥିଲେ । ଗତ ୨ ବର୍ଷ ତଳେ ହଠାତ୍ ଶରୀର ଅସୁସ୍ଥ ହେବାରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରିବାରୁ ୨ଟି ଯାକ କିିଡିନ୍ ଖରାପ ହୋଇଥିବା ଜଣାପଡିଥିଲା । ଏହାରି ମଧ୍ୟରେ ପୁଅ ବିକାଶ ରକ୍ତଶିକୁଳି ବା ସିକିଲ୍‌ସେଲ୍ ରୋଗରେ ଆକ୍ରାନ୍ତ । ସ୍ୱାମୀ ଏବଂ ପୁଅର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ବନିତା ଯାହା ଖଲି ସିଲାଇ କରୁଥିଲେ ସେଥିରେ ପରିବାର ଚଳୁଥିଲା । ଅଭାବ ଅନଟନ ମଧ୍ୟରେ ସ୍ୱାମୀଙ୍କ ଔଷଧ କିଣିବା ଏବଂ ପରିବାର ଚଳାଇବା ପାଇଁ ସେ ଭୁବନେଶ୍ୱର ଚାଲି ଯାଇଥିଲେ । ପରଘରେ କାମ କରି ଯାହା ଦି ପଇସା ରୋଜଗାର ହୁଏ ସେଥିରେ ପରିବାର ଚଳି ଯାଉଥିଲା । ତେବେ ଏନେଇ ଗତ ମାର୍ଚ୍ଚ ମାସ ୧୩ ତାରିଖରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଉଭୟ ବାପା ଓ ପୁଅଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ଆଗେଇ ଆସିଥିଲା । ଏପଟେ ଉକ୍ତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ତହସିଲଦାର ମଧ୍ୟ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ଏହାରି ମଧ୍ୟରେ ଦେବରାଜଙ୍କୁ ଚିକିତ୍ସା କରିବା ପାଇଁ ଭୁବନେଶ୍ୱର ୬ ନମ୍ବରକୁ ପଠାଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ବାରଣ୍ଡାରେ ଛେଳି କୁକୁର ଭଳି ପଡି ରହିଥିବା ବେଳେ କେହି ବି ଆଡ ଆଖିରେ ଚାହିଁଲେ ନାହିଁ । ଫୋନ୍ ଯୋଗେ ସିଡିଏମ୍‌ଓ ଏବଂ ଦଶପଲ୍ଲା ଡାକ୍ତରଙ୍କୁ ବନିତା କହିଥିଲେ । ହେଲେ ପ୍ରାୟ ୧୫ ଦିନ ରହିବା ପରେ ସେଠାରୁ ନିରାଶ ହୋଇ ଭୁବନେଶ୍ୱରରେ ରହୁଥିବା ଭଡାଘରକୁ ସ୍ୱାମୀଙ୍କୁ ନେଇ ଚାଲି ଆସିଥିଲେ । କିଛି ଦିନ ସ୍ୱାମୀଙ୍କ ଦେହ ଭଲ ଥିବା ବେଳେ ଏବେ ଗୁରୁତର ହୋଇ ପଡିଛନ୍ତି । ଲକ୍‌ଡାଉନ୍ ପାଇଁ କାମଧନ୍ଦା ବନ୍ଦ ରହିଥିବା ବେଳେ ସ୍ୱାମୀ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ସ୍ୱାମୀଙ୍କ ଯନ୍ତ୍ରଣା ଅସହ୍ୟ ହେବାରୁ ଶନିବାର ପୁଣି ୬ ନମ୍ବର ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ସେଠାରୁ ଡାକ୍ତର କଟକ ଏସ୍‌ସିବିକୁ ପଠାଇ ଦେଇଥିଲେ । କଟକରେ ପ୍ରଥମେ କୋଭିଡ୍ ପରୀକ୍ଷା କରିବା ପାଇଁ ଡାକ୍ତର ପରାମର୍ଶ ଦେଲେ । ଯାହାର ରିପୋର୍ଟ ନେଗେଟିଭ୍ ଆସିଲା । ହେଲେ ଏହାପରେ ଆଉ ଡାକ୍ତର ଚାହିଁଲେ ନାହିଁ । ବିଭିନ୍ନ ବାହାନା ଦେଖାଇ ପରେ ଆସିବା ପାଇଁ କହି ତଡି ଦେବାରୁ ସ୍ୱାମୀଙ୍କୁ ଧରି ବନିତା ଫେରିଆସି ଏବେ ଭୁବନେଶ୍ୱରର ପଟିଆ ସ୍ଥିତ ଶିଖରଚଣ୍ଡି ଠାରେ ରହୁଛନ୍ତି । ସ୍ୱାମୀଙ୍କୁ ଚିକିତ୍ସା କରାଇ ପାରୁଛନ୍ତି ନା ଘରକୁ ଫେରିବା ପାଇଁ ସାହାରା ପାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking