33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବିଜେପିରେ ଅପରାଜିତାଙ୍କ ନିଜସ୍ୱ ରାଜନୀତି

ବିଜେପିରେ ଅପରାଜିତାଙ୍କ ନିଜସ୍ୱ ରାଜନୀତି

ଭୁବନେଶ୍ୱର, (ଓଏନଏ): ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନିଆରା ରାଜନୀତି । କେତେବେଳେ ସେ ଦଳ ସହ ରହୁଛନ୍ତି ତ କେତେବେଳେ ଦଳୀୟ ମତରୁ ଦୂରେଇ ଯାଉଛନ୍ତି । ଦଳର ନୁହେଁ ସେ ନିଜର ରାଜନୈତିକ ରଣ କୌଶଳ ଅବଲମ୍ବନ କରିବାକୁ ଚାହୁଁଥିବା ତାଙ୍କ କାର୍ଯ୍ୟଧାରାରୁ ଦେଖାଯାଉଛି । ଦଳ ଯାହା କହିବ ଓ ଯେଉଁ ଧାରାରେ ଯିବ ସେଥିରେ ସେ ସହମତ ନୁହଁନ୍ତି , ଏକଥା ସେ ସ୍ପଷ୍ଟ ଭାବରେ ଜଣାଇ ଦେଲେଣି । ନୟାଗଡର କୁନି ଝିଅ ପରୀ ହତ୍ୟା ଘଟଣା ପରେ ଏବେ ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣା ରେ ଅପରାଜିତଙ୍କ ଆଭିମୁଖ୍ୟରୁ ଏହାର ସୂଚନା ମିଳୁଛି । ସେ ରାଜ୍ୟରେ ତାଙ୍କର ନିଜସ୍ୱ ନୀତି ଓ ରାଜନୈତିକ କୌଶଳ ଅବଲମ୍ବନ କରିବାକୁ ଚାହାଁନ୍ତି ବୋଲି ଦଳୀୟ ନେତାମାନଙ୍କୁ ସୂଚାଇ ଦେଇଛନ୍ତି ।
        ପରୀ ହତ୍ୟା ଘଟଣାକୁ ନେଇ ବିଜେପି ଯୁଝି ଚାଲିଛି । ଆନ୍ଦୋଳନ କରିଛି, ଧାରଣା ଦେଇଛି, ପଦଯାତ୍ରା କରିଛି, ସାମ୍ବାଦିକ ସମ୍ମିଳନୀ କରି ବିବୃତି ରଖିଛି, ଏଭଳି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରିଛି ଦଳ । ରାଜ୍ୟ ଦଳର ଦାବି ହେଉଛି ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା । ବିଧାନସଭାଠୁ ଆରମ୍ଭ କରି ବାହାରେ ମଧ୍ୟ ବିଜେପି ଅନେକ ତୁମ୍ବିତୋଫାନ କରିଛି , ଏକଥା କାହାକୁ ଅଛପା ନାହିଁ । ଏହି ଘଟଣାରେ ବିଜେପି କେତେଦୂର ଯାଇଛି ତାହା ସମସ୍ତଙ୍କୁ ଜଣା । ଏପରିକି ଓଡିଶା ଗସ୍ତରେ ଆସିଥିବା ଦଳର ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କୁ ଧରି ପରୀ ଗାଁକୁ ମଧ୍ୟ ନେତାମାନେ ଯାଇଛନ୍ତି । ଏତେ ଘଟଣା ପରେ ବି ଅପରାଜିତା ଏହି ମାମଲାରେ ପଦେ ହେଲେ ମୁହଁ ଖୋଲିଲେ ନାହିଁ । ଏପରିକି ପରୀ ପାଇଁ ଦଳ ଯେତେବେଳେ ବିଭିନ୍ନ ଅଂଚଳରେ ବୁଲି ପଦଯାତ୍ରା କରୁଥିଲା, ସେ ସମୟରେ ଅପରାଜିତା ତାଙ୍କ ଲୋକସଭା କ୍ଷେତ୍ରରେ ଏକ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଯାହାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏପରିକି ଦଳର ଜାତୀୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷାକୁ ନେଇ ଦଳ ରାଜଧାନୀରେ ବିକ୍ଷୋଭ କଲାବେଳେ ସେଦିନ ଅପରାଜିତା ଯାଜପୁରରେ ଯାଇ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରୀ ଘଟଣାରେ ସେ ପଦଟିଏ ହେଲେ ମୁହଁ ଖୋଲିଲେ ନାହିଁ । କିମ୍ବା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ବିଷୟରେ ପଦେ ଲେଖିଲେ ନାହିଁ କି ଫଟୋ ମଧ୍ୟ ଦେଲେ ନାହିଁ ।
        ହେଲେ ମାହାଙ୍ଗାରେ ଦଳୀୟ ନେତାଙ୍କ ହତ୍ୟା ଘଟଣାରେ ସେ ମୁହଁ ଖୋଲିଛନ୍ତି । ସେ ତାଙ୍କ ଟ୍ୱିଟର ଓ ଫେସବୁକ ଆକାଉଣ୍ଟରେ ଏ ଘଟଣାକୁ ନେଇ ସମାଲୋଚନା କରିଛନ୍ତି । ଏପରିକି ସାମ୍ବାଦିକ ସମ୍ମିଳନି କରି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ତାଙ୍କ ନାଁ ନନେଇ ଏହି ଘଟଣା ପାଇଁ ତାଙ୍କୁ ମଧ୍ୟ ଦାୟୀ କରିଛନ୍ତି । ମାହାଙ୍ଗା ଘଟଣାକୁ ଆଧାର କରି ସେ କହିଛନ୍ତି, ରାଜ୍ୟ ସରକାର ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଏଥିପାଇଁ ରାଜନୈତିକ ହିଂସା ଘଟୁଛି । ପଂଚାୟତ ନିର୍ବାଚନରୁ ଏଯାଏଁ ୧୭ଟି ରାଜନୈତିକ ହତ୍ୟା ହୋଇଛି । ଯେଉଁ ସବୁ ଜିଲ୍ଲାରେ ଏହି ସବୁ ହତ୍ୟା ହୋଇଛି ସେହି ସବୁ ଜିଲ୍ଲାକୁ ଯାଇ ଅପରାଧୀମାନଙ୍କୁ ଧରାଯାଇଛି କି ନାହିଁ ତାହା ଅନୁଧ୍ୟାନ କରି ଲୋକଙ୍କୁ ଜଣାଇବେ । ଗୃହ ବିଭାଗ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ଗୃହ ବିଭାଗ ଆଉ ସକ୍ରିୟ ହୋଇ ରହିନାହିଁ । ହତ୍ୟାକାରୀକୁ ସୁରକ୍ଷା ଦିଆଯାଉଛି । ମାହାଙ୍ଗା ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୋଧରେ ବିଜେପି ନେତା କୁଳମଣି ବରାଳ ସ୍ୱର ଉଠାଇବାରୁ ତାଙ୍କୁ ହତ୍ୟା କରାଯାଇଛି । ସେଠାରେ କାହିଁକି ଦୁର୍ନିତୀ ହେଉଛି ଓ କାହା ପାଇଁ ହେଉଛି, ଏକଥା ସମସ୍ତେ ଜାଣନ୍ତି । ତାଙ୍କ ନାଁ ନେବାକୁ ସେ ଚାହାନ୍ତି ନାହିଁ । ହେଲେ ଆଇନ ବିଭାଗ ତାଙ୍କ ହାତରେ ଅଛି । ସେ କହିଛନ୍ତି, ଅଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଯୋଜନାରେ ଘର ନେଇଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଲାଂଚ ମଗା ଯାଉଛି । ଯିଏ ଲାଂଚ ନଦେଉଛି, ତାଙ୍କୁ ଯୋଜନାରେ ଟଙ୍କା ମିଳୁନାହିଁ । ଏହି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିହ୍ନା ବରାଳଙ୍କୁ ବିଜେଡି କର୍ମୀମାନେ ହତ୍ୟା କରିଛନ୍ତି । ରାଜ୍ୟରେ କାହିଁକି ରାଜନୈତିକ ହିଂସା ଘଟୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
     ଅପରାଜିତାଙ୍କ ଏହି ଆଭିମୁଖ୍ୟରୁ ସେ ସ୍ପଷ୍ଟ କରାଇ ଦେଇଛନ୍ତି ଯେ, ଦଳ ନୁହେଁ ସେ ତାଙ୍କ ନିଜ ଇଚ୍ଛା ଅନୁସାରେ ରାଜନୈତିକ କାର୍ଯ୍ୟକ୍ରମ କରିବେ ବୋଲି ଚର୍ଚ୍ଚା ହେଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking