34.1 C
Bhubaneswar
Friday, March 29, 2024
Homeଅପରାଧଅନୁପ ସାଏ ଗିରଫ

ଅନୁପ ସାଏ ଗିରଫ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି) : ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ପୁଲିସ ଏକ ହତ୍ୟା ମାମଲାରେ ଗତକାଲି ରାତିରେ ଗାନ୍ଧି ଛକ ନିକଟରୁ ଉଠାଇ ନେଇଛନ୍ତି । ପୁଲିସ ତାଙ୍କୁ ଉଠାଇ ନେବା ପରେ ଏବେ ଥାନାରେ ରଖି ପଚରାଉଚୁରା କରୁଥିବା କୁହାଯାଉଛି । ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଚକ୍ରଧରପୁର ଥାନାରେ ଅନୁପଙ୍କୁ ଅଟକ ରଖାଯାଇଛି । ଅନୁପଙ୍କୁ ଓଡ଼ିଶାରୁ ନେବା ପୂର୍ବରୁ ଜିଲ୍ଲା ପୁଲିସକୁ ଛତିଗଡ଼ ପୁଲିସ ସୂଚନା ଦେଇଛି । ଗାନ୍ଧି ଛକ ନିକଟରେ ଥିବା ସାଇ ମନ୍ଦିରରୁ ଅନୁପଙ୍କୁ ସେଠାରୁ ଉଠାଇ ନେଇଥିବା ସ୍ଥାନୀୟ ଫାଣ୍ଡିରେ ଛତିଶଗଡ଼ ପୁଲିସ ଷ୍ଟେଶନ ଡାଏରୀରେ ଉଲ୍ଲେଖ କରିଛି ।
ମିଳିଥିବା ସୂଚନା ଅନୁସାରେ ୨୦୧୬ ମସିହାରେ କଳ୍ପନା ଦାସ (୩୨) ଓ ତାଙ୍କ ଝିଅ ପ୍ରଭାତୀ ଦାସ (୧୪)ଙ୍କର ମୃତ୍ୟୁ ହୋଇଥିଲା । ଉଭୟଙ୍କୁ କେହି ହତ୍ୟା କରି ପକାଇ ଦେଇଥିଲେ । ରାୟଗଡ଼ ଓ ଝାରସୁଗୁଡ଼ା ସୀମାନ୍ତ ଅଂଚଳରେ ଏହି ହତ୍ୟାକାଣ୍ଡ ହୋଇଥିଲା । ହତ୍ୟାଘଟଣାରେ ଶବକୁ ବିଭତ୍ସ କରାଯାଇଥିଲା । ହେଲେ ପରିବାର ଲୋକେ ଶେଷରେ ଚିହ୍ନଟ କରିଥିଲେ । ମହିଳା ଗର୍ଭବତୀ ଥିବା ମଧ୍ୟ ଜଣାପଡ଼ିଥିଲା । ଛତିଶଗଡ଼ ପୁଲିସ ଏହି ଘଟଣାରେ କ୍ରାଇବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଛତିଶଗଡ଼ କ୍ରାଇମବ୍ରାଞ୍ଚ ତଦନ୍ତ କରି ମହିଳାଙ୍କର ଡିଏନଏ ଟେଷ୍ଟ କରିଥିଲେ । ଏହି ଘଟଣାରେ କୁହାଯାଉଛି ପୂର୍ବରୁ ଅନୁପଙ୍କୁ ମଧ୍ୟ ରାୟଗଡ଼ ପୁଲିସ ପଚରା ଉଚୁରା କରିଥିଲେ । ଡିଏନଏ ଟେଷ୍ଟ ରିପୋର୍ଟ ମିିଳିବା ପରେ ଅନୁପଙ୍କୁ ଗିରଫ କରାଯାଇଥିବା ଆଲୋଚନା ହେଉଛି । ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ଛାଡ଼ିଦେଇଥିଲେ । ମହିଳାଙ୍କ ସହ ଅନୁପଙ୍କ ସମ୍ପର୍କ କଥାକୁ ଅଭିଯୋଗ ଆକାରରେ ଅଣାଯାଉଛି । ବାସ୍ତବିକ ଅନୁପଙ୍କ ସହ ମହିଳାଙ୍କ ସମ୍ପର୍କ କଣ ଏବଂ ଏହି ଘଟଣାରେ ଅନୁପଙ୍କୁ କାହିଁକି ଛତିଶଗଡ଼ ପୁଲିସ ଗିରଫ କଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅନୁପଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଛତିଶଗଡ଼ ପୁଲିସ ଏଥିନେଇ ସବିଶେଷ ତଥ୍ୟ ଦେଇନାହିଁ । ପୁଲିସର ତଥ୍ୟ ମିଳିଲା ପରେ ଜଣାପଡ଼ିବ କେଉଁ ଘଟଣା ପାଇଁ ଅନୁପଙ୍କୁ ଗିରଫ କରାଯାଇଛି ଓ ସେଥିରେ ତାଙ୍କର ବାସ୍ତବିକ ସମ୍ପୃକ୍ତି କେତେ ରହିଛି ।
ଅନୁପ ବ୍ରଜରାଜନଗରରୁ ୩ ଥର କଂଗ୍ରେସ ଟିକେଟରେ ବିଧାୟକ ଭାବେ ବିଜୟୀ ହୋଇଥିଲେ । ୨୦୧୪ରେ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ ବ୍ରଜରାଜନଗରବାସୀ ଏହି ଦଳ ପରିବର୍ତ୍ତନ କରିଥିବା ନେଇ ଅନୁପଙ୍କୁ ଆଉ ଗ୍ରହଣ କରି ନଥିଲେ । ବିଜେଡିରେ ଯୋଗଦେଲା ପରେ ତାଙ୍କୁ ଏବେ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମଧ୍ୟ କରାଯାଇଛି ।
ହତ୍ୟା ଘଟଣାରେ ଅନୁପଙ୍କ ଗିରଫ ବିଜେଡି ପାଇଁ ବଡ଼ ଧକ୍କା ହୋଇଛି । ଏକ ବରିଷ୍ଠ ନେତା ଅନ୍ୟ ରାଜ୍ୟ ପୁଲିସ ଦ୍ୱାରା ଗିରଫ ହେବା ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ଏକ ବଡ଼ ଘଟଣା ଭାବରେ ଧରାଯାଉଛି । ପୂର୍ବରୁ ଏଭଳି ଘଟଣା ଘଟି ନ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking