କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ ଜୀବନ ହୋଇଥିବା କଳହ ଏବେ ବଢିବାରେ ଲାଗିଛି । ଦୁହିଁଙ୍କ ଅଭିଯୋଗ କୋର୍ଟକଚେରୀରେ ଚାଲିଥିବା ବେଳେ ଏବେ ସୋସିଆଲ ମିଡିଆରେ ଦୁହିଁଙ୍କର ଅଲଗା ଅଲଗା ଭିଡିଓ ଭାଇରାଲ ହେଉଛି । ନିକଟରେ ବର୍ଷା ମହିଳା କମିସନରଙ୍କ ନିକଟରେ ଅନୁଭବଙ୍କ ବିରୋଧରେ ଅଭିଯୋଗ କରିଥିଲେ ।
ଅନୁଭବ ମହାନ୍ତି ସୁରକ୍ଷା ମାଗି ପୁଲିସ ଡିଜିଙ୍କୁ ଚିଠି ଲେଖିଲେ । ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର ଚାଲିଛି। ଚିଠି ସହ ପୁଲିସ ଡିଜିଙ୍କ ପାଖରେ କିଛି ଘଟଣା ସଂପର୍କରେ ଦର୍ଶାଇଛନ୍ତି ଅନୁଭବ। ସେ ଚିଠିରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ନାଁ ମଧ୍ୟ ଦର୍ଶାଇଛନ୍ତି। କିଛି ଦିନ ତଳେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଦୁଇଉଭଣୀଙ୍କ ସହିତ ଫୋନରେ କଥା ହେଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏଥିରେ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ ଆଣିଛନ୍ତି ଅନୁଭବ। ତେଣୁ ଏହି ଅଡିଓର ସତ୍ୟାସତ୍ୟ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ଯଦି ଅଡିଓ ମିଛ ହୋଇଥାଏ, ତାହାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଅଡିଓ ସତ ହେଲେ ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଅନୁଭବ ଡିଜିପିଙ୍କୁ ଚିଠିରେ ଜଣାଇଛନ୍ତି ।