34.1 C
Bhubaneswar
Friday, March 29, 2024
Homeଖେଳଆତ୍ମଜୀବନୀରେ ଟେଲର୍‌ଙ୍କ ଆଉ ଏକ ଖୁଲ୍ଲାସା: ରୟାଲ୍ସ ମାଲିକ ଚାପୁଡ଼ା ମାରିଥିଲେ

ଆତ୍ମଜୀବନୀରେ ଟେଲର୍‌ଙ୍କ ଆଉ ଏକ ଖୁଲ୍ଲାସା: ରୟାଲ୍ସ ମାଲିକ ଚାପୁଡ଼ା ମାରିଥିଲେ

ୱେଲିଂଟନ: ନିକଟରେ ନ୍ୟୁଜିଲାଣ୍ଡ୍‌ର ପୂର୍ବତନ କ୍ରିକେଟର୍ ରସ୍ ଟେଲର୍ ତାଙ୍କ ଆତ୍ମଜୀବନୀରେ ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ସାଥୀ ଖେଳାଳିଙ୍କଠାରୁ ବର୍ଣ୍ଣବିଭେଦ ମନୋଭାବର ଶିକାର ହୋଇଥିବା ଭଳି ଚାଞ୍ଚଲ୍ୟକର ଖୁଲ୍ଲାସା କରିଥିଲେ । ସେ ତାଙ୍କ ଆତ୍ମଜୀବନୀ “ରସ୍ ଟେଲର୍‌: ବ୍ଲାକ୍ ଏଣ୍ଡ୍ ହ୍ୱାଇଟ୍‌’ରେ ନ୍ୟୁଜିଲାଣ୍ଡ୍ କ୍ରିକେଟ୍‌ର ଏହି ଅନାଲୋଚିତ ଦିଗ ସମ୍ପର୍କରେ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ । ଏବେ ଏହି ଆତ୍ମଜୀବନୀରେ ଟେଲର୍ ଆଉ ଏକ ଖୁଲ୍ଲାସା ମଧ୍ୟ କରିଛନ୍ତି । ତେବେ ଏହି ଖୁଲ୍ଲାସାଟି ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ ଲିଗ୍ ଆଇପିଏଲ୍‌ରେ ତାଙ୍କର କଡ଼ା ଅନୁଭୂତି ଉପରେ ପର୍ଯ୍ୟବସିତ । ୨୦୧୧ ସଂସ୍କରଣରେ ସେ ରାଜସ୍ଥାନ ରୟାଲ୍ସର ସଦସ୍ୟ ଥିବା ବେଳେ ତାଙ୍କୁ ଉକ୍ତ ଫ୍ରାଞ୍ଚାଇଜିର ଜଣେ ମାଲିକ ଚାପୁଡ଼ା ମାରିଥିବା ଟେଲର୍ ଉଲ୍ଲେଖ କରିଛନ୍ତି ।

ମୋହାଲିଠାରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଦଳ କିଙ୍ଗ୍‌ସ ଏକାଦଶ ପଞ୍ଜାବଠାରୁ ହାରିବା ପରେ ତାଙ୍କୁ ଏପରି ଆଚରଣର ଶିକାର ହେବାକୁ ପଡ଼ିଥିଲା ବୋଲି ଟେଲର୍ ଦର୍ଶାଇଛନ୍ତି । ଟେଲର୍ ଉଲ୍ଲେଖ କରିଛନ୍ତି, ଆମକୁ ଉକ୍ତ ମ୍ୟାଚ୍‌ରେ ୧୯୫ ରନ୍‌ର ଟାର୍ଗେଟ୍ ମିଳିଥିବା ବେଳେ ମୁଁ ଶୂନରେ ଆଉଟ୍ ହୋଇଥିଲି । ଉକ୍ତ ମ୍ୟାଚ୍ ପରେ ଦଳର ସପୋର୍ଟ ଷ୍ଟାଫ୍ ଓ ମ୍ୟାନେଜ୍‌ମେଣ୍ଟ୍‌ର ସଦସ୍ୟମାନେ ହୋଟେଲ୍ ବାର୍‌ରେ ମହଜୁଦ ଥାଆନ୍ତି । ସେଠାରେ ଅଧିନାୟକ ଶେନ୍ ୱାର୍ଣ୍ଣ ମଧ୍ୟ ଉପସ୍ଥିତ ଥିଲେ ।

ଏତିକି ବେଳେ ତାଙ୍କ ନିକଟରେ ରୟାଲ୍ସର ଜଣେ ମାଲିକ ପହଞ୍ଚି “ଶୂନରେ ଆଉଟ୍ ହେବା ସକାଶେ ଆମେ ତୁମକୁ କୋଟି କୋଟି ଟଙ୍କା ଦେଉନାହୁଁ ବୋଲି କହିବା ସହ ୩/୪ ଥର ଚାପୁଡ଼ା ମାରିଥିଲେ । ଅବଶ୍ୟ ମାଲିକ ଜଣଙ୍କ ଉକ୍ତ ଚାପୁଡ଼ା ମଜାରେ ମାରିଥିଲେ ଓ ସମସ୍ତେ ଠୋ ଠୋ ହୋଇ ହସି ଉଠିଥିଲେ । ଏହାକୁ ସେତେବେଳେ ମୁଁ କୌଣସି ପ୍ରସଙ୍ଗର ରୂପ ଦେବାକୁ ଚେଷ୍ଟା କରି ନଥିଲି । କିନ୍ତୁ ଜଣେ ମାଲିକଙ୍କଠାରୁ ଏପରି ଆଚରଣ ମୁଁ ଆଦୌ ଆଶା କରି ନ ଥିଲି । ବିଶେଷକରି କୌଣସି ପେସାଦାର କ୍ରୀଡ଼ାରେ ଏପରି ପରିବେଶ ସୃଷ୍ଟି ହେବ ବୋଲି ସେ କଦାପି ଚିନ୍ତା କରି ନଥିଲେ ବୋଲି ଟେଲର୍ ତାଙ୍କ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking