40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସୀମାନ୍ତରେ ଆନ୍ଧ୍ରର ଦାଦାଗିରି, ନଜରରେ ରାୟଗଡ଼ା ଜିଲ୍ଲାର ଉପାନ୍ତ ଗାଁ’

ସୀମାନ୍ତରେ ଆନ୍ଧ୍ରର ଦାଦାଗିରି, ନଜରରେ ରାୟଗଡ଼ା ଜିଲ୍ଲାର ଉପାନ୍ତ ଗାଁ’

ରାୟଗଡ଼ା : ଏବେ ଆନ୍ଧ୍ର ନଜର ରାୟଗଡ଼ା ଜିଲ୍ଲାର ଉପାନ୍ତ ଗାଁ । ଆନ୍ଧ୍ର ସୀମାକୁ ଲାଗିଛି ରାୟଗଡ଼ା ଜିଲ୍ଲାର ୬୧ଟି ଗାଁର ଭୌଗୋଳିକ ସ୍ଥିତିର ସୁଯୋଗ ନେବାକୁ ପଛାଉ ନହିଁ ଆନ୍ଧ୍ର । ସୀମାନ୍ତରେ ଥିବା ଅଧିକାଂଶ ଗ୍ରାମକୁ ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା ଅପହଞ୍ଚ ଥିବା ବେଳେ ଏଠିକା ଲୋକେ ବାଧ୍ୟ ହୋଇ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ଦୈନନ୍ଦିନ ଜୀବନର ତେଲ ଲୁଣ ରାଶନ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି ଏମାନଙ୍କୁ । ଦିନକୁ ଦିନ କୋଟିଆକୁ ନେଇ ବିବାଦ ଘନେଇବାରେ ଲାଗିଥିବା ବେଳେ ଏବେ ରାୟଗଡା ଜିଲ୍ଲାର ଆନ୍ଧ୍ରକୁ ଲାଗିଥିବା ସୀମାନ୍ତ ଗାଁ ଉପରେ କଡା ନଜର ରଖିଛି  ଜିଲ୍ଲା ପ୍ରଶାସନ । ରାୟଗଡ଼ା ଉପଖଣ୍ଡର ସୀମାରେ ଥିବା କେରେଡା ପଞ୍ଚାୟତର ଅନିଜା , ଏମ୍ପଲୱଲସା , ବୋରହଲୱା ଉପରେ ଏବେ ନଜର ରଖିଛି ଜିଲ୍ଲା ପ୍ରଶାସନ । ଏହି ଅଞ୍ଚଳକୁ ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ନିଜେ ଗସ୍ତ କରି ସେଠିକା ସ୍ଥିତି ଅନୁଧ୍ୟାନ କରିବା ସହ ଆଶାକର୍ମୀ , ଅଙ୍ଗନବାଡି କର୍ମୀ , ସ୍କୁଲ ଶିକ୍ଷକ ଏବଂ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଧେଶ ଦେଇଛନ୍ତି । ସବୁଠାରୁ ବଡ କଥା ଏହି ତିନୋଟି ଗାଁକୁ ନାଗାବଳୀ ନଦୀ ସାଜିଛି ଗମନାଗମନର ପ୍ରତିବନ୍ଧକ । ଫଳରେ ଏହି ତିନି ଗାଁର ଲୋକେ ବାଧ୍ୟ ହୋଇ ଶିକ୍ଷା , ସ୍ୱାସ୍ଥ୍ୟ , ଘର କରଣାର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି । କେବଳ ଏହି ତିନୋଟି ଗାଁ ନୁହଁ ଜିଲ୍ଲାର ଚାରି ପାଖର ସୀମାରେ ରହିଛି ୬୧ ଖଣ୍ଡ ଗାଁ । ଗୁଣପୁର ଉପଖଣ୍ଡ ରାମନାଗୁଡ଼ା ତହସିଲର ଲାଉଗୁଡ଼ା ଗ୍ରାମର ୧୦୦ ମିଟର ଦୂରରେ ଆନ୍ଧ୍ରର କେଦାରପୁର ପଞ୍ଚାୟତ ରହିଛି । ଆଉ ଦିନଟେ ପରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ସୀମାନ୍ତ ଗାଁ ଗୁଡିକରେ ସମସ୍ତେ ଓଡିଆ ଭାଷାଭାଷି ରହୁଥିବା ବେଳେ ଅଧିକାଂଶ ଲୋକଙ୍କ ଉଭୟ ରାଜ୍ୟର ଭୋଟର କାର୍ଡ ଥିବା ଯୋଗୁଁ ଏହି ଭୋଟରଙ୍କ ଉପରେ ଆନ୍ଧ୍ର ସରକାରଙ୍କ ପଡିଛି ନଜର । ଏଭଳି ଘଟଣା ଆଶଙ୍କା କରି ଗୁଣପୁର ଉପଜିଲ୍ଲାପାଳ ସୋନାଲ୍ ଜେନା ରାମନାଗୁଡ଼ା ତହସିଲଦାର ଜୟଶ୍ରୀ ମଲ୍ଲିକଙ୍କୁ ରାମନାଗୁଡ଼ା ତହସିଲଅନ୍ତର୍ଗତ ଲାଉଗୁଡ଼ା ଗ୍ରାମ ସମନ୍ଧିୟ ରିପୋର୍ଟ ତଲବ କରିଛନ୍ତି । ସେହି ଭଳି ଆସନ୍ତା ୧୬ ତାରିଖରେ ଆନ୍ଧ୍ରପ୍ରଦେଶ ଗୁମ୍ମାଲକ୍ଷ୍ମୀପୁରମ ମଣ୍ଡଳ ଅନ୍ତର୍ଗତ କେଦାରପୁରରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାର ଅଛି ।  ରାୟଗଡ଼ା ଜିଲ୍ଲାର ରାୟଗଡ଼ା, ଗୁଣପୁର, ରାମନାଗୁଡ଼ା, କୋଲନରା ତହସିଲ ଅଧୀନରେ ମୋଟ ୬୧ଟି ଗାଁ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି । ସେଥି ମଧ୍ୟରୁ ରାୟଗଡ଼ା ତହସିଲ ଅଧୀନରେ ସର୍ବାଧିକ ୩୬ ଗାଁ ଆନ୍ଧ୍ର ସୀମାନ୍ତରେ ରହିଛି । ଗାଜିଗାଁ ସର୍କଲର ୫ଟି, ଜେମାଦେଇପେଣ୍ଠ ରାଜସ୍ୱ ସର୍କଲର ୮ଟି ଏବଂ କାରୁବାଇ ରାଜସ୍ୱ ସର୍କଲର ୨୩ଟି ଗାଁ ଆନ୍ଧ୍ରକୁ ଲାଗିଛି । ଏହି ୩ ପଞ୍ଚାୟତର ଅଧିକାଂଶ ଗ୍ରାମ ଦୁର୍ଗମ ଅଞ୍ଚଳରେ ରହିଛି । କିଛି ଗାଁ ପାଇଁ ନାଗାବଳୀ ନଦୀ ଦୁଃଖ ପାଲଟିଥିବା ବେଳେ କିଛି ଗାଁରେ ବିଜୁଳି ଆଲୁଅ ସାତ ସପନ ପାଲଟିଛି । ବିଶେଷ କରି ମୋବାଇଲ୍ ଟାୱାର ପକ୍କା ସଡ଼କ ନଥିବାରୁ ପାହାଡ଼ିଆ ରାସ୍ତା ଦେଇ ଆନ୍ଧ୍ରର ବିଭିନ୍ନ ଗାଁକୁ ଯାଇ ଲୋକମାନେ ହାଟ ସଉଦା କରୁଛନ୍ତି । ସେହିପରି କୋଲନରା ତହସିଲ ରେଖାପଦର ରାଜସ୍ୱ ସର୍କଲର ୨ଟି, ରାମନାଗୁଡ଼ା ତହସିଲ ଗୋଗୁପାଡ଼ୁ ରାଜସ୍ୱ ସର୍କଲର ୫ଟି, ଗାରଣ୍ଡା ରାଜସ୍ୱ ସର୍କଲର ୩ଟି, ଗୁଣପୁର ତହସିଲ ଜଗନ୍ନାଥପୁର ରାଜସ୍ୱ ସର୍କଲର ୪ଟି, ଗୋଠଳପଦର ରାଜସ୍ୱ ସର୍କଲର ୧୧ଟି ଗ୍ରାମ ଆନ୍ଧ୍ରକୁ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking